ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟି-୨୦ ସିରିଜ ରବିବାର ଶେଷ ହୋଇଛି। ଭାରତ ଏହି ସିରିଜକୁ ୪-୧ରେ ଜିତି ନେଇଛି। ଶେଷ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ରେକର୍ଡ ୫୪ ବଲରେ ୧୩୫ ରନର ଇନିଂସ ଯୋଗୁ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ କେବଳ ୧୦.୩ ଓଭରରେ ୯୭ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତୀୟ ଟିମ ୪-୧ରେ ସିରିଜ ଜିତିଥିଲେ ହେଁ ପୁଣେରେ ଖେଳା ଯାଇଥିବା ୪ର୍ଥ ଟି-୨୦କୁ ନେଇ ବିବାଦ ଦେଖାଯାଇଛି।
ପୁନେରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟି-୨୦ରେ ଭାରତୀୟ ଟିମର ଦ୍ରୁତ ବୋଲର ହର୍ଷିତ ରାଣା ବେଶ ଚର୍ଚ୍ଚାରେ ରହିଥିଲେ। ହର୍ଷିତ ନିଜର ଦମଦାର ବୋଲିଂ ବଳରେ ଇଂଲଣ୍ଡର ୩ଟି ୱିକେଟ୍ ନେଇ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଇଥିଲେ। କିନ୍ତୁ ହର୍ଷିତ ରାଣା ଏହି ମ୍ୟାଚ୍ ଆରମ୍ଭରୁ ଚୂଡ଼ାନ୍ତ ଏକାଦଶରେ ନଥିଲେ। ମ୍ୟାଚ୍ ମଝିରେ ଶିବମ୍ ଦୁବେଙ୍କ ସ୍ଥାନରେ ତାଙ୍କୁ କନଙ୍କସନ ସବଷ୍ଟିଚ୍ୟୁଟ ବା ବଦଳ ଖେଳାଳି ନିୟମ ଆଧାରରେ ତାଙ୍କୁ ବୋଲିଂ କରିବାକୁ ସୁଯୋଗ ମିଳିଥିଲା। ଏହା ତାଙ୍କର ଡେବ୍ୟୁ ଟି-୨୦ ମ୍ୟାଚ୍ ହୋଇଥିଲେ ହେଁ ରାଣା କମାଲ କରିଥିଲେ।
କଙ୍କସନ୍ ସବଷ୍ଟିଚ୍ୟୁଟ ନିୟମ କ’ଣ?
କଙ୍କସନ୍ କ’ଣ? ଏହି ନିୟମ କ୍ରିକେଟରେ କିପରି ଓ କାହିଁକି ଲାଗୁ କରାଯାଏ? ଏହି ନିୟମ କେବେ ଲାଗୁ ହୋଇଥିଲା? ଟିମ୍ ଇଣ୍ଡିଆ ଏଥିରୁ କିପରି ଲାଭ ପାଇଲା? ଏହାକୁ ବୁଝିବା ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍କୁ ଉଦାହରଣ ଭାବେ ନିଅନ୍ତୁ। ଭାରତୀୟ ଇନିଂସର ଶେଷ ଓଭରରେ ଇଂଲଣ୍ଡ ଦ୍ରୁତ ବୋଲର ଜେମି ଓଭରଟନଙ୍କ ବଲ ବ୍ୟାଟର ଶିବମ ଦୁବେଙ୍କ ହେଲମେଟରେ ବାଜିଥିଲା। ହେଲମେଟରେ ବଲ୍ ବାଜିବା ମାତ୍ରେ ଟିମ୍ ଇଣ୍ଡିଆର ଫିଜିଓ ପଡ଼ିଆକୁ ଆସି ଦୁବେଙ୍କ ପରୀକ୍ଷା କରିଥିଲେ। ଏହି ସମୟରେ ଇନିଂସର ମାତ୍ର ୨ ବଲ୍ ବାକି ଥିଲା। ତେଣୁ ଦୁବେ ପଡ଼ିଆ ନଛାଡ଼ି ବ୍ୟାଟିଂ ଜାରି ରଖିଥିଲେ।
କିନ୍ତୁ ଯେତେବେଳେ ଟିମ୍ ଇଣ୍ଡିଆ ଫିଲ୍ଡିଂ ଆରମ୍ଭ କଲା ଦୁବେଙ୍କ ସ୍ଥାନରେ ହର୍ଷିତ ରାଣା ଜଣେ ବଦଳ ଖେଳାଳି ଭାବରେ ପଡ଼ିଆକୁ ଆସିଥିଲେ। ଏହାପରେ ବିସିସିଆଇ ଗୋଟିଏ ଅପଡେଟ୍ ଦେଇଥିଲା ଯେ ହର୍ଷିତ ଏବେ କଙ୍କସନ୍ ସବଷ୍ଟିଚ୍ୟୁଟ ଖେଳାଳି ଭାବରେ ମ୍ୟାଚ୍ର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।
ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଯେକୌଣସି ପ୍ରକାରର ମୁଣ୍ଡଜନିତ ଆଘାତ କିମ୍ବା ଧକ୍କାକୁ ସାଧାରଣତଃ କଙ୍କସନ୍ କୁହାଯାଏ। ବଲ ସିଧାସଳଖ ମୁଣ୍ଡ କିମ୍ବା ମୁହଁ କିମ୍ବା ବେକ ଚାରିପାଖରେ ଲାଗିଲେ ମଧ୍ୟ ଏହାକୁ ମସ୍ତିଷ୍କ ଜନିତ ଆଘାତ ଭାବେ ବିବେଚନା କରାଯାଏ। ଅର୍ଥାତ୍ ଯେକୌଣସି ଆଘାତ ଯାହା ଜଣେ ବ୍ୟକ୍ତିଙ୍କୁ ଦେଖିବା, ବୁଝିବା ଓ ଚେତାରେ ରହିବା ପାଇଁ ଅସୁବିଧା ସୃଷ୍ଟି କରେ, ତା’କୁ କଙ୍କସନ କୁହାଯାଇଥାଏ। ଏହା କ୍ରୀଡ଼ା ଜଗତରେ ବେଶ ସାଧାରଣ। ବିଶେଷ କରି ଫୁଟବଲ୍, ରଗବି ଓ କ୍ରିକେଟରେ ଲାଗୁ ହେଉଛି।
କ୍ରିକେଟରେ ଏହି ନିୟମ କେବେ ଓ କାହିଁକି ଲାଗୁ ହେଉଛି?
କ୍ରିକେଟରେ ଦେଖାଯାଏ ଯେ ବଲ ବେଳବେଳେ ବ୍ୟାଟର କିମ୍ବା ଫିଲ୍ଡରଙ୍କ ମୁଣ୍ଡରେ ବାଜେ। ସେହିପରି ଖେଳାଳିମାନେ ପରସ୍ପର ସହିତ ଧକ୍କା ହୋଇଥାଆନ୍ତି କିମ୍ବା ବେଳବେଳେ ଡାଇଭ ମାରିବା ବେଳେ ମଧ୍ୟ ଜଣେ ଖେଳାଳିଙ୍କ ମୁଣ୍ଡରେ ଆଘାତ ଲାଗିଥାଏ। ପୂର୍ବରୁ କ୍ରିକେଟରେ ଆଘାତକୁ ଗୁରୁତ୍ୱର ସହ ନିଆଯାଉ ନଥିଲା। କିନ୍ତୁ ୨୦୧୩ରେ ବଲ ମାଡ଼ ହେବା ଯୋଗୁ ଅଷ୍ଟ୍ରେଲିଆର ଯୁବ କ୍ରିକେଟର ଫିଲ ହ୍ୟୁଗସଙ୍କ ମୃତ୍ୟୁ ହେବାରୁ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା। ଶେଷରେ ୨୦୧୯ରେ ICC ଏହି ନିୟମ ଲାଗୁ କରିଥିଲା।
କ୍ରିକେଟର କନକସନ ନିୟମ କେମିତି ଲାଗୁ ହୁଏ?
୨୦୧୯ ଜୁଲାଇ ୧ରେ କଙ୍କସନ୍ ସବଷ୍ଟିଚ୍ୟୁଟ ନିୟମରେ ଲାଗୁ କରି ICC ସ୍ପଷ୍ଟ କରିଥିଲା ଯେ ଯଦି କୌଣସି ଖେଳାଳିଙ୍କ ମୁଣ୍ଡରେ ବଲ ବାଜେ କିମ୍ବା ଖେଳ ସମୟରେ ଅନ୍ୟ କୌଣସି ଉପାୟରେ ସେ ଆହତ ହୁଅନ୍ତି, ତେବେ ଡାକ୍ତରୀ ଦଳ ତୁରନ୍ତ ତାଙ୍କର ପରୀକ୍ଷା କରିବେ। ଆଘାତ ପାଇଥିବା ଖେଳାଳି ଖେଳ ଜାରି ରଖିବାକୁ ମାନସିକ ସ୍ତରରେ ପ୍ରସ୍ତୁତ କି ନାହିଁ, ତାହା ପରଖିବେ।
ଯଦି କୌଣସି ଖେଳାଳି ମୁଣ୍ଡ ଜନିତ ସମସ୍ୟା ଅନୁଭବ କରିବେ କିମ୍ବା ଠିକ ଭାବେ ଦେଖିବାକୁ ଅକ୍ଷମ ହେବେ କିମ୍ବା ମସ୍ତିଷ୍କରେ ଆଘାତ ଅନୁଭବ କରିବେ, ତେବେ ତାଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନେବାକୁ ପଡିବ। ବଲ ମାଡ଼ ହେବା ପରେ ଫିଜିଓଙ୍କୁ କେବଳ ଖେଳାଳିଙ୍କୁ ପରୀକ୍ଷା କରିବାକୁ ପଡ଼ିବ ନାହିଁ ବରଂ ହେଲମେଟ ଭଲ ଅବସ୍ଥାରେ ଥିଲେ ମଧ୍ୟ ତା’କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆଘାତର ଲକ୍ଷଣ ଅନେକ ସମୟରେ ତୁରନ୍ତ ଦେଖାଯାଏ ନାହିଁ। ଅନେକ କ୍ଷେତ୍ରରେ ଏହା କିଛି ମିନିଟ୍ କିମ୍ବା ଘଣ୍ଟା ପରେ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଏପରି ପରିସ୍ଥିତିରେ ଯଦି କୌଣସି ଖେଳାଳି ଅସୁବିଧାରେ ପଡ଼ନ୍ତି, ତା’ହେଲେ ଦଳ ପକ୍ଷରୁ କଙ୍କସନ ସବଷ୍ଟିଚ୍ୟୁଟ ପାଇଁ ମ୍ୟାଚ୍ ରେଫରିଙ୍କୁ ଆନୁଷ୍ଠାନିକ ଅନୁରୋଧ କରିବାକୁ ପଡ଼ିବ।
କ’ଣ ସର୍ତ୍ତ ରଖିଛି ଆଇସିସି?
ICC କନଙ୍କସନ୍ ସବଷ୍ଟିଚ୍ୟୁଟ ନିୟମ ପାଇଁ ରଖିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଯେ ବଦଳ ଖେଳାଳି 'ଲାଇକ୍ ଫର୍ ଲାଇକ୍' ହେବା ଉଚିତ। ଅର୍ଥାତ୍ ଜଣେ ବ୍ୟାଟର ଆହତ ହେଲେ ଆଉ ଜଣେ ବ୍ୟାଟର, ଜଣେ ବୋଲରଙ୍କ ସ୍ଥାନରେ ଜଣେ ବୋଲର ଓ ଜଣେ ଅଲରାଉଣ୍ଡରଙ୍କ ସ୍ଥାନରେ ଆଉ ଜଣେ ଅଲରାଉଣ୍ଡର ଆସିପାରିବେ। ଯଦି କୌଣସି ଦଳରେ 'ଲାଇକ୍ ଫର୍ ଲାଇକ୍' ବଦଳ ନାହିଁ, ତେବେ ରେଫରି ନିଷ୍ପତ୍ତି ନେଇପାରିବେ ଯେ କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରିବ। ୨୦୧୯ ପରଠାରୁ ଅନେକ ଖେଳାଳି କଙ୍କସନ ସବଷ୍ଟିଚ୍ୟୁଟ ମାଧ୍ୟମରେ ମ୍ୟାଚ୍ ଖେଳିଛନ୍ତି।
ବିବାଦରେ କଙ୍କସନ୍ ସବଷ୍ଟିଚ୍ୟୁଟ ନିୟମ
ପୁଣେରେ ଖେଳାଯାଇଥିବା ଟି-୨୦ରେ ଭାରତୀୟ ଟିମ କଙ୍କସନ ସବଷ୍ଟିଚ୍ୟୁଟ ନିୟମ ଆପଣାଇଥିଲା। ଦୁବେଙ୍କ ବଦଳରେ ହର୍ଷିତ ରାଣା ଖେଳିଥିଲେ। କିନ୍ତୁ ଏହାକୁ ଇଂଲଣ୍ଡର ଏକାଧିକ ପୂର୍ବତନ ଖେଳାଳି ଓ ଭାରତର କିଛି କିମ୍ବଦନ୍ତୀ କ୍ରିକେଟର ନାପସନ୍ଦ କରିଛନ୍ତି। ରବିବାର ୫ ଟି-୨୦ରେ ଇଂଲଣ୍ଡର ଅଧିନାୟକ ଜୋଶ ବଟଲର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ନିୟମକୁ ସମାଲୋଚନା କରିଛନ୍ତି।
ଏବେ ଆଇସିସି ମ୍ୟାଚ୍ ରେଫରୀ କ୍ରିସ ବ୍ରଡ ମଧ୍ୟ ଘଟଣାକୁ ନେଈ ବିସ୍ଫୋରକ ବୟାନ ଦେଇଛନ୍ତି। ବ୍ରଡ ଏକ୍ସରେ ଦାବି କରିଛନ୍ତି ଯେ ଆଇସିସି ଏବେ ଖରାପ ପୁରୁଣା ଦିନିକୁ ଫେରିବାରେ ଲାଗିଛି। ଅଣ ନିରପେକ୍ଷ ମ୍ୟାଚ୍ ଅଫିସିଆଲଙ୍କୁ ଦାୟିତ୍ୱ ନ ଦେଇ ଆଇସିସି ପକ୍ଷପାତିତା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି। ଏପରି ଘଟଣାକୁ ରୋକିବା ପାଇଁ ନିରପେକ୍ଷ ଅଫିସିଆଲଙ୍କୁ ଆଣିବା ଦରକାର। କାହିଁକି ଆସିସି ପକ୍ଷପାତିତା ଓ ଦୁର୍ନୀତି ଭଳି ଖରାପ ପୁରୁଣା ଦିନକୁ ଫେରୁଛି ବୋଲି ବ୍ରଡ ପ୍ରଶ୍ନ କରିଛନ୍ତି।
ହର୍ଷିତ ରାଣା ଆଦୌ ଶିବମ ଦୁବେଙ୍କ ଲାଇକ ଫର ଲାଇକ ଖେଳାଳି ନୁହନ୍ତି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଦେଇଥିବା ବୟାନରେ ବ୍ରଡ ଏକମତ ହୋଇଛନ୍ତି। ବ୍ରଡ କହିଛନ୍ତ, “ସଂପୂର୍ଣ୍ଣ ଭାବେ ଏକମତ। କେମିତି ଜଣେ ଭାରତୀୟ ମ୍ୟାଚ୍ ରେଫରୀ ଏମିତି ଭାରତୀୟ ବଦଳ ଖେଳାଳିଙ୍କୁ ଅନୁମତି ଦେବାରୁ ବିରତ ରହିବେ? ପକ୍ଷପାତିକୁ ଦୂରେଇ ରଖିବା ପାଇଁ ମ୍ୟାଚ୍ ଅଧିକାରୀ ନିରପେକ୍ଷ ରହିବା ଉଚିତ।” ପୁଣେ ଟି-୨୦ରେ ଭାରତର ପୂର୍ବତନ କ୍ରିକେଟର ଜଭାଗଲ ଶ୍ରୀନାଥ ମ୍ୟାଚ୍ ରେଫରୀ ଭାବେ କାମ କରୁଥିଲେ। ଏଥିପାଇଁ ବ୍ରଡ ନିରପେକ୍ଷ ଅଫସିଆଲ କଥା ଉଠାଇଛନ୍ତି।
ବ୍ରଡ ଏଠାରେ ନିରପେକ୍ଷ ମ୍ୟାଚ୍ ଅଫିସିଆଲ କଥା କହୁଛନ୍ତି। କିନ୍ତୁ ଗତବର୍ଷ ମେ’ ମାସରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଓଭାଲରେ ଖେଳାଯାଉଥିବା ମ୍ୟାଚ୍ରେ ସେ ନିଜେ ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ରହିଥିଲେ। ବ୍ରଡ ଇଂଲଣ୍ଡର ହୋଇଥିବା ବେଳେ କେମିତି ଇଂଲଣ୍ଡ ମ୍ୟାଚ୍ରେ ଅଫିସିଆଲ ଭୂମିକାରେ ରହିଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। କ୍ରିକେଟରେ ବ୍ରଡ ହେଉଛନ୍ତି ଆଇସିସିର ସବୁଠାରୁ ସମ୍ମାନିତ ଅଧିକାରୀ। ଏଯାଏ ସେ ୬୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍କୁ ପରିଚାଳନା କରିସାରିଲେଣି। ସବୁଠାରୁ ଅଧିକ ମ୍ୟାଚ୍ ପରିଚାଳନା କରିଥିବା ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ରଞ୍ଜନ ମଦୁଗାଲ୍ଲେ(୭୯୮) ଓ ଜେଫ କ୍ରୋୱେ(୬୫୬) ରହିଛନ୍ତି।
କେବଳ ବ୍ରଡ ନୁହନ୍ତି, ଭାରତର କଙ୍କସନ୍ ସବଷ୍ଟିଚ୍ୟୁଟକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ବିରୋଧ କରିଛନ୍ତି। ସେ ପୂରା ଘଟଣା ପାଇଁ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି। ଏପରି କି ଭାରତକୁ କନକସନ ସବଷ୍ଟିଚ୍ୟୁଟ ମିଳିବା ଆଦୌ ଠିକ ନୁହେଁ ବୋଲି ସେ କହିଛନ୍ତି।
ତାଙ୍କ କହିବା କଥା, ପୁଣେ ମ୍ୟାଚ୍ରେ ହେଲମେଟରେ ମାଡ଼ ହେବା ସତ୍ତ୍ୱେ ଦୁବେ ଶେଷ ଯାଏ ବ୍ୟାଟିଂ କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ସମସ୍ୟାରେ ନଥିଲେ। ତେଣୁ ତାଙ୍କ ପାଇଁ କଙ୍କସନ୍ ସବଷ୍ଟିଚ୍ୟୁଟକୁ ଅନୁମତି ଦେବା ହିଁ ଭୁଲ। ହଁ, ଏଇଟା ବି ସତ ଯେ ଯଦି ତାଙ୍କ ମାଂସପେଶୀରେ ବ୍ୟାଟିଂ ବେଳେ ସମସ୍ୟା ଦେଖାଯାଇଥିଲା, ତା’ହେଲେ କେବଳ ସବଷ୍ଟିଚ୍ୟୁଟ ନିୟମକୁ ଆପଣା ଯାଇ ପାରିଥାଆନ୍ତା। କିନ୍ତୁ ସେହି ବଦଳ ଖେଳାଳି କେବଳ ଫିଲ୍ଡିଂ କରିଥାଆନ୍ତେ। ସେ ବୋଲିଂ କରିବାକୁ ସକ୍ଷମ ହୋଇନଥାଆନ୍ତେ।
ସେହିପରି କଙ୍କସନ୍ ସବଷ୍ଟିଚ୍ୟୁଟରେ ଲାଇକ ଫର ଲାଇକ ନିୟମ ଲାଗୁ ହୋଇଥାଏ। କିନ୍ତୁ ଦୁବେ ଓ ରାଣାଙ୍କ ମଧ୍ୟରେ ସେମିତି କିଛି ସମାନତା ନାହିଁ। ଜଣେ ସେମାନଙ୍କୁ ଦେଖିଲେ କହିବ ଯେ ଉଭୟ ସମାନ ଉଚ୍ଚତାର ଓ ଉଭୟ ସମାନ ସ୍ତରର ଫିଲ୍ଡର। ଏହାକୁ ବାଦ ଦେଲେ ଉଭୟଙ୍କ ମଧ୍ୟରେ ଆଉ କୌଣସି ସମାନତା ନାହିଁ। ଏଥିରେ ପକ୍ଷପାତିତା ଥିବା ଇଂଲଣ୍ଡ ଭାବିବାକୁ ବାଧ୍ୟ।”