Advertisment

ବାଉଣ୍ଡରୀ କ୍ୟାଚ୍‌ ନିୟମରେ ବଡ଼ ପରିବର୍ତ୍ତନ

୨୦୨୩ ବିବିଏଲ ସମୟରେ ମାଇକେଲ ନେସେର ଓ ୨୦୨୦ରେ ମ୍ୟାଟ ରେନଶଙ୍କ ସହାୟତାରେ ଟମ ବାଣ୍ଟନ ଧରିଥିବା ଆଶ୍ଚର୍ଯ୍ୟ କରିବା କ୍ୟାଚ୍‌ ନୂଆ ନିୟମ ଲାଗୁ ହେବା ମାତ୍ରେ ବୈଧ ବିବେଚିତ ହେବନାହିଁ।

author-image
Hemant Lenka
Catch

Catch

କ୍ରିକେଟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ବାଉଣ୍ଡରୀ ନିକଟରେ ଫିଲ୍ଡରମାନେ ଧରୁଥିବା କ୍ୟାଚ୍‌ରେ ବଡ଼ ସଂଶୋଧନ କରାଯାଇଛି। ବନ୍ନି ହୋପ୍ସ ବା ମାଟିରୁ ଉପରେ ରହି ବା ଉଡ଼ନ୍ତା ଅବସ୍ଥାରେ ଏକାଧିକ ଥର ବଲକୁ ବାଉଣ୍ଡରୀ ବାହାରେ ସ୍ପର୍ଶ କରିବା ପରେ କ୍ୟାଚ୍‌କୁ ପୂର୍ଣ୍ଣ କରିବା ଏଣିକି ବେଆଇନ। ଏପରି କ୍ୟାଚ୍‌ ବଳରେ ଆଉ ବ୍ୟାଟର ଆଉଟ ହେବେ ନାହିଁ। ପୂର୍ବରୁ ବାଉଣ୍ଡରୀ ବାହାରେ ଖେଳାଳିମାନେ ବଲକୁ ଉଡ଼ାନ୍ତା ଅବସ୍ଥାରେ ଧକ୍କା ଦେଇ ଫିଲ୍ଡ ଭିତରକୁ ପଠାଉଥିଲେ ଓ ଏହାକୁ କ୍ୟାଚ୍‌ କରିବା ପରେ ବ୍ୟାଟରଙ୍କୁ ଆଉଟ ଘୋଷଣା କରାଯାଉଥିଲା।

Advertisment

କିନ୍ତୁ ଏଣିକି ଆଉ ଏପରି କ୍ୟାଚ୍‌କୁ ବୈଧ ବୋଲି ଧରା ଯିବ ନାହିଁ। କ୍ରିକେଟର ନିୟମ ପ୍ରଣୟନ କରୁଥିବା ଏମସିସି ପକ୍ଷରୁ ଏହାକୁ ବେଆଇନ ବୋଲି ଦର୍ଶାଯାଇଛି। ଚଳିତ ମାସରୁ ଆଇସିସିର ପ୍ଲେଇଂ କଣ୍ଡିସନରେ ଏହି ନିୟମକୁ ସାମିଲ କରାଯିବ ଓ ଏମସିସି ଆଇନ ବହିରେ ଆସନ୍ତା ବର୍ଷ ଅକ୍ଟୋବର ମାସରୁ ଏହାକୁ ବିଧିବଦ୍ଧ ଭାବେ ଉଲ୍ଲେଖ କରାଯିବ।

୨୦୨୩ ବିବିଏଲ ସମୟରେ ମାଇକେଲ ନେସେର ଓ ୨୦୨୦ରେ ମ୍ୟାଟ ରେନଶଙ୍କ ସହାୟତାରେ ଟମ ବାଣ୍ଟନ ଧରିଥିବା ଆଶ୍ଚର୍ଯ୍ୟ କରିବା କ୍ୟାଚ୍‌ ନୂଆ ନିୟମ ଲାଗୁ ହେବା ମାତ୍ରେ ବୈଧ ବିବେଚିତ ହେବନାହିଁ।

Advertisment

ଏମସିସି ପକ୍ଷରୁ ଆଇସିସିର ସଦସ୍ୟ ରାଷ୍ଟ୍ରମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଏମିତି ଅନେକ ଚମତ୍କାର କ୍ୟାଚ୍‌ ରହିଛି, ଯାହାକୁ ପୂର୍ବରୁ କ୍ରିକେଟରେ ଅନୁମତି ଦିଆଯାଉଥିଲା। କିନ୍ତୁ କ୍ରିକେଟ ସହ ଜଡ଼ିତ ଅଧିକାଂଶ ଲୋକ ଏହାକୁ ଅନ୍ୟାୟ ବା ବେଆଇନ ବୋଲି କହିଛନ୍ତି। ୨୦୨୩ ବିବିଏଲରେ ବ୍ରିସବେନ ହିଟ ପାଇଁ ମାଇକେଲ ନେସେର ଧରିଥିବା କ୍ୟାଚ୍‌ ଯୋଗୁ ଜୋର୍ଡାନ ସ୍ଲିକ ଆଉଟ ହୋଇଥିଲେ।

ଏହାକୁ ଏମସିସି ବୁଝାଇବାକୁ ଯାଇ କହିଛି ଯେ ଫିଲ୍ଡର ବାଉଣ୍ଡରୀ ଭିତରେ ବଲକୁ କ୍ୟାଚ୍‌ କରିବା ପୂର୍ବରୁ ଏକାଧିକ ଥର ଉଡ଼ାନ୍ତ ଅବସ୍ଥାରେ ଏହାକୁ ସ୍ପର୍ଶ କରିଥିଲେ। ସେତେବେଳେ ନିୟମ ଅନୁସାରେ ଏହାକୁ ବୈଧ ବିବେଚନା କରାଯାଇଥିଲା। କିନ୍ତୁ ଫିଲ୍ଡର ଅନେକ ସୀମା ପାର କରି ଯାଇଥିବା ଏବେ ଅନୁଭବ ହେଉଛି।

ତେଣୁ ପ୍ରଚଳିତ ନିୟମରେ ପରିବର୍ତ୍ତନ କରାଯାଉଛି। ଏମସିସି ସ୍ପଷ୍ଟ କରିଛି ଯେ ଏଣିକି ଯଦି କୌଣସି ଫିଲ୍ଡର ଦ୍ୱିତୀୟ ଥର ପାଇଁ ବଲକୁ ସ୍ପର୍ଶ କରୁଛନ୍ତି, ତା’ହେଲେ ଏହା ବାଉଣ୍ଡରୀ ଭିତରେ ହେବା ଦରକାର। ଯଦି ସେ ବାଉଣ୍ଡରୀ ବାହାରେ ଥାଇ ଉଡ଼ନ୍ତା ଅବସ୍ଥାରେ ଭଲକୁ ଦ୍ୱିତୀୟ ଥର ପାଇଁ ସ୍ପର୍ଶ କରିବେ, ତା’ହେଲେ ଏହାକୁ ଛକା ଭାବେ ବିବେଚନା କରାଯିବ।

ଏମସିସି ବାଉଣ୍ଡରୀ ବାହାରେ ହେଉଥିବା ଏକାଧିକ ଜମ୍ପ ନିୟମକୁ ଉଠାଇ ଦେଇଛି ସତ , କିନ୍ତୁ ଯଦି କୌଣସି ଖେଳାଳି ବାଉଣ୍ଡରୀ ଭିତରେ ରହି ବାହାରକୁ ଯାଉଥିବା ବଲକୁ ଠେଲି ଦେଉଛନ୍ତି, ତା’ହେଲେ ବାଉଣ୍ଡରୀ ବାହାରେ ଗୋଡ଼ ରଖି ପୁଣି ଭିତରୁ ଡାଇଭ ଲଗାଇ ବଲକୁ କ୍ୟାଚ୍‌ କରୁଛନ୍ତି, ତା’ହେଲେ ଏହାକୁ ଆଉଟ ବୋଲି ଧରାଯିବ। ନୂଆ ନିୟମରେ ଏହାର ଅନୁମତି ରହିଛି। ବାଉଣ୍ଡରୀ ବାହାରକୁ ଯାଇ ଉଡ଼ନ୍ତା ଅବସ୍ଥାରେ ବଲକୁ ଭିତରକୁ ଠେଲି ପୁଣି କ୍ୟାଚ୍‌ କରୁଥିବା ନିୟମକୁ ଆମେ ହଟାଇବାକୁ ଚେଷ୍ଟା କରିଛୁ।

ଏହି ନିୟମ ରିଲେ କ୍ୟାଚ୍‌ ବେଳେ ମଧ୍ୟ ଲାଗୁ ହେବ। ଯଦି କୌଣସି ଫିଲ୍ଡର ବାଉଣ୍ଡରୀ ବାହାରେ ଉଡ଼ନ୍ତା ଅବସ୍ଥାରେ ରହି ବଲକୁ ଭିତରକୁ ପକାଉଛନ୍ତି ଓ ସାଥୀ ଖେଳାଳି କ୍ୟାଚ୍‌ ଶେଷ କରିବା ପୂର୍ବରୁ ସେ ଭିତରକୁ ଆସି ପାରୁ ନାହାନ୍ତି, ତା’ହେଲେ ଏହାକୁ ଚୌକା କିମ୍ବା ଛକା ଭାବେ ବିବେଚନା କରାଯିବ। ଗୋଟିଏ ଅର୍ଥରେ କହିବାକୁ ଗଲେ ଫିଲ୍ଡରମାନଙ୍କ ପାଖରେ ଗୋଟିଏ ସୁଯୋଗ ରହିବ।

ସେମାନେ ବାଉଣ୍ଡରୀ ବାହାରକୁ ଜମ୍ପ କରି କେବଳ ଗୋଟିଏ ଥର ବଲକୁ ସ୍ପର୍ଶ କରିପାରିବେ। ଏହାପରେ ବାଉଣ୍ଡରୀ ଗୋଟିଏ ହାର୍ଡ ଲାଇନରେ ପରିଣତ ହୋଇଯିବ। ଏହି ନିୟମ ଜୁନ ୧୭ରୁ ଲାଗୁ ହେବ। ଜୁନ ୧୭ରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨୦୨୫-୧୭ ସାଇକେଲ ଶ୍ରୀଲଙ୍କା-ବାଂଲାଦେଶ ଲଢ଼େଇରୁ ଆରମ୍ଭ ହେବ। ଏହି ନିୟମ ସେବେ ଠାରୁ ଲାଗୁ ହେବ ବୋଲି ଏମସିସି ସ୍ପଷ୍ଟ କରିଛି।

Cricket ICC MCC