Advertisment

ଇବ୍ରାହିମଙ୍କ ଶତକ ଓ ରାଶିଦଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆକୁ ୨୯୨ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ

ଆଫଗାନିସ୍ତାନ ପାଇଁ ଇବ୍ରାହିମ ଅପରାଜିତ ୧୨୯ ରନର ଇନିଂସ ଖେଳିଥିବା ବେଳେ ରାଶିଦ ଖାନ ଶେଷ ଭାଗରେ ବିସ୍ଫୋରକ ୩୫ ରନ କରିଛନ୍ତି। ଇବ୍ରାହିମ ଆଜି ତାଙ୍କ ଦିନିକିଆ କ୍ୟାରିୟର୍‌ରେ ପ୍ରଥମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

author-image
Hemant Lenka
AFG

AFG

ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ପାଇଁ ପ୍ରଥମ ଶତକ ହାସଲ କରିଛନ୍ତି ଓପନର ଇବ୍ରାହିମ ଜଦ୍ରାନ। ତାଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ମଷ୍ଟୱିନ ଗେମ୍‌ରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୨୯୧ ରନ କରିଛି। ଫଳରେ ସେମି ଫାଇନାଲ ଟିକେଟ ପାଇଁ କଙ୍ଗାରୁ ଟିମକୁ ୨୯୨ ରନ ଟାର୍ଗେଟ ମିଳିଛି।

Advertisment

ଆଫଗାନିସ୍ତାନ ପାଇଁ ଇବ୍ରାହିମ ଅପରାଜିତ ୧୨୯ ରନର ଇନିଂସ ଖେଳିଥିବା ବେଳେ ରାଶିଦ ଖାନ ଶେଷ ଭାଗରେ ବିସ୍ଫୋରକ ୩୫ ରନ କରିଛନ୍ତି। ଇବ୍ରାହିମ ଆଜି ତାଙ୍କ ଦିନିକିଆ କ୍ୟାରିୟର୍‌ରେ ପ୍ରଥମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଆଫଗାନିସ୍ତାନ ଆଜିର ମ୍ୟାଚ୍‌ ଜିତିଲେ ନିଜର ସେମି ଫାଇନାଲ ଖେଳିବା ଆଶାକୁ ଆହୁରି ଦୃଢ଼ କରିବ।

ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପାଇଁ ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଠିକଠାକ ଆରମ୍ଭ କରିଥିଲେ।

Advertisment

୮ ଓଭର ସୁଦ୍ଧା ସେମାନେ ଦଳୀୟ ସ୍କୋରକୁ ୩୮ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ୨୧ ରନ କରିଥିବା ଗୁରବାଜଙ୍କୁ ଆଉଟ କରି ହେଜେଲଉଡ ଆଫଗାନକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ଇବ୍ରାହିମ ଓ ଇନ ଫର୍ମ ରହମତ ଶାହ ସ୍ଥିତି ସମ୍ଭାଳିଥିଲେ। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୩୮ରୁ ନେଇ ୧୨୧ରେ ପହଞ୍ଚାଇ ଦେଇଥିଲେ। ଇବ୍ରାହିମ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ରହମତ ଶାହ ବଡ଼ ଶଟ ଖେଳିବା ଲୋଭରେ ଗ୍ଲେନ ମ୍ୟାକ୍ସୱେଲଙ୍କ ବଲରେ ବାଉଣ୍ଡରୀ ପାଖରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ରହମତ ଶାହ ଆଜି ୩୦ ରନ କରିଛନ୍ତି।

ତାଙ୍କ ପରେ ଇବ୍ରାହିମଙ୍କୁ ସାଥ ଦେବାକୁ ଆସିଥିଲେ ଅଧିନାୟକ ଶାହିଦ। ସେ ତୃତୀୟ ୱିକେଟ ପାଇଁ ଇବ୍ରାହିମଙ୍କ ସହ ମିଶି ୫୨ ରନ ଯୋଡ଼ିଥିଲେ। ତେବେ ବ୍ୟକ୍ତିଗତ ୨୬ ରନ କରି ଶାହିଦ ପ୍ୟାଭିଲିୟନ ଫେରିଥିଲେ।

୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଜମତୁଲ୍ଲା ଓମରଜାଇ କିଛି ବଡ଼ ଶଟ ଖେଳିଥିଲେ। ସେ ୧୮ ବଲରେ ୨୨ ରନ କରିଥିବା ବେଳେ ତାଙ୍କୁ ଆଡମା ଜାମ୍ପା ଆଉଟ କରି ଆଫଗାନିସ୍ତାନକୁ ୫ ଝଟକା ଦେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଇବ୍ରାହିମ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ଆଡ଼କୁ ବଢ଼ିଥିଲେ। ଶେଷରେ ସେ ନିଜର ପ୍ରଥମ ଶତକ ହାସଲ କରିଥିଲେ।

୧୩୧ ବଲରେ ଶତକ ହାସଲ କରିବା ପରେ ଇବ୍ରାହିମ କିଛି ବଡ଼ ଶଟ ଖେଳିଥିଲେ। ତାଙ୍କୁ ମହମ୍ମଦ ନବି(୧୦ ବଲରେ ୧୨ ରନ) କିଛି ସମୟ ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୨୩୩ ଥିବା ବେଳେ ହେଜେଲଉଡ ବେଶ ଚମତ୍କାର ଢଙ୍ଗରେ ନବିଙ୍କୁ ବୋଲ୍ଡ କରି ଦେଇଥିଲେ।

ତେବେ ରାଶିଦ ଖାନ କ୍ରିଜ୍‌କୁ ଆସିବା କ୍ଷଣି ଆଫଗାନିସ୍ତାନର ରନ ସଂଗ୍ରହ ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲେ। ସେ ମ୍ୟାକ୍ସୱେଲଙ୍କୁ ଛକା ଓ ଚୌକା ମାରି ଦଳୀୟ ସ୍କୋରକୁ ୨୫୦ ପାର କରାଇ ଥିଲେ।

୪୭ ଓଭର ସୁଦ୍ଧା ଆଫଗାନିସ୍ତାନ ୫ ୱିକେଟ ହରାଇ ୨୫୨ ରନ କରି ନେଇଥିଲା। ୪୮ମ ଓଭର ବୋଲିଂ କରିବାକୁ ଆସିଥିଲେ ମିଚେଲ ଷ୍ଟାର୍କ। ପ୍ରଥମ ବଲରେ ରାଶିଦ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ କିନ୍ତୁ ଇବ୍ରାହିମ ଛକା ମାରିଥିଲେ। ଏହି ଓଭରରୁ ଆଫଗାନିସ୍ତାନକୁ ୯ ରନ ମିଳିଥିଲା। 

୪୯ତମ ଓଭର ବୋଲିଂରେ କରିଥିଲେ ନିଜେ ଅଧିନାୟକ ପାଟ କମିନ୍ସ। ତାଙ୍କର ପ୍ରଥମ ବଲରେ କୌଣସି ରନ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ ବଲରେ ରାଶିଦ ୧ ରନ ନେଇ ଇବ୍ରାହିମଙ୍କୁ ଷ୍ଟ୍ରାଇକ ଦେଇଥିଲେ। ତୃତୀୟ ବଲକୁ ଇବ୍ରାହିମ ଜୋରରେ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ବ୍ୟାଟରେ ଏହା ଆଦୌ ଟଚ୍ ହୋଇ ନଥିଲା। କିନ୍ତୁ ୪ର୍ଥ ବଲକୁ ସେ ବାଉଣ୍ଡରୀ ବାହାରକୁ ମାରି ଛକା ଆଦାୟ କରିଥିଲେ। ସେ ୫ମ ବଲରେ ପୁଣି ଗୋଟିଏ ଚୌକା ମାରିଥିଲେ। କମିନ୍ସ ଏହାପରେ ଗୋଟିଏ ୱାଇଡ ପକାଇଥିଲେ। ଶେଷ ବଲରୁ ପୁଣି ୨ ରନ ମିଳିଥିଲା। ଏହି ଓଭର୍‌ରେ ଆଫଗାନ ୧୪ ରନ ଆଦାୟ କାରି ଦଳୀୟ ସ୍କୋରକୁ ୨୭୫ ରନରେ ପହଞ୍ଚାଇ ଦେଇଥିଳେ। 

୫୦ତମ ଓଭରର ପ୍ରଥମ ବଲରେ ମିଚେଲ ଷ୍ଟାର୍କଙ୍କୁ ରାଶିଦ ଖାନ ଚୌକା ମାରିଥିଲେ। ଦ୍ୱିତୀୟ ବଲରୁ ତାଙ୍କୁ କୌଣସି ରନ ମିଳି ନଥିଲା। ତୃତୀୟ ବଲରେ ସେ ପୁଣି ଗୋଟିଏ ବଡ଼ ଛକା ମାରିଥିଲେ। ୪ର୍ଥ ବଲ ପୁଣି ଡଟ୍‌ ହୋଇଥିଲା। ୫ ବଲରେ ସେ ଷ୍ଟାର୍କଙ୍କୁ ଆଉ ଏକ ଛକା ମାରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୨୯୧ ରନରେ ପହଞ୍ଚାଇ ଦେଇଥିଲେ। ତେବେ ଶେଷ ବଲରେ କୌଣସି ରନ ଆଫଗାନିସ୍ତାନକୁ ମିଳି ନଥିଲା। ଏହି ଓଭରରେ ରାଶିଦ ଖାନ ମୋଟ ୨ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। 

ଇବ୍ରାହିମ ଶେଷ ଯାଏ ୧୨୯ ଓ ରାଶିଦ ଖାନ ୧୮ ବଲରେ ବିସ୍ଫୋରକ ୩୫ ରନ କରି ଅପରାଜିତ ରହିଥିଲେ। ଇବ୍ରାହିମ ତାଙ୍କ ଇଂନିସରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ରାଶିଦଙ୍କ ବ୍ୟାଟରୁ ୩ଟି ଛକା ଓ ୨ଟି ଚୌକା ଦେଖିବାକୁ ମିଳିଛି।   

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup