Jasprit Bumrah
କ’ଣ ସେହି ୟର୍କର ଖାସ ନଥିଲା? ଏ ସମ୍ପର୍କରେ କିଛି ସମୟ ପରେ ଆଲୋଚନା କରିବା।
କ’ଣ ଉତ୍କୃଷ୍ଟତାକୁ ସହଜ କରାଯାଇ ପାରେ? କ’ଣ ଶ୍ରେଷ୍ଠ ପ୍ରଦର୍ଶନକୁ ବାରମ୍ବାର ଦୋହରା ଯାଇପାରିବ? ଉଭୟ ଆତ୍ମା ଓ ଦୁନିଆକୁ ସନ୍ତୁଷ୍ଟ କରିବା ପାଇଁ କିଛି କରିବା କେତେ ବିରଳ, ସେକଥା ଆପଣ ଯେକୌଣସି କଳାକାର, ଲେଖକ କିମ୍ବା ଆଥଲେଟଙ୍କୁ ପଚାରି ପାରିବେ। ସେମାନେ ଭଲ ଭାବେ ଏହାର ଉତ୍ତର ଦେବେ। ମହାନ ବନିବା ଗୋଟିଏ କଠିନ ପରିଶ୍ରମ, ଦକ୍ଷତା ଓ ସ୍ୱତନ୍ତ୍ର ପୁରସ୍କାରର ସମ୍ଭାର।
ତଥାପି ବି ସେଥିରେ ବ୍ୟତୀକ୍ରମ ରହିଛି। ମାଇକେଲ ଫେଲେପ୍ସ ପ୍ରକୃତିର ଶକ୍ତି ଭଳି ପାଣିକୁ ଚିରନ୍ତି। ଓସେନ ବୋଲ୍ଟ ଦୌଡ଼କୁ ପରେଡରେ ବଦଳାଇଛନ୍ତି। ସିମୋନ ବିଲେସ ମାଧ୍ୟାକର୍ଷଣ ଶକ୍ତିର ନିୟମକୁ ପୁଣି ଲେଖିଛନ୍ତି। ମୋଣ୍ଡୋ ଡୁପ୍ଲାଣ୍ଟିସ ସୀମା ବାହାରକୁ ଯାଇ ଉଡ଼ାଣ ଭରିଛନ୍ତି। ଏମାନେ ଏମିତି ସବୁ ଆଥଲେଟ ଯେଉଁମାନେ ପୂର୍ଣ୍ଣତାକୁ ସତେ ଯେମିତି ଦ୍ୱିତୀୟ ପ୍ରକୃତିରେ ପରିଣତ କରି ଦେଇଛନ୍ତି। ଭାରତୀୟ ଟିମର ଯଶପ୍ରୀତ ବୁମ୍ରା ମଧ୍ୟ ସେହି ଲିଗରେ ଆସୁଛନ୍ତି।
ପ୍ରତିଟି ସ୍ପେଲ, ପ୍ରତିଟି ତୀକ୍ଷ୍ଣ ୟର୍କର ସହିତ ସେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରନ୍ତି। ତାଙ୍କ ହାତରେ ଏମିତି ଦକ୍ଷତା ରହିଛି, ଯାହା ଗୋଟିଏ ସ୍ୱାଭାବିକ ଘଟଣାରେ ପରିଣତ ହୋଇଛି। କ୍ରିକେଟର ୨୨ ଗଜ ମଧ୍ୟରେ ବୁମ୍ରାଙ୍କର ଅନେକ ଚମତ୍କାର ସ୍ପେଲ ଆମେ ଦେଖିଛୁ। ଦ୍ରୁତ ୟର୍କର, ରହସ୍ୟମୟ ଧୀମା ବଲ, ଷ୍ଟମ୍ପରେ ଶେଷ ହେଉଥିବା ଇନସୁଇଂ ଓ ବ୍ୟାଟର ଏଡଜକୁ ଛୁଇଁ ସ୍ଲିପକୁ ଯାଉଥିବା ଆଉଟ ସୁଇଂରେ ବୁମ୍ରା ମାହିର।
ଶୁକ୍ରବାର ଆଇପିଏଲ ୨୦୨୫ର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ। ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଥିଲା। ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏମିତି ଏକ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଯେଉଁଠି ଦିନକ ତଳେ ପଞ୍ଜାବ କିଙ୍ଗସ ମାତ୍ର ୧୦୧ ରନରେ ଅଲଆଉଟ ହୋଇଥିଲା।
ମୁମ୍ବାଇ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍ ବେଳେ କହିଥିଲେ ଯେ ମହାରାଜ ଯୁଦ୍ଧବିନ୍ଦର ସିଂହ ଇଣ୍ଟରନ୍ୟାଶଲ ଷ୍ଟାଡିୟମ ଆଜି ସେମିତି ନାହିଁ ଯେଉଁଠାରେ ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପେସର ପଞ୍ଜାବକୁ ଘାଣ୍ଟି ଦେଇଥିଲେ। ତାଙ୍କର ବିଶ୍ୱାସ ଥିଲା ପିଚ ବ୍ୟାଟରଙ୍କୁ ସୁହାଇବ। ମୁମ୍ବାଇ ମଧ୍ୟ ପ୍ରଥମେ ବ୍ୟାଟିଂ କରି ପିଚ୍ରୁ ଲାଭ ଉଠାଇଥିଲା।
ରୋହିତ ଶର୍ମା ୫୦ ବଲରେ ୮୧ ଓ ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରଣ ପରେ ସୂର୍ଯ୍ୟ କୁମାର ଯାଦବ ଓ ପାଣ୍ଡ୍ୟାଙ୍କ ଯୋଗଦାନ ଯୋଗୁ ମୁମ୍ବାଇ ୨୨୮ ରନ କରି ନେଇଥିଲା। ଗୁଜରାଟ ୧ ରନରେ କ୍ୟାପ୍ଟେନ ଶୁବମନ ଗିଲଙ୍କୁ ହରାଇଥିଲେ ହେଁ ହାର ମାନିବାକୁ ପ୍ରସ୍ତୁତ ନଥିଲା। ସାଇ ସୁଦର୍ଶନ ଓ ୪ନଂରେ ଆସିଥିବା ୱାଶିଂଟନ ସୁନ୍ଦର ଲଢ଼େଇ ଆରମ୍ଭ କରିଥିଲେ। ଏହାପୂର୍ବରୁ ୩ନଂରେ ଆସିଥିବା କୁଶଲ ମେଣ୍ଡିସ ହିଟ ୱିକେଟ ହୋଇ ଯାଇଥିଲା। କିନ୍ତୁ ସୁନ୍ଦର ଓ ସୁଦର୍ଶନ ୪୪ ବଲରେ ୮୪ ରନ ଭାଗିଦାରୀ ମୁମ୍ବାଇର ଚିନ୍ତା ବଢ଼ାଇ ଦେଇଥିଲା।
୧୩ ଓଭର ଶେଷ ସୁଦ୍ଧା ଗୁଜରାଟ ୨ ୱିକେଟ ହରାଇ ୧୪୮ ରନ କରି ନେଇଥିଲା। ସାଇ ସବୁ ଥର ପରି ଧୀର ଓ ଶାନ୍ତ ସ୍ୱାଭାବରେ ବ୍ୟାଟିଂ କରୁଥିଲେ। ସୁନ୍ଦର ପାୱାର ହିଟର ପରିଚୟ ଦେଇଥିଲେ। ୯ରୁ ୧୩ ଓଭର ମଧ୍ୟରେ ଗୁଜରାଟ ୬୩ ରନ ଯୋଡ଼ି ମ୍ୟାଚ୍ ବିଜୟ ହେବା ଦିଗରେ ଆଗେଇ ଚାଲି ଥିଲା
ସେହି ୟର୍କର
ମୁମ୍ବାଇ ହାତରୁ ମ୍ୟାଚ୍ ଖସି ଯାଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ସବୁଠାରୁ ଭରାସାଯୋଗ୍ୟ ଖେଳାଳିଙ୍କୁ ବଲ ଧରାଇଥିଲେ। ଆଉ ସେହି ଓଭରରେ ଖେଳ ପଲଟି ଯାଇଥିଲା। ବୁମ୍ରା ଦ୍ୱିତୀୟ ସ୍ପେଲକୁ ଆସିବା ପୂର୍ବରୁ ରନର ଗତି ଦ୍ରୁତଗତିରେ ଆଗେଇ ଚାଲିଥିଲା। ୧୪ତମ ଓଭରର ପ୍ରଥମ ୩ଟି ବଲରୁ ୩ ରନ ମିଳିଥିଲା। ୪ର୍ଥ ବଲରେ ହୋଇଥିଲା ବଡ଼ ବିସ୍ଫୋରଣ।
୪ର୍ଥ ବଲଟି ଥିଲା ସମ୍ଭବତଃ ୨୦୨୫ ଆଇପିଏଲର ଶ୍ରେଷ୍ଠ ବଲ। ଓଭର ଦି ୱିକେଟରୁ ବୁମ୍ରା ଦ୍ରୁତଗତିରେ ସାଂଘାତିକ ୟର୍କର ସୁନ୍ଦରଙ୍କ ଜୋତାକୁ ଲକ୍ଷ୍ୟ କରି ପକାଇଥିଲେ। ସୁନ୍ଦର ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବୁମ୍ରାଙ୍କ ଆଗରେ ସେ ପୂରା ଚିତପଟାଙ୍ଗ ମାରିଥିଲେ। ତାଙ୍କ ଦୁଇ ଗୋଡ଼ ମଧ୍ୟରେ ୧୪୦ ବେଗରେ ବଲଟି ସିଧା ଲେଗ ଷ୍ଟମ୍ପରେ ବାଜିଥିଲା। ସୁନ୍ଦର ମଧ୍ୟ ମାଟି କାମୁଡ଼ି ପଡ଼ିଥିଲେ। ବାସ୍ ୨୪ ବଲରେ ୪୮ ରନ କରି ସୁନ୍ଦର ଆଉଟ ହେବା ପରେ ଗୁଜରାଟର ବିଜୟ ଗାଡ଼ି ଲାଇନଚ୍ୟୁତ ହୋଇଥିଲା।
ସାଇ ସୁଦର୍ଶନ ୮୦ ରନ କରି ଆଉଟ ହେବା ପରେ ଗୁଜରାଟର ଚିନ୍ତା ଆହୁରି ବଢ଼ି ଯାଇଥିଲା। ଏହାପରେ ଶାହରୁଖ ଖାନ, ରାହୁଲ ତେୱାତିଆ ବିଜୟ ପାଇଁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ହୋଇ ନଥିଲା। ମୁମ୍ବାଇ ୨୦ ରନରେ ମ୍ୟାଚ୍ ଜିତି ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟର ଅଭିଯାନ ୨୦୨୫ ଆଇପିଏଲରେ ଶେଷ ହୋଇଛି।
ବୁମ୍ରା ମ୍ୟାଚ୍ର ମୋଡ଼ ବଦଳାଇଥିବାରୁ ତାଙ୍କୁ ପାଣ୍ଡ୍ୟା ବେଶ ପ୍ରଶଂସା କରିଛନ୍ତି। ପୂର୍ବତନ କ୍ରିକେଟରମାନେ ଯଶୀଙ୍କ ଭଳି କେହି ଏବେ ବିଶ୍ୱର ନାହାନ୍ତି ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1748697161.jpg)