/odisha-reporter/media/post_attachments/uploadimage/library/16_9/16_9_0/India_1758006507.jpg)
India
ପାକିସ୍ତାନ କ୍ରିକେଟ ଟିମ ଓ ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ଆଇସିସି। ଏସିଆ କପରୁ ମ୍ୟାଚ୍ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପାକିସ୍ତାନ କରିଥିବା ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ପରେ ଆରମ୍ଭ ହୋଇଥିବା ହାତ ମିଳାଇବା ବିବାଦ ତୀବ୍ର ହେଉଥିବା ବେଳେ ପାକିସ୍ତାନର କୌଣସି ଦାବିରେ ଆଇସିସି ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।
ମ୍ୟାଚ୍ ରେଫରୀ ଆଣ୍ଡୀ ପାଇକ୍ରପ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଦାବି ଉପସ୍ଥାପନ କରିଥିଲା। ପାକିସ୍ତାନର ଆବେଦନ ପରେ ଆଇସିସି ତଦନ୍ତ କରିଥିଲା। ତଦନ୍ତ ପରେ ଆଣ୍ଡୀଙ୍କୁ ଏସିଆ କପର ଅବଶିଷ୍ଟ ମ୍ୟାଚ୍ରୁ ହଟାଇବାର ଆବଶ୍ୟକତା ନାହିଁ ନାହିଁ ବୋଲି ଆଇସିସି ହୃଦୟଙ୍ଗମ କରିଛି। ନିଜର ନିଷ୍ପତ୍ତିକୁ ମଧ୍ୟ ଆଇସିସି ପକ୍ଷରୁ ପିସିବି ପକ୍ଷରୁ ଅବଗତ କରି ଦିଆଯାଇଛି।
ସେହିପରି ଅଧିକାଂଶ ଏସିଆନ କ୍ରିକେଟ କାଉନିଲ ଅଫିସିଆଲ ଏପରି କି ପିସିବି ନିର୍ଦ୍ଦେଶକ ମଧ୍ୟ ମ୍ୟାଚ୍ ପରେ ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପର ସହ ହାତମିଳାଇବେ ନାହିଁ ବୋଲି ବହୁ ପୂର୍ବରୁ ଜାଣି ସାରିଥିଲେ। ସେହି ଅନୁସାରେ ଭାରତୀୟ ଖେଳାଳି ପାକିସ୍ତାନ ସହ ହାତ ମିଳାଇ ନଥିଲେ। ଏଥିରେ ମ୍ୟାଚ୍ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କ କୌଣସି ଭୂମିକା ନଥିବା ଆଇସିସି ଜାଣିବାକୁ ପାଇଛି। ଏକଥା ଜଣାପଡ଼ିବା ପରେ ଆଇସିସି ପକ୍ଷରୁ ପିସିବିକୁ ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରି ଦିଆଯାଇଛି।
କ’ଣ ଏସିଆ କପରୁ ଓହରି ଯିବ ପାକିସ୍ତାନ?
ଭାରତ ବିପକ୍ଷ ମ୍ୟାଚ୍ରେ ହାରିବା ପରେ ପାକିସ୍ତାନର ଖେଳାଳିମାନେ ହାତ ମିଳାଇବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଭାରତୀ କୌଣସି ଖେଳାଳି ସେମାନଙ୍କ ସହ ହାତ ମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ। ଏସିଆ କପ ଭଳି ବଡ଼ ମଞ୍ଚରେ ଏପରି ଅପମାନିତ ହୋଇଥିବା ପାକିସ୍ତାନ ଏହାପରେ ବୟକଟର ଧମକ ଦେଇଥିଲା।
ଯଦି ଆଇସିସି ମ୍ୟାଚ୍ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ଏସିଆ କପ୍ରୁ ବହିଷ୍କାର କରା ନ ଯିବ, ତା’ହେଲେ ୟୁଏଇ ବିପକ୍ଷ ନିଜର ଶେଷ ଲିଗ ମ୍ୟାଚ୍କୁ ପାକିସ୍ତାନ ବୟକଟ କରିବ। ଦରକାର ପଡ଼ିଲେ ଦଳ ଏସିଆ କପରୁ ଓହରି ଯିବ ବୋଲି ଧମକ ଦେଇଥିଲା। ଏବେ ଆଇସିସି ପାଇକ୍ରପ୍ଟଙ୍କୁ ହଟାଇବାକୁ ମନା କରି ଦେଇଛି। ଏବେ କ’ଣ ପାକିସ୍ତାନ ଏସିଆ କପରୁ ଓହରି ଯିବ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।
ରବିବାର ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ର ଟସ୍ ବେଳେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଘାଙ୍କ ସହ ହାତ ମିଳାଇ ନଥିଲେ। ଭାରତ ୭ ୱିକେଟରେ ଜିତିବା ପରେ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ସିଧା ଡ୍ରେସିଂ ରୁମକୁ ଚାଲି ଯାଇଥିଲେ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଏହି ମ୍ୟାଚ୍ ଖେଳା ଯାଉଥିବା ବେଳେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ଅଣ ଦେଖା କରିଥିଲା।
ମ୍ୟାଚ୍ ପରେ ଭାରତୀୟ ଖେଳାଳି ହାତ ମିଳାଇ ନଥିବାରୁ ଏହା କ୍ରୀଡ଼ା ମନୋଭାବ ବିରୋଧୀ ବୋଲି ଅଭିଯୋଗ କରି ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମେ ମ୍ୟାଚ୍ ରେଫରୀ ଆଣ୍ଡୀ ପଇକ୍ରଫ୍ଟଙ୍କ ନିକଟରେ ଅଭିଯୋଗ କରିଥିଲା। ହେଲେ ମ୍ୟାଚ ରେଫରୀ ଆଣ୍ଡୀ ପାଇକ୍ରଫ୍ଟ ପିସିବି କଥାରେ କାମ ନ କରିବାରୁ ତାଙ୍କୁ ବହିଷ୍କାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିର ଫେରାଦ ହୋଇଥିଲା।
ରବିବାର ମ୍ୟାଚ୍ ଭଳି ବୁଧବାର ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍ରେ ମଧ୍ୟ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ମ୍ୟାଚ୍ ରେଫରୀ ଭାବେ ନିଯୁକ୍ତ କରାଯାଇଛି। ହେଲେ ପିସିବି ବିଧିବଦ୍ଧ ଭାବେ ଏସିଆନ କ୍ରିକେଟ କାଉନସିଲକୁ ଏହା ବିରୋଧରେ ଚିଠି ଲେଖିଥିଲା। ସେହିପରି ପିସିବି ତଥା ଏସିସି ମୁଖ୍ୟ ମୋହଶିନ ନକବୀ ମଧ୍ୟ ଆଣ୍ଡୀ ପାଇଇକ୍ରଫ୍ଟଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଆଇସିସି ପାଖରେ ଦାଖଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
