/odisha-reporter/media/media_files/2026/02/09/pak-2026-02-09-12-32-52.jpg)
ଭାରତ-ପାକିସ୍ତାନ
ଟି-୨୦ ବିଶ୍ୱକପ(T20 World Cup)ରେ ପାକିସ୍ତାନ କ୍ରିକେଟ ଟିମ ଭାରତ ସହ ମ୍ୟାଚ୍ ଖେଳିବ କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଖୁବଶୀଘ୍ର ଘୋଷଣା କରିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ପିସିବି ନିଜର ନିଷ୍ପତ୍ତି ସାର୍ବଜନୀନ କରିପାରେ।
ପୂର୍ବରୁ ବିଶ୍ୱକପରେ ଭାରତ ସହ ପାକିସ୍ତାନ ଖେଳିବ ନାହିଁ ବୋଲି ଘୋଷଣା କରିଥିଲା। ଏହାକୁ ନେଇ ବିଭିନ୍ନ ବିବାଦ ଦେଖାଯିବାରୁ ଲାହୋରରେ ଆଇସିସିର ବରିଷ୍ଠ ଅଧିକାରୀମାନଙ୍କ ସହ ଦୀର୍ଘ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପିସିବିର ଅଧିକାରୀମାନେ ବୈଠକ କରିଥିଲେ। ବୈଠକ ପରେ ପିସିବି ଭାରତ ସହ ଖେଳିବାକୁ ସଙ୍କେତ ଦେଇଛି। ତଥାପି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଶରିଫ ନେବେ ବୋଲି ଜଣାପଡ଼ିଛି।
ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ–ପାକିସ୍ତାନ ମ୍ୟାଚ୍ ହେବାର ଅଛି। ଏଥିପାଇଁ ସମୟ ଖୁବ କମ ଥିବାରୁ ପାକିସ୍ତାନ ସରକାରଙ୍କ ଉପରେ ସମଗ୍ର ବିଶ୍ୱ କ୍ରିକେଟର ନଜର ରହିଛି। ରବିବାର ଲାହୋରର ଗଦାଫି ଷ୍ଟାଡିୟମରେ ଆଇସିସି ଓ ପିସିବି ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ପିସିବି ଅଧ୍ୟକ୍ଷ ମୋହଶିନ ନକଭୀ, ଆଇସିସି ଉପାଧ୍ୟକ୍ଷ ଇମ୍ରାନ୍ ଖ୍ୱାଜା ଓ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଅଧ୍ୟକ୍ଷ ଅମିନୁଲ୍ ଇସଲାମ୍ ଉପସ୍ଥିତ ଥିଲେ।
ଆଇସିସି ପାଇଁ ଏହି ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ଲଢ଼େଇ ବନ୍ଦ ହେବା କ୍ରିକେଟ ଜଗତ ପାଇଁ ଶୁଭଙ୍କର ନୁହେଁ ବୋଲି ଆଇସିସି କହିଛି। ଏଥିପାଇଁ ଆଇସିସି ପକ୍ଷରୁ ପିସିବି ଓ ବିସିବି ସହ ବୈଠକ କରାଯାଇଛି।
ମିଳିଥିବା ତଥ୍ୟ ଅନୁସାରେ, ପିସିବି ଅନ୍ତିମ ନିଷ୍ପତ୍ତି ପୂର୍ବରୁ ପାକିସ୍ତାନର ସରକାର ସହ ଆଲୋଚନା କରିବ। ଅଧିକାରୀମାନଙ୍କ ମତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ନକଭୀ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ନିଜ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ICC–PCB ବୈଠକର ମୂଳ ଉଦ୍ଦେଶ୍ୟ କ’ଣ?
ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍କୁ ପିସିବି ବୟକଟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହା ହିଁ ଥିଲା ଲାହୋର ବୈଠକର କେନ୍ଦ୍ରବିନ୍ଦୁ। ଫେବୃଆରୀ ୨ ତାରିଖରେ ପାକିସ୍ତାନ ଉକ୍ତ ମ୍ୟାଚ୍କୁ ବୟକଟ କରିବାକୁ ଘୋଷଣା କରିବାରୁ ଆଇସିସି ତତ୍କାଳ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲା। ଆଇସିସି ଓ ପିସିବି ବୈଠକରେ ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟଙ୍କ ଊପସ୍ଥିତି ପୂରା ପ୍ରସଙ୍ଗକୁ ଭିନ୍ନ ଦିଗ ଦେଇଛି।
ବିସିବି ଅଧ୍ୟକ୍ଷ ଅମିନୁଲ୍ ଇସଲାମ୍ ବୈଠକର କିଛି ଘଣ୍ଟା ପୂର୍ବରୁ ଲାହୋର ପହଞ୍ଚିଥିଲେ। ଆଇସିସି ସହ ବୈଠକ କରିବା ପରେ ଉଭୟ ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ମିଳିତ ଭାବେ ନିଜ ପକ୍ଷ ରଖିଥିଲେ। ଆଇସିସି ପରିସ୍ଥିତିକୁ ଗୋଟିଏ ବଡ଼ ସଙ୍କଟରେ ପରିଣତ କରିବାକୁ ଚାହୁଁନାହିଁ। କାରଣ ଏପରି ହେଲେ ଏହାର ପ୍ରଭାବ ଟୁର୍ଣ୍ଣାମେଣ୍ଟର ବ୍ୟବସାୟ ଉପରେ ପଡ଼ିବ। ଏଥିପାଇଁ ଆଇସିସି ଦୁଇ ଦେଶର ବୋର୍ଡ ମୁଖ୍ୟଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଲକ୍ଷ୍ୟ ରଖିଛି।
ବୈଠକ ବେଳେ ଭାରତ ସହ ବିଶ୍ୱକପ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ୩ଟି ସର୍ତ୍ତ ଆଇସିସି ଆଗରେ ରଖିଛି। ସେଗୁଡ଼ିକ ହେଲା ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶ ବାଦ ପଡ଼ିଥିବାରୁ ଆଇସିସି ଉକ୍ତ ବୋର୍ଡକୁ କ୍ଷତିପୂରଣ ଦେବ। ବିଶ୍ୱକପରେ ବାଂଲାଦେଶ ଯୋଗ ଦେଇ ନଥିଲେ ହେଁ ଦଳକୁ ଅଂଶଗ୍ରହଣ ଫି ଅର୍ଥ ପ୍ରଦାନ ଓ ଭବିଷ୍ୟତରେ ଗୋଟିଏ ICC ଇଭେଣ୍ଟ୍ ହୋଷ୍ଟ୍ କରିବାର ଅଧିକାର ବାଂଲାଦେଶକୁ ଦେବା ପାଇଁ ପିସିବି ପ୍ରସ୍ତାବ ରଖିଛି।
ଆଇସିସି ଯଦିଓ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ, ତଥାପି ପିସିବି କଥାରେ ରାଜି ହେବାର ସଙ୍କେତ ଦେଇଛି। ଆଇସିସି ଯେକୌଣସି ପରିସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ୍ କରିବାକୁ ଚାହୁଁଛି। କାରଣ ଏହା କ୍ରିକେଟର ସବୁଠାରୁ ବଡ଼ ଆର୍ଥିକ ଉତ୍ସ। ମ୍ୟାଚ୍ ନ ହେଲେ ଆଇସିସି ବିପୁଳ କ୍ଷତି ସହିବ।
ଏହାକୁ ଦୃଷ୍ଟିରେ ରଖି ଆଇସିସି ଅଧିକାରୀମାନେ ପିସିବିକୁ ବୁଝାସୁଝା କରିଛନ୍ତି। ଯଦି ପାକିସ୍ତାନ ତଥାପି ରାଜି ହେବନି, ତା’ହେଲେ ଆଇସିସି ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
