Advertisment

ଆଇସିସି ମହିଳା ଦିନିକିଆ ବିଶ୍ୱକପ: ଆଖି ଲାଖି ଗଲା ଭଳି ଟଙ୍କା ପାଇବ ବିଜେତା ଦଳ

୮ ଦଳ ବିଶିଷ୍ଟ ବିଶ୍ୱକପର ମୋଟ ପୁରସ୍କାର ରାଶିକୁ ୩ ଗୁଣା ବୃଦ୍ଧି କରାଯାଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ବାବଦରେ ୧୩.୮୮ ମିଲିୟନ ଡଲାର ବା ୧୨୨.୫ କୋଟି ଟଙ୍କା ଦିଆଯିବ।

WC

WC

Advertisment

ଗୋଟିଏ ଐତିହାସିକ ନିଷ୍ପତ୍ତିକ୍ରମେ ଆସନ୍ତା ମହିଳା ଦିନିକିଆ ବିଶ୍ୱକପ ପୂର୍ବରୁ ବମ୍ପର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ଟୁର୍ଣ୍ଣାମେଣ୍ଟ ଇତିହାସରେ କେବେ ହେଲେ ପୂର୍ବରୁ ଯାହା ଘଟି ନଥିଲା, ଏଥର ସେମିତି ହେବ। ବିଜେତା ଦଳକୁ ମିଳିବ ରେକର୍ଡ ପରିମାଣର ଆର୍ଥିକ ପୁରସ୍କାର।

Advertisment

ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ଯାଏ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ ମହିଳା ଦିନିକିଆ ବିଶ୍ୱକପ। କ୍ରିକେଟର ଏହି ମହାକୁମ୍ଭକୁ ଅଧିକ ଚର୍ଚ୍ଚିତ କରିଛି ଆଇସିସିର ବର୍ଦ୍ଧିତ ପୁରସ୍କାର ରାଶି। ଏଥର ମହିଳା ଦିନିକିଆ ବିଶ୍ୱକପ ବିଜେତା ଦଳକୁ ମିଳିବ ରେକର୍ଡ ୪.୪୮ ମିଲିୟନ ଡଲାର ବା ୩୯.୫୫ କୋଟି ଟଙ୍କା। ପୂର୍ବ ସଂସ୍କରଣ ତୁଳନାରେ ଏହି ପୁରସ୍କାର ରାଶିରେ ୧.୩୨ ମିଲିୟନ ଡଲାର ବା ୧୧.୬୫ କୋଟି ଟଙ୍କା ଯୋଡ଼ା ଯାଇଛି। ଅର୍ଥାତ ବିଜେତା ଦଳ ଗତଥର ଅପେକ୍ଷା ଅଧିକ ୧୧.୬୫ କୋଟି ଟଙ୍କା ପାଇବ।

୮ ଦଳ ବିଶିଷ୍ଟ ବିଶ୍ୱକପର ମୋଟ ପୁରସ୍କାର ରାଶିକୁ ୩ ଗୁଣା ବୃଦ୍ଧି କରାଯାଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ବାବଦରେ ୧୩.୮୮ ମିଲିୟନ ଡଲାର ବା ୧୨୨.୫ କୋଟି ଟଙ୍କା ଦିଆଯିବ। ୨୦୨୨ରେ ନ୍ୟୁଜିଲ୍ୟାଣ୍ଡରେ ମହିଳା ଦିନିକିଆ ବିଶ୍ୱକପ ଆୟୋଜନ ହୋଇଥିଲା। ଏଥିରେ ପୁରସ୍କାର ବାବଦରେ ମୋଟ ୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏଥର ମୋଟ ପୁରସ୍କାର ରାଶି ୨୯୭% ବୃଦ୍ଧି ପାଇଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପରେ ପୁରସ୍କାର ବାବଦରେ ମୋଟ ୧୦ ମିଲିୟନ ଡଲାର ବା ୮୮.୨୬ କୋଟି ଖର୍ଚ୍ଚ ହୋଇଥିଲା। ହେଲେ ଏହା ତୁଳନାରେ ମହିଳା ଦିନିକିଆ ବିଶ୍ୱକପରେ ଅଧିକ ଟଙ୍କା ଦିଆଯିବ।

ମହିଳା ଦିନିକିଆ ବିଶ୍ୱକପର ବିଜେତା ଦଳ ୩୯.୫୫ କୋଟି ପାଇବାକୁ ଥିବା ବେଳେ ରନର୍ସ ଅପ ଦଳ ୨.୨୪ ମିଲିୟନ ଡଲାର ବା ୧୯.୭୭ କୋଟି ଟଙ୍କା ପାଇବ। ଗତ ସଂସ୍କରଣ ଅପେକ୍ଷା ଏହା ୨୭୩% ଅଧିକ। କାରଣ ଗତଥର ରନର୍ସ ଅପ ଦଳକୁ ୫.୩୦ କୋଟି ଟଙ୍କା ମିଳିଥିଲା। ସେମି ଫାଇନାଲରେ ହାରୁଥିବା ଦୁଇ ଦଳ ୧.୧୨ ମିଲିୟନ ଡଲାର ବା ୯.୮୯ କୋଟି ଲେଖାଏ ପୁରସ୍କାର ବାବଦରେ ପାଇବେ। ୨୦୨୨ରେ ୨.୬୫ କୋଟି ଲେଖାଏ ଦିଆଯାଇଥିଲା।

ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ମ୍ୟାଚ୍‌ ଜିତିବା ଲାଗି ଦଳଗୁଡ଼ିକୁ ୩୦.୨୯ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ବିଶ୍ୱକପ ପଏଣ୍ଟ ଟେବୁଲର ୫ମ ଓ ୬ଷ୍ଠ ସ୍ଥାନରେ ଅଭିଯାନ ଶେଷ କରୁଥିବା ଦଳ ୬୨ ଲକ୍ଷ ଲେଖାଏ ଏବଂ ୭ମ ଓ ୮ମ ସ୍ଥାନରେ ରହୁଥିବା ଦୁଇ ଦଳକୁ ୨୪.୭୧ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି କହିଛି।

ପୁରୁଷ କ୍ରିକେଟ ଭଳି ମହିଳା କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ଆଇସିସି ଏପରି ପଦକ୍ଷେପ ନେଇଥିବା କହିଛି।

Women Cricketers Indian Women Cricket Team ODI World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe