/odisha-reporter/media/post_attachments/uploadimage/library/16_9/16_9_0/IPL_1710761182.jpg)
IPL
ଆଗାମୀ ଆଇପିଏଲ ପୂର୍ବରୁ ମୁଖ୍ୟ କୋଚ୍ ମାର୍କ ବାଉଚରଙ୍କ ସହ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟରୁ ଟ୍ରେଡ ନିୟମ ଜରିଆରେ ଆଣିଥିଲା। ଏହାପରେ ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଛି। ଏହାକୁ ନେଇ ରୋହିତଙ୍କ ଫ୍ୟାନ୍ସ ଖପ୍ପା ହୋଇଛନ୍ତି। ପାଣ୍ଡ୍ୟାଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି।
ହେଲେ ପାଣ୍ଡ୍ୟା ଆଜି ରୋହିତ ଶର୍ମାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କ ହାତ ତାଙ୍କ କାନ୍ଧ ଉପରେ ରହିବ ବୋଲି ପାଣ୍ଡ୍ୟା କହିଛନ୍ତି। ୨୦୧୫ରେ ମୁମ୍ବାଇ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ ପାଣ୍ଡ୍ୟା। ଆଇପିଏଲ ବଳରେ ପାଣ୍ଡ୍ୟା ଭାରତୀୟ କ୍ରିକେଟକୁ ଆସିଥିଲେ। ଯେଉଁ ମୁମ୍ବାଇ ତାଙ୍କୁ ସୁଯୋଗ ଦେଇଥିଲା, ଏବେ ସେହି ପ୍ରାଞ୍ଚାଇଜର ନେତୃତ୍ୱ ସେ ନେବାକୁ ଯାଉଛନ୍ତି।
ପାଣ୍ଡ୍ୟା ଏ ସମ୍ପର୍କରେ କହିଛନ୍ତି, “ଅତି ଚମତ୍କାର ଲାଗୁଛି। ମୋ କ୍ରିକେଟ ଯାତ୍ରା ଏହି ଠାରୁ ଆରମ୍ଭ ହୋଇଥିଲା। ଏହାକୁ ୧୦ ବର୍ଷ ବିତି ଗଲାଣି। ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇବି ବୋଲି କେବେ ଭାବି ନଥିଲି। ଏହା ବହୁତ ଆନନ୍ଦ ଦେଉଛି।”
୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟା ଯୋଗ ଦେବା ପରେ ଦଳ ୪ ଥର ଚାମ୍ପିୟନ ହୋଇଛି। ୨୦୨୨ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ପ୍ରଥମ ସଂସ୍କରଣରେ ହିଁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟ୍ରଫି ଜିତିଥିଲା।
ଏବେ ୨୦୨୪ରେ ପୁଣି ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି। ପାଣ୍ଡ୍ୟା କହିଛନ୍ତି, “ସଫଳତାରେ ମୁଁ ଅଧିକ ଉତ୍ସାହିତ ହୁଏ ନାହିଁ କିମ୍ବା ବିଫଳତା ବେଳେ ହତୋତ୍ସାହିତ ହୁଏ ନାହିଁ। ଏହା ମୋର ନୀତି। ଏହା ମୋତେ ମୋ କ୍ୟାରିୟରରେ ଅନେକ ସହାୟତା କରିଛି। କ୍ୟାପ୍ଟେନ୍ସି କରିବାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ରୋହିତ ଶର୍ମା ସେଠାରେ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ।
ଯଦି ଦରକାର ପଡ଼ିଲା, ସେ ମୋତେ ସାହାଯ୍ୟ କରିବେ। ସମାନ ସମୟରେ ସେ ଭାରତର ଅଧିନାୟକ ଭାବେ ମୋତେ ଅନେକ ଥର ସହଯୋଗ କରିଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଅନେକ ସଫଳତା ପାଇଛି। ଏବେ ସେହି ସଫଳତାକୁ ମୁଁ ଆଗକୁ ନେବି। ସେ ଯାହା ଆରମ୍ଭ କରିଥିଲେ, ସେହି ରାସ୍ତାରେ ବଢ଼ିବି। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
