/odisha-reporter/media/post_attachments/uploadimage/library/16_9/16_9_0/IMAGE_1752056688.jpg)
Shubman Gill
ଇଂଲଣ୍ଡ ବିପକ୍ଷରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପରେ ସଦ୍ୟ ପ୍ରକାଶିତ ଆଇସିସି ପୁରୁଷ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ୧୫ଟି ସ୍ଥାନ ଡେଇଁ ସିଧା ଟପ୍ ଟେନ୍ରେ ପହଞ୍ଚି ଯାଇଛନ୍ତି ଭାରତୀୟ ଟିମ୍ର ଅଧିନାୟକ ଶୁବମନ ଗିଲ୍। ୮୦୭ ପଏଣ୍ଟ ସହିତ ସେ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ଏଯାବତ୍ ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ।
ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଶୁବମନ ଗିଲ ୩୮୭ଟି ବଲ୍ରୁ ୨୬୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୬୨ଟି ବଲ୍ରୁ ୧୬୧ ରନ୍ କରିଥିଲେ। ଏହା ସହିତ ଅନେକ ରେକର୍ଡ ସେ ନିଜ ନାଁରେ କରିଥିଲେ। ତୃତୀୟ ଭାରତୀୟ ଟେଷ୍ଟ କ୍ୟାପ୍ଟେନ ଭାବେ ସେ ଗୋଟିଏ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସରେ ଶତକ ମାରିଥିଲେ। ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର ଓ ବିରାଟ କୋହଲି ଏହି କ୍ଲବରେ ଥିଲେ। ସେହିଭଳି ଭାରତ ପାଇଁ କୌଣସି ଟେଷ୍ଟରେ ସର୍ବାଧିକ ରନ୍ (୪୩୦) ହାସଲକାରୀ କ୍ରିକେଟର ବନି ଯାଇଛନ୍ତି ଗିଲ। ଏହା ପୂର୍ବରୁ ଏହି ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାଁରେ ଥିଲା। ସେହିପରି ଏହି କ୍ଷେତ୍ରରେ ସାରା ବିଶ୍ୱରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସଦ୍ୟ ପ୍ରକାଶିତ ଆଇସିସି ପୁରୁଷ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଯଶସ୍ୱୀ ଜୈସୱାଲ ପୂର୍ବବତ୍ ୪ ନମ୍ବର ସ୍ଥାନରେ ରହିଛନ୍ତି। ଗତ ଥର ସେ ୮୫୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଥିବା ବେଳେ ଏଥର ୮୫୮ ପଏଣ୍ଟ ପାଇ ଏହି ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଗତଥର ସପ୍ତମ ସ୍ଥାନରେ ଥିବା ଋଷଭ ପନ୍ତ ଏଥର ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ଅଛନ୍ତି। ସେ ୭୯୦ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ଅଛନ୍ତି।
ଇଂଲଣ୍ଡର ଜୋ ରୁଟ୍ଙ୍କୁ ୧ନମ୍ବର ସ୍ଥାନରୁ ହଟାଇ ଦେଇଛନ୍ତି ତାଙ୍କ ସାଥୀ ଖେଳାଳି ହ୍ୟାରୀ ବ୍ରୁକ। ସେ ୮୮୬ ପଏଣ୍ଟ ପାଇ ୧ ନମ୍ବର ସ୍ଥାନ ଅକ୍ତିଆର କରିଥିବା ବେଳେ ୮୬୭ ପଏଣ୍ଟ ପାଇ ୨ୟ ସ୍ଥାନକୁ ଖସିଛନ୍ତି ଜୋ ରୁଟ୍। ନ୍ୟୁଜିଲ୍ୟାଣ୍ଡର କେନ୍ ୟିଲିୟମସନ୍ ୮୬୭ ପଏଣ୍ଟ ସହିତ ତୃତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ମଧ୍ୟ ୮୧୩ ପଏଣ୍ଟ ପାଇ ପଞ୍ଚମ ସ୍ଥାନକୁ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକାର ଟେମ୍ବା ବଭୂମା (୭୯୦) ଷଷ୍ଠ, ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ (୭୮୧) ନବମ ଓ ଇଂଲଣ୍ଡର ଜେମି ସ୍ମିଥ (୭୫୩) ୧୦ ନମ୍ବର ସ୍ଥାନରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
