Advertisment

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ଅପେକ୍ଷାର ଅନ୍ତ, ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।

author-image
Debibandita Barick
ଅଦ୍ୟତନ ହୋଇଛି
India Players

India Players

ଦୀର୍ଘ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଇଂଲଣ୍ଡଠାରୁ ୨୦୨୨ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ସେମିଫାଇନାଲ୍ ପରାଜୟର ବଦଲା ନେଇଛି ରୋହିତ ବାହିନୀ।

Advertisment

ସେମି ଟକ୍କରରେ ଉଭୟ ବ୍ୟାାଟିଂ ଓ ବୋଲିଂରେ ଦମ୍ ଦେଖାଇଥିଲେ ମେନ୍ ଇନ୍ ବ୍ଲୁ। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। ୧୬.୧ ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।

ଦକ୍ଷିଣ ଆମେରିକାର ଗୁୟାନାରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବର୍ଷା ସାଜିଥିଲା ବାଧକ। କିଛି ସମୟ ବିଳମ୍ବରେ ପଡିଥିଲା ଟସ୍। ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଇଂଲଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ। ଦଳୀୟ ସ୍କୋର୍ ମାତ୍ର ୧୯ ହୋଇଥିବା ବେଳେ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଦଳ। ଋଷବ ପନ୍ତ ମଧ୍ୟ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

Advertisment

ଏହାପରେ ଦମ୍ ଦେଖାଇଥିଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର ୪୭(୩୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୩ ବଲରେ ୨୩ ରନ୍ ସଂଗ୍ରହ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଅପରାଜିତ ରହି ୧୭(୯) ରନ୍ କରିଥିବା ବେଳେ ଅକ୍ସର ପଟେଲ ୧୦(୬), ଅର୍ଷଦୀପ ସିଂହ ଗୋଟିଏ ରନ୍ ଏବଂ ଶିବମ ଦୁବେ ଖାତା ଖୋଲି ପାରିନଥିଲେ। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା।

୧୭୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଡିଫେଣ୍ଡିଂ ଚାମ୍ପିଅନ ଟିମ୍ ଭାରତୀୟ ବୋଲଙ୍କ ଆଗରେ ଘାଇଲା ହୋଇ ଯାଇଥିଲେ। କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ଯାଦୁଗରୀ ସ୍ପିନରେ ଭୁଶୁଡି ପଡ଼ିଥିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର। ଉଭୟ ୩ଟି ଲେଖାଏ ୱିକେଟ ନେଇ ଥିବାବେଳେ ବୁମରା ନେଇଥିଲେ ୨ଟି ୱିକେଟ। ଫଳରେ ମାତ୍ର ୧୬ ଓଭର୍ ଖେଳିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ ବାହିନୀ।

ଏହି ବିଜୟ ସହ ଭାରତ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପର ବଦଲା ନେବା ସହ ୧୦ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିବାର ସୁଯୋଗ ପାଇଥିଲା ଟିମ୍ ଇଣ୍ଡିଆ।

ଆସନ୍ତାକାଲି ଟାଇଟଲ ପାଇଁ ଫାଇନାଲ୍ ଫାଇଟରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏପର୍ଯ୍ୟନ୍ତ ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଅପରାଜେୟ ରହିଛି। ଫାଇନାଲ୍ ଟାଇଟଲ୍ ସହ ରେକର୍ଡ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। 

T 20 World Cup ICC WC IND Vs ENG India Enter Final