Advertisment

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଟପ୍‌ ୧୦ରୁ ରୋହିତ ଆଉଟ

ରୋହିତ ୧୨ନଂ ସ୍ଥାନକୁ ଖସିଥିବା ବେଳେ ଦୀର୍ଘ ସାଢ଼େ ୩ ବର୍ଷ ପରେ ଟେଷ୍ଟରେ ଶତକ କରିଥିବା ବିରାଟ କୋହଲି ୧୩ନଂରେ ରହିଛନ୍ତି।

author-image
Hemant Lenka
Rohit

Rohit

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରୁ ବାଦ ପଡ଼ିଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ୧୨ ନଂରେ ପହଞ୍ଚିଛନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବାରୁ ରାଙ୍କିଙ୍ଗର ୨ନଂ ସ୍ଥାନ ଦଖଲ କରିଛନ୍ତି। ସେ ୪ଟି ସ୍ଥାନ ଉପରକୁ ଉଠିଥିବା ବେଳେ ଏବେ ତାଙ୍କ ଉପରେ କେବଳ ଅଷ୍ଟ୍ରେଲିଆ ମାର୍ନସ ଲାବୁଶେନ ରହିଛନ୍ତି।

Advertisment

ଆଜି ଆଇସିସି ପକ୍ଷରୁ ଜାରି ଅପଡେଟ ରାଙ୍କିଙ୍ଗ ଅନୁଯାୟୀ, ୱିଲିୟମସନ ୫୧ ପଏଣ୍ଟ ହାସଲ କରିଛନ୍ତି। ଏବେ ତାଙ୍କ ମୋଟ ପଏଣ୍ଟ ସଂଖ୍ୟା ୮୮୩ ରହିଛି। ଏହା ୧ନଂ ସ୍ଥାନରେ ଥିବା ଲାବୁଶେନଙ୍କ ଠାରୁ ୩୨ କମ। ୱିଲିୟମସନ ୨ନଂକୁ ଉଠିଥିବା ବେଳେ ସ୍ମିଥ ୩ନଂ, ଜୋ ରୁଟ ୪ନଂ, ବାବର ଆଜମ ୫ନଂ ଓ ଟ୍ରାଭିସ ହେଡ୍‌ ୬ନଂକୁ ଖସିଛନ୍ତି।

ରୋହିତ ୧୨ନଂ ସ୍ଥାନକୁ ଖସିଥିବା ବେଳେ ଦୀର୍ଘ ସାଢ଼େ ୩ ବର୍ଷ ପରେ ଟେଷ୍ଟରେ ଶତକ କରିଥିବା ବିରାଟ କୋହଲି ୧୩ନଂରେ ରହିଛନ୍ତି। ଟପ୍‌ ୧୦ରେ ଭାରତର ଏକମାତ୍ର ବ୍ୟାଟର ଭାବେ ଋଷଭ ପନ୍ତ ୯ନଂରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଡବଲ ଟନ୍‌ ହାସଲ କରିଥିବା ନ୍ୟୁଜିଲ୍ୟାଣ୍ଡର ହେନରୀ ନିକୋଲ୍ସ ୨୦ଟି ସ୍ଥାନ ଉପରକୁ ଉଠି ୨୭ନଂ ସ୍ଥାନରେ ପହଞ୍ଚିଛନ୍ତି। ନୂଆ ମୁହଁ ଭାବେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାରତ୍ନେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

Advertisment

ଟେଷ୍ଟ ବୋଲିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ରବିଚନ୍ଦ୍ରନ ଅଶ୍ୱିନ ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଛନ୍ତି।

ଅନ୍ୟପକ୍ଷରେ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଟିମ ଇଣ୍ଡିଆର ମହମ୍ମଦ ସିରାଜ ତଳକୁ ଖସିଛନ୍ତି। ଜୋଶ ହେଜେଲଉଡ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟରେ ଥିବା ବେଳେ ସିରାଜ ୩ନଂ ସ୍ଥାନରେ ଅଛନ୍ତି।

ଦିନିକିଆ ବ୍ୟାଟିଂ ରାଙ୍କିରେ କୌଣସି ପରିବର୍ତ୍ତନ ହୋଇନି। ବାବର ଆଜମ ପୂର୍ବଭଳି ୧ନଂ, ରସି ଭାନ ଡେର ଡୁସେନ ୨ନଂରେ ଓ ଇମାମ ଉଲ ହକ୍‌ ୩ନଂରେ ଅଛନ୍ତି। ୮ନଂରେ ବିରାଟ କୋହଲି ଓ ୯ନଂରେ ରୋହିତ ଶର୍ମା ରହିଛନ୍ତି।

Rohit Sharma ICC