/odisha-reporter/media/post_attachments/uploadimage/library/16_9/16_9_0/KL_1745042205.jpg)
KL
ଶୁକ୍ରବାର କେଏଲ ରାହୁଲ ନିଜର ୩୨ ତମ ଜନ୍ମ ଦିନ ପାଳନ କରିଛନ୍ତି। ରାହୁଲ ଓ ତାଙ୍କ ପତ୍ନୀ ଆଥିୟା ଶେଟ୍ଟୀ ଏହି ଅବସରରେ ଝିଅର ନାଁ ଇଭାରା ବିପୁଲା ରାହୁଲ ରହିଥିବା ଘୋଷଣା କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟର ବ୍ୟାଟର ରାହୁଲ ଏକଦା ନିଜର ବିଫଳତା ଓ ସଫଳତା ସମ୍ପର୍କରେ ବହୁତ କମ ମୁହଁ ଖୋଲୁଥିଲେ। କିନ୍ତୁ ଏବେ ସେ ଜଣେ ପ୍ରୋଟେକ୍ଟର। ଏବେ ସେ ଗୋଟିଏ ଜୀବନ ପାଇଁ ସିଧାସଳଖ ଦାୟିତ୍ୱ ନେଇଛନ୍ତି।
ଆଇପିଏଲ ୨୦୨୫ ଆରମ୍ଭ ସମୟରେ ରାହୁଲ କମ ଦିନର ଛୁଟି ନେଇଥିଲେ। ନିଜ ସନ୍ତାନର ଜନ୍ମ ପାଇଁ ସେ ପତ୍ନୀଙ୍କ ସହ ରହିଥିଲେ। ରାହୁଲ ଯେତେବେଳେ ଫେରିଥିଲେ ସେତେବେଳେ ଗୋଟିଏ ଭିନ୍ନ ଅନ୍ଦାଜ ଦେଖାଯାଇଥିଲା। ଲମ୍ବା ଚୁଟି, ଆକ୍ରମଣାତ୍ମକ ଶଟ ଓ ଦମଦାର ସେଲିବ୍ରେସନ ସହ ରାହୁଲ ଅଲଗା ପ୍ରକାରର ନଜର ଆସିଥିଲେ। ଏପରି ପରିବର୍ତ୍ତନ ରାହୁଲ ବାପା ହେବାରୁ ଘଟିଲା କି ନାହିଁ, ସେକଥା ଆମକୁ ଜଣାନାହିଁ। କିନ୍ତୁ ୨୦୨୪ ଏପ୍ରିଲର କେଏଲ ରାହୁଲ ଓ ୨୦୨୫ ଏପ୍ରିଲର କେଏଲ ଆଦୌ ସମାନ ନୁହନ୍ତି। ସେହିପରି ଏପରି ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଥିଲା।
୨୦୨୪ ଆଇପିଏଲରେ ଏକାଧିକ ମ୍ୟାଚ୍ର ସ୍କୋର ୨୫୦ ଉପରେ ରହୁଥିଲା। ଏହି ସମୟରେ କେଏଲ ରାହୁଲ ନିଜ ଡିଫେନ୍ସିଭ ବ୍ୟାଟିଂର ଓକିଲାତି କରିଥିଲେ। ତାଙ୍କର କହିବା କଥା ଥିଲେ ଯେ ଷ୍ଟ୍ରାଇକ ରେଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ନିଜର ଧିମା ବ୍ୟାଟିଂ ପାଇଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା। ସେ ନିଜର ଧିମା ଖେଳ ପାଇଁ ଭାରତର ୨୦୨୪ ଟି-୨୦ ବିଶ୍ୱକପ ସ୍କ୍ୱାଡରୁ ଡ୍ରପ ହୋଇଥିଲେ। ଏହାପରେ ଆଇପିଏଲ ପ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା।
ଟିମରୁ ବାଦ ପଡ଼ିବା ନିଶ୍ଚିତ ଭାବେ ରାହୁଲଙ୍କୁ କଷ୍ଟ ଦେଇଥିବ। ଏକଦା ରାହୁଲଙ୍କୁ ଭାରତୀୟ ଟିମର ନେତୃତ୍ୱ ପାଇଁ ବିଚାର କରାଯାଉଥିବା ବେଳେ ସେ ଦଳରୁ ବାଦ ପଡ଼ିଥିଲେ। ୨୦୨୩ ବିଶ୍ୱକପ ଫାଇନାଲ ପରାଜୟରେ ତାଙ୍କ ଧିମା ବ୍ୟାଟିଂକୁ ଦାୟୀ କରାଯାଇଥିଲା। ଟି-୨୦ରୁ ବିଦା ହେବା ପରେ ରାହୁଲ କେବଳ ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ଗଣତି ହୋଇଥିଲେ।
କିଛି ମାସ ପରେ ଟେଷ୍ଟ ଟିମରେ ମଧ୍ୟ ତାଙ୍କ ସ୍ଥାନ ଟଳମଳ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ ପରାଜୟ ପରେ ରାହୁଲଙ୍କୁ ଟେଷ୍ଟ ଟିମରୁ ମଧ୍ୟ ଡ୍ରପ କରାଯାଇଥିଲା। ତେବେ ଗୌତମ ଗମ୍ଭୀର ଆଣ୍ଡ କୋ ରାହୁଲଙ୍କୁ ବାରମ୍ବାର ବଲି କା ବକ୍ରା ବନାଉଥିବା କଥା କହି ଅନେକ କ୍ରିକେଟ ପଣ୍ଡିତ ନିଜର ସ୍ୱର ଉଠାଇଥିଲେ।
ଏତେ ସବୁ ସତ୍ତ୍ୱେ ରାହୁଲ ଆଦୌ ମୁହଁ ଖୋଲି ନଥିଲେ। ସମୟ ଅଷ୍ଟ୍ରେଲିଆରେ ବଦଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷରୁ ରାହୁଲଙ୍କ ରନ କରିବାର ଧାରା ଆରମ୍ଭ ହୋଇଥିଲା। ଭାରତ ସିରିଜରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ରାହୁଲ ତାଙ୍କ ଛାପ ଛାଡ଼ିଥିଲେ। ସେ ୫ଟି ଟେଷ୍ଟରେ ୨୭୬ ରନ କରିଥିଲେ। ସିରିଜରେ ତାଙ୍କୁ ବିଭିନ୍ନ ସ୍ଥାନରେ ବ୍ୟାଟିଂ କରିବାକୁ ମଧ୍ୟ ପଡ଼ିଥିଲା। କେତେବେଳେ ସେ ଓପନ କରିଥିଲେ ତ ଆଉ କେତେବେଳେ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ତଥାପି ସେ ରନ କରିବାକୁ ପଛାଇ ନଥିଲେ।
ଅଷ୍ଟ୍ରେଲିଆରୁ ପାଇଥିବା ଫର୍ମକୁ ସେ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ କାଏମ ରଖିଥିଲେ। ଦିନିକିଆରେ ପ୍ରାୟତଃ ୫ ନମ୍ବରରେ ବ୍ୟାଟିଂ କରୁଥିବା ରାହୁଲଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ଆହୁରି ପଛରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲେ। ତଥାପି ସେ ୫ ମ୍ୟାଚ୍ରେ ୧୪୦ ରନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍ରେ ତାଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ରାହୁଲ ସାକ୍ଷାତକାର ଦେଇଥିଲେ। ତାଙ୍କ ସ୍ୱରରେ ପରବର୍ତ୍ତନ ବି ଦେଖିବାକୁ ମିଳିଥିଲା।
ଚାମ୍ପିୟନ୍ସ ଟ୍ରଫି ବେଳେ ରାହୁଲ କହିଥିଲେ ଯେ “ଅଷ୍ଟ୍ରେଲିଆରେ ଆୟୋଜିତ ଟେଷ୍ଟ ମ୍ୟାଚ୍ରେ ମୁଁ ଓପନିଂ କରୁଥିଲି। ଅଷ୍ଟ୍ରେଲିଆରେ ଆରମ୍ଭରୁ ବଲକୁ ସାମ୍ନା କରିବା କେତେ ଚ୍ୟାଲେଞ୍ଜିଂ, ସେକଥା ସମସ୍ତଙ୍କୁ ଜଣା। ସେଠାରୁ ଆସି ମଧ୍ୟକ୍ରମରେ ବ୍ୟାଟିଂ କରିବା ବେଶ ଭିନ୍ନ। କିନ୍ତୁ ମୁଁ କେବେ ହେଲେ ଆପତ୍ତି କରି ନାହିଁ। ଗତ ୪ରୁ ୫ ବର୍ଷ ହେଲା ମୋ ଧଳା ବଲ କ୍ରିକେଟ ଖେଳିବା ଶୈଳୀ ସେମିତି କିଛି ରହିଥିଲା। ମୁଁ ବ୍ୟାଟିଂ ଅର୍ଡର ଅଦଳବଦଳକୁ ପୂର୍ବରୁ ବି ଦେଖିଥିଲି।
ମୋତେ ଯେଉଁଠି କୁହାଯିବ, ସେଠାରେ ଖେଳିବାରୁ ରାଜି ଥିଲି। ଏହି ଅଦଳବଦଳ ଯୋଗୁ ବାଉଣ୍ଡରୀ ହିଟିଂ ସହଜ ହୋଇଛି। ୨୦୨୦ରୁ ମୁଁ ୫ ନମ୍ବରରେ ଖେଳୁଛି। ଲୋକମାନେ ଏହାକୁ ଭୁଲି ଯାଇଛନ୍ତି ବୋଧେ। ମୁଁ ପ୍ରତିଥର ଯେକୌଣସି ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଦିନିକିଆରେ ବ୍ରେକ ଆସେ। ଏହାପରେ ମୁଁ ଚୂଡ଼ାନ୍ତ ଏକାଦଶରେ ଫିଟ କି ନୁହେଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। ବେଳେବେଳେ ମୁଁ ଡ୍ରେସିଂ ରୁମରେ ବସି ଭାବିଥାଏ ଯେ ଏହା ଠାରୁ ଅଧିକ ଆଉ କ’ଣ କରିପାରିବି? ମୋତେ ଯେଉଁ ସ୍ଥାନରେ କୁହାଗଲା ମୁଁ ସେଠି ଖେଳିଲି। ମୋ ପ୍ରଦର୍ଶନ ବି ଭଲ ଥିଲା ବୋଲି ସମସ୍ତେ କହିଥିଲେ। ତଥାପି ଏସବୁ ବେଶ ଚିନ୍ତିତ କରିଥିଲା।”
ଭୟ ଛାଡ଼ି ଆଗକୁ ଆସିଲେ ରାହୁଲ
ଏଥର ରାହୁଲଙ୍କ କ୍ଷେତ୍ରରେ ହୋଇଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଲା, ତାଙ୍କୁ ଦିଆଯାଇଥିବା ପରାମର୍ଶକୁ ସେ ଗ୍ରହଣ କରିଥିଲେ। ଏଥିପାଇଁ ସମୟ ଲାଗିଥିଲା, କିନ୍ତୁ ରାହୁଲ ବୁଝିଥିଲେ ଯେ ଗୋଟିଏ ପରିବର୍ତ୍ତନ ଅପରିହାର୍ଯ୍ୟ। ଆଇପିଏଲ ୨୦୨୫ରେ ନିଜ ପ୍ରଥମ ମ୍ୟାଚ୍ରେ ରାହୁଲ କେବଳ ୫ଟି ବଲ ସାମ୍ନା କରିଥିଲେ। ଏହି ୫ ବଲରେ ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଏହି ଶଟ ମଧ୍ୟ ଏମିତି ସେମିତ ନଥିଲା, ଏଥିରେ ଆକ୍ରମଣ ଓ ଟେକନିକର ଝଲକ ଦେଖାଯାଇଥିଲା। ଏହି ୫ ବଲ ବିଶିଷ୍ଟ ଇନିଂସ ବଳରେ ରାହୁଲ ପ୍ରତିପକ୍ଷ ଦଳଗୁଡ଼ିକୁ ଚେତାବନୀ ଦେଇଥିଲେ। ଆଗକୁ ବଡ଼ କିଛି ଘଟିବାର ସଙ୍କେତ ମଧ୍ୟ ମିଳିଥିଲା। ପରବର୍ତ୍ତୀ ମ୍ୟାଚ୍ରେ ରାହୁଲ ଚେନ୍ନାଇ ବିପକ୍ଷରେ ୭୭ ଓ ଆରସିବି ବିପକ୍ଷରେ ଅପରାଜିତ ୯୩ ରନର ଇନିଂସ ଖେଳି ଦଳକୁ ଜିତାଇଥିଲେ। ଆରସିବି ବିପକ୍ଷ ଇନିଂସ ପରେ ରାହୁଲ ନିଜ ବ୍ୟାଟକୁ ତଳେ ବାଡ଼େଇ ଏହା ମୋ ଗ୍ରାଉଣ୍ଡ ବୋଲି ଋଣହୁଙ୍କାର ବି ଦେଇଥିଲେ।
ରାହୁଲ ଏପରି କରି ସେ ଜଣେ ଯୋଦ୍ଧା ଓ ତାଙ୍କ ପାଖରେ ଏବେ ବି ବହୁତ କରିଛି ରହିଛି ବୋଲି ସମସ୍ତଙ୍କୁ ଜଣାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
