Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ କେମିତି ଯିବ ଭାରତ?

ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌କୁ ଟିମ ଇଣ୍ଡିଆ ଜିତି ନେଇଥିଲେ ବେଶ ଆରାମରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରି ଯାଇଥାଆନ୍ତା।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ଇନ୍ଦୋର ବିପର୍ଯ୍ୟୟ ଭାରତକୁ ଶକ୍ତ ଝଟକା ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌କୁ ଟିମ ଇଣ୍ଡିଆ ଜିତି ନେଇଥିଲେ ବେଶ ଆରାମରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରି ଯାଇଥାଆନ୍ତା। ହେଲେ ଭାରତକୁ ତୃତୀୟ ଟେଷ୍ଟରେ ୯ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଜୁନ ମାସରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ହାସଲ କରିଛି।

Advertisment

ଭାରତ ବିଧିବଦ୍ଧ ଭାବେ ଫାଇନାଲରେ ପ୍ରବେଶ କରି ନଥିଲେ ମଧ୍ୟ ଦଳ ପାଖରେ ଆଉ ଗୋଟିଏ ସୁଯୋଗ ରହିଛି। ଅହମଦାବାଦରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍‌ର ୪ର୍ଥ ତଥା ଶେଷ ମ୍ୟାଚ୍‌ ଜିତିଲେ, ଦଳ ଫାଇନାଲକୁ ପ୍ରବେଶ କରିପାରିବ। କିନ୍ତୁ ଯଦି ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୪ର୍ଥ ଟେଷ୍ଟରେ ହାରି ଯାଉଛି, ତା’ହେଲେ ଦଳକୁ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ସିରିଜର ଫାଳଫଳ ଉପରେ ନିର୍ଭର କରିବାକୁ ପଡ଼ିବ।

ଭାରତକୁ ହରାଇ ଅଷ୍ଟ୍ରେଲିଆ WTC ପଏଣ୍ଟ ଟେବୁଲରେ ପୂର୍ବଭଳି ୬୮.୫୨ ବିଜୟ ପ୍ରତିଶତ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି। ଆଇସିସିର ନିୟମ ଅନୁଯାୟୀ, ଗୋଟିଏ ଦଳ ମ୍ୟାଚ ଜିତିଲେ ୧୨ ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ଟାଏ ହେଲେ ୬ ପଏଣ୍ଟ ପାଇବ। ଆଜି ଅପଡେଟ ହୋଇଥିବା ତଥ୍ୟ ଅନୁସାରେ, ଅଷ୍ଟ୍ରେଲିଆ ୧୮ଟି ମ୍ୟାଚ୍‌ରୁ ୧୧ ବିଜୟ ଓ ୪ଟି ଡ୍ର ସହ ୧୪୮ ପଏଣ୍ଟ ପାଇଛି।

Advertisment

ଯଦି ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ହାରି ଯାଉଛି, ତା’ହେଲେ ବି ଦଳ ୬୪.୯୧ ବିଜୟ ପ୍ରତିଶତ ସହ ଟେବୁଲର ୧ନଂ ସ୍ଥାନରେ ରହିବ।

ଭାରତର ବିଜୟ ପ୍ରତିଶତ ପଏଣ୍ଟ ଏବେ ୬୦.୨୮ ରହିଛି। ଯଦି ଭାରତ ଶେଷ ଟେଷ୍ଟକୁ ଜିତି ନେଉଛି, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୨.୫ ହୋଇଯିବ। ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ବେଶ ଆରାମରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ତେବେ ଭାରତ ଯଦି ହାରି ଯାଉଛି, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୬.୯୪କୁ ଖସି ଆସିବ। ଏପରି ସ୍ଥିତିରେ ରୋହିତ ସେନା ଫାଇନାଲ ଟିକେଟ ପାଇଁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜର ରେଜଲ୍ଟ ଉପରେ ନିର୍ଭର କରିବ।

ସେହିପରି ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଲେ ଦଳର ବିଜୟ ପ୍ରତିଶତ ୫୮.୭୯ ରହିବ। ଏଠି ମଧ୍ୟ ଦଳକୁ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ସିରିଜର ରେଜଲ୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ମ୍ୟାଚ୍‌ ଟାଏ ହେଲେ ଭାରତର ବିଜୟ ପ୍ରତିଶତ ୫୮.୭୯ ହେବ।

ଶ୍ରୀଲଙ୍କା କେମିତି ଯୋଗ୍ୟତା ଅର୍ଜନ କରିବ

ଏବେ WTC ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଶ୍ରୀଲଙ୍କା ରହିଛି। ନ୍ୟୁଜିଲ୍ୟାଣ୍ଡ ଫାଇନାଲ ରେସରୁ ବାଦ ପଡ଼ିଛି। ତେଣୁ ଶ୍ରୀଲଙ୍କାକୁ ଫାଇନାଲ ଟିକେଟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨-୦ରେ ହରାଇବାକୁ ପଡ଼ିବ। ଏହା ପୂର୍ବରୁ ଭାରତକୁ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ପଡ଼ିବ। ଶ୍ରୀଲଙ୍କା ଏବେ ୫୩.୩୩ ବିଜୟ ପ୍ରତିଶତ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଯଦି ଦଳ ନ୍ୟୁଜିଲ୍ୟାଣ୍ଡକୁ ୨-୦ରେ ହରାଇ ଦେଉଛି, ତା’ହେଲେ ଏହାର ବିଜୟ ପ୍ରତିଶତ ପଏଣ୍ଟ ୬୧.୧୧ ହୋଇଯିବ।

କିନ୍ତୁ ଶ୍ରୀଲଙ୍କା ୧-୦ରେ ସିରିଜ ଜିତିବ, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୫.୫୫ ହେବ। ଏପରି ସ୍ଥିତିରେ ଭାରତ ଶେଷ ଟେଷ୍ଟରେ ହାରିଲେ ମଧ୍ୟ ୫୬.୯୪ ବିଜୟ ପ୍ରତିଶତ ପଏଣ୍ଟ ସହ ଜୁନ ୭ରୁ ୧୧ ଯାଏ ଇଂଲଣ୍ଡର ଓଭାଲରେ ଖେଳାଯିବାକୁ ଥିବା WTC ଫାଇନାଲ ଟିକେଟ ହାତେଇବାକୁ ସକ୍ଷମ ହେବ।

India Vs Australia WTC Indian Cricket Team Border-Gavaskar Trophy INDvsAUS