Advertisment

କେମିତି ବରୁଣ ଚକ୍ରବର୍ତ୍ତୀ ବନିଲେ ଭାରତର ‘ଏକ୍ସ’ ଫ୍ୟାକ୍ଟର୍‌?

ବରୁଣଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ତାଙ୍କ ପାଖରେ କେବଳ ପ୍ଲାନ ଏ ନଥାଏ। ସେ ସବୁବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ରଣନୀତି କରନ୍ତି। ବ୍ୟାଟର ବଲକୁ କେମିତି ସାମ୍ନା କରୁଛନ୍ତି, ତା’କୁ ନଜର ରଖି ସେ ରଣନୀତି ପ୍ରସ୍ତୁତ କରୁଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Varun

Varun

ଚାମ୍ପିୟନ୍ସ ଟ୍ରଫିରୁ ଯେତେବେଳେ ଯଶପ୍ରୀତ ବୁମ୍ରା ବାଦ ପଡ଼ିଲେ ସେତେବେଳେ ଭାରତୀୟ ବୋଲିଂ ଲାଇନ ଅଫରୁ ଏକ୍ସ ଫ୍ୟାକ୍ଟର ଗାଏବ ହୋଇଯାଇଥିଲା। ବୁମ୍ରାଙ୍କ ବିନା ଚାମ୍ପିୟନ୍ସ ଟ୍ରଫିରେ ଭାରତର ବୋଲିଂ ଲାଇନ ଅପ କେମିତି ସନ୍ତୁଳିତ ହେବ, ସେକଥା ସମସ୍ତଙ୍କୁ ଘାଇଲା କରିଥିଲା। ଦଳରେ ମହମ୍ମଦ ଶାମି ଥିଲେ ହେଁ ସେ ଆହତ ସମସ୍ୟାରୁ ଫେରିଥିଲେ। ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରିବା ମୁଡରେ ମଧ୍ୟ ଟିମ ମ୍ୟାନେଜମେଣ୍ଟ ନଥିଲା।

Advertisment

ଏହି ସମୟରେ ଟିମ ମ୍ୟାନେଜମେଣ୍ଟ ଓ ଚୟନ କମିଟି ଚମତ୍କାର କାମ କରିଥିଲା। ଚାମ୍ପିୟନ୍ସ ଟ୍ରଫିର ୧୫ ଜଣିଆ ସ୍କ୍ୱାଡରେ ୫ମ ସ୍ପିନର ଭାବେ ରହସ୍ୟମୟ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଥିଲା। ଏହି ଯୋଜନାରେ ବେଶ ରିସ୍କ ମଧ୍ୟ ରହିଥିଲା। କାରଣ ବରୁଣ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କେବଳ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ବାରବାଟୀ ଦିନିକିଆରେ ସେ ଡେବ୍ୟୁ କରିଥିଲେ। ତଥାପି ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ରଖାଯାଇଥିଲା।

ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ବରୁଣ ରହିଥିଲେ ହେଁ ବାଂଲାଦେଶ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳି ନଥିଲେ। ଭାରତ ଉଭୟ ମ୍ୟାଚକୁ ମଧ୍ୟ ଜିତିଥିଲା। ବାଂଲାଦେଶ ଓ ପାକିସ୍ତାନ ବ୍ୟାଟର ସାମାନ୍ୟ ଭଲ ଭାବେ ବରୁଣଙ୍କୁ ପଢ଼ି ଦେବାର ଆଶଙ୍କା ଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖାଯାଇ ନଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଗ୍ରୁପ ପର୍ଯ୍ୟାୟରେ ବରୁଣଙ୍କ ପଦାର୍ପଣ ହୋଇଥିଲା। ହର୍ଷିତ ରାଣାଙ୍କ ବଦଳରେ ସେ ୪ର୍ଥ ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ।

Advertisment

୩୩ ବର୍ଷୀୟ ବରୁଣ ନିଜର ପଦାର୍ପଣ ଆଇସିସି ମ୍ୟାଚ୍‌ରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ଫିଙ୍ଗର ସ୍ପିନରଙ୍କୁ ଭଲ ଭାବେ ଖେଳିପାରେ। ଦଳ କିଛି ମାସ ତଳେ ଭାରତ ଆସିଥିବା ବେଳେ ଫିଙ୍ଗର ସ୍ପିନରଙ୍କୁ ଟେଷ୍ଟ ସିରିଜରେ ଦମଦାର ଢଙ୍ଗରେ ଖେଳିଥିଲା। ଭାରତକୁ ନିଜ ମାଟିରେ ୩-୦ରେ ମାତ ଦେଇଥିଲା। ତଥାପି କ୍ୱିୱି ଟିମକୁ ବରୁଣ ନିଜର ଜାଲରେ ଫସାଇ ଦେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ବରୁଣ ଗୁରୁତ୍ୱପୂର୍ଣ୍ଣ ଟ୍ରାଭିସ ହେଡଙ୍କ ୱିକେଟ ଦଖଲ କରି ନିଜ ଦକ୍ଷତା ଦେଖାଇଥିଲେ। ବରୁଣଙ୍କ ଭୟ ଫାଇନାଲରେ ମଧ୍ୟ କ୍ୱିୱି ଟିମ ଉପରେ ଦେଖିବାକୁ ମିଳିଥିଲା। ଏହାର ଫାଇଦା ଅନ୍ୟ ଭାରତୀୟ ସ୍ପିନରଙ୍କୁ ମିଳିଥିଲା। ବରୁଣ ନିଜର ପ୍ରଭାବ ଏତେ ମାତ୍ରାରେ ଦେଖାଇଥିଲେ ଯେ ତାଙ୍କୁ ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ମୋଡରେ ରୋହିତ ଶର୍ମା ବ୍ୟବହାର କରିଥିଲେ। ଫାଇନାଲ ଜିତିବା ପରେ ରୋହିତ ଟ୍ରଫି ଉଠାଇବା ପୂର୍ବରୁ ବରୁଣଙ୍କୁ ଖୁବ ପ୍ରଶଂସା କରିବାକୁ ଭୁଲି ନଥିଲେ। ବରୁଣଙ୍କ ଉପସ୍ଥିତି ଟିମରେ କିଛି ଭିନ୍ନତା ସୃଷ୍ଟି କରିଥିଲା ବୋଲି ସେ କହିଥିଲେ।

ବରୁଣ ଓ ଶାମି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ବନିଛନ୍ତି। ଶାମି ୫ ମ୍ୟାଚ୍‌ରେ ୯ ୱିକେଟ ନେଇଥିବା ବେଳେ ବରୁଣ ୩ଟି ମ୍ୟାଚ୍‌ରେ ସମାନ ସଂଖ୍ୟକ ୱିକେଟ ପାଇଛନ୍ତି। ତାଙ୍କ ବୋଲିଂ ଷ୍ଟ୍ରାଇକ ରେଟ ୨୦ ରହିଥିବା ବେଳେ ଇକୋନୋମି ମାତ୍ର ୪.୫୩ ରହିଛି। ବରୁଣଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ କୋଚିଂ ଟିମ ବେଶ ଆଶ୍ୱସ୍ତର ସହ ଦୁବାଇ ପିଚ୍‌ରେ ମାତ୍ର ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବାର ସ୍ୱାଧୀନତା ମଧ୍ୟ ପାଇଥିଲା।

ବର୍ତ୍ତମାନ ବରୁଣ ପୂରା ଦେଶରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ୫୦ ଓଭର ଫର୍ମାଟରେ ତାଙ୍କ ସ୍ଥାନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ବରୁଣ କ୍ରମାଗତ ୱିକେଟ ନେବାରୁ ତାଙ୍କ ନାଁ ଦିନିକିଆ ଫର୍ମାଟ ପାଇଁ ବିଚାରକୁ ନିଆଯାଇଥିଲା।

ଟି-୨୦ରେ ଜଲୱା ଦେଖାଇଥିବା ବରୁଣଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ ଜାତୀୟ ଚୟନ କମିଟିର ଜଣେ ସଦସ୍ୟ ତାମିଲନାଡୁ ଗସ୍ତ କରିଥିଲେ। ସେଠାରେ ବରୁଣ ଖେଳୁଥିବା ବିଜୟ ହଜାରେ ଟ୍ରଫିର ମ୍ୟାଚ୍‌କୁ ସେ ଦେଖିଥିଲେ। ବରୁଣ ମଧ୍ୟ କାହାକୁ ନିରାଶ କରି ନଥିଲେ। ସେ ୧୮ଟି ୱିକେଟ ନେଇ ନିଜର ଦବଦବା ଦେଖାଇଥିଲେ। ଚୟନକର୍ତ୍ତା ସେହି ଠାରେ ହିଁ ବିଶ୍ୱାସ କରିଥିଲେ ଯେ ଯଦି ବୁମ୍ରା ନାହାନ୍ତି, ତା’ହେଲେ ବରୁଣ ହିଁ ବନିବେ ଭାରତର ଏକ୍ସ ପ୍ୟାକ୍ଟର।”

ବରୁଣଙ୍କ ବ୍ୟକ୍ତିଗତ କୋଚ ଏସି ପ୍ରତିବାନଙ୍କ କହିବା କଥା ଯେ ମାନସିକ ସ୍ଥିରତା ଓ ଅସାଧାରଣ ଯୋଜନା ଯୋଗୁ ବରୁଣଙ୍କ ବୋଲିଂରେ ଉନ୍ନତି ହୋଇଛି। ସେ କହିଛନ୍ତି, “ମାନସିକ ଭାବେ ବରୁଣ ଗୋଟିଏ ଭିନ୍ନ ସ୍ତରରେ ରୁହନ୍ତି। ଏହା ଉପରେ ସେ ସବୁବେଳେ କାମ କରନ୍ତି। ବିଭିନ୍ନ କାରଣ ପାଇଁ ସେ କିଛି ଦିନ ନିଜ ପ୍ରଦର୍ଶନରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ସେ ସବୁ କିଛିକୁ ସାମ୍ନା କରିବାକୁ ପ୍ରସ୍ତୁତ। ସେ ଅନେକ ପରିମାଣର ସାହାସ ଦେଖାଇଛନ୍ତି।

ଗତଥର ଯେତେବେଳେ ବରୁଣ ଦୁବାଇ ଯାଇଥିଲେ ସେତେବେଳେ ସ୍ଥିତି କିଛି ଭିନ୍ନ ରହିଥିଲା। ଗତଥର ଅର୍ଥାତ ୨୦୨୧ ଟି-୨୦ ବିଶ୍ୱକପ ବେଳେ ଯାହା ଘଟିଥିଲା ସେକଥା ଭାବି ଏଥର ଦୁବାଇ ଯାତ୍ରା କରିବା କୌଣସି ଦୁଃସ୍ୱପ୍ନ ଠାରୁ କମ ନଥିଲା। କିନ୍ତୁ ସେ ନିଜ ବଳିଷ୍ଠତା ଦେଖାଇ ଟିମରେ ସ୍ଥାନ ପାଇଥିଲେ ଓ ବିଜୟରେ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି। ବରୁଣଙ୍କ ପ୍ରଦର୍ଶନ ପଛରେ ଜାତୀୟ ଟିମର ଆସିସଷ୍ଟାଣ୍ଟ କୋଚ ଅଭିଷେକ ନାୟର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଓ ଭାରତୀୟ ଟିମରେ ଅଭିଷେକ ହିଁ ବରୁଣଙ୍କ ପାଖରେ ରହିଥିଲେ।”

ବରୁଣଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ତାଙ୍କ ପାଖରେ କେବଳ ପ୍ଲାନ ଏ ନଥାଏ। ସେ ସବୁବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ରଣନୀତି କରନ୍ତି। ବ୍ୟାଟର ବଲକୁ କେମିତି ସାମ୍ନା କରୁଛନ୍ତି, ତା’କୁ ନଜର ରଖି ସେ ରଣନୀତି ପ୍ରସ୍ତୁତ କରୁଥିଲେ। ବରୁଣ ସବୁବେଳେ କେମିତି ନିଜ ବୋଲିଂରେ କିଛି ନୂଆ କରିପାରିବେ, ସେ ଚିନ୍ତା କରନ୍ତି। ଚାମ୍ପିୟନ୍ସ ଟ୍ରଫିରେ ବରୁଣଙ୍କ ଏହି ରଣନୀତି ଭାରତ ପାଇଁ ଏକ୍ସ ପ୍ୟାକ୍ଟର ସାବ୍ୟସ୍ତ ହୋଇଛି।

ଚାମ୍ପିୟନ୍ସ ଟ୍ରଫିରେ ଭାରତର ସ୍ପିନ ଲହର

ଆଇସିସିର କୌଣସି ଦିନିକିଆରେ ସର୍ବାଧିକ ଓଭର ସ୍ପିନରମାନେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପକାଇଛନ୍ତି। ୭୩ ଓଭର ଉଭୟ ଦେଶର ସ୍ପିନରମାନେ ବୋଲିଂ କରିଥିଲେ। ଭାରତ ୩୮ ଓଭର ସ୍ପିନର ମାନଙ୍କ ଦ୍ୱାରା ପକାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୩୫ ଓଭର ବୋଲିଂ କରାଯାଇଥିଲା।

ଏହାପୂର୍ବରୁ କୌଣସି ଆଇସିସି ଦିନିକିଆରେ ସର୍ବାଧିକ ସ୍ପିନ ଓଭର ଚାମ୍ପିୟନ୍ସ ଟ୍ରଫିର ମାର୍ଚ୍ଚ ୪ ତାରିଖ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ସେମିରେ ଦେଖାଯାଇଥିଲା। ଉଭୟ ଦେଶ ମୋଟ ୬୬.୧ ଓଭର ସ୍ପିନ ବୋଲରଙ୍କ ଦ୍ୱାରା କରାଇଥିଲେ।

ତାଲିକାର ତୃତୀୟ ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ୨୦୧୯ ଜୁନ ୨୯ରେ ଲିଡ୍ସରେ ହୋଇଥିବା ବିଶ୍ୱକପ ମ୍ୟାଚ୍ ରହିଛି। ଏହି ମ୍ୟାଚ୍‌ରେ ଉଭୟ ଦଳର ସ୍ପିନରମାନେ ମୋଟ ୬୦ ଓଭର ବୋଲିଂ କରିଥିଲେ।

Team India Champions Trophy Varun Chakaravarthy