Advertisment

WTC ଫାଇନାଲ: ଲଢ଼ିଲେ ରାହାଣେ ଓ ଶାର୍ଦ୍ଦୁଲ, ଭାରତ ୨୯୬ରେ ଅଟକିଲା

ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଏହାର ଅର୍ଥ ଦଳ ଏବେ ୧୭୩ ରନର ଲିଡ୍‌ ହାସଲ କରି ନେଇଛି।

WTC

WTC

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲର ପ୍ରଥମ ଇନିଂସରେ ଭାରତ ପାଇଁ ଲଢ଼େଇ କରିଛନ୍ତି ଅଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁର। ରାହାଣେ ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ଶତକ ହାସଲ କରି ପାରି ନାହାନ୍ତି। ତେବେ ଶାର୍ଦ୍ଦୁଲ ଠାକୁର ୫୧ ରନର ଇନିଂସ ଖେଳି ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି। ତଥାପି ଭାରତ ୩୦୦ ରନ କରିବାକୁ ମଧ୍ୟ ସକ୍ଷମ ହୋଇନି।

Advertisment

ଟିମ ଇଣ୍ଡିଆ ତା’ର ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଏହାର ଅର୍ଥ ଦଳ ଏବେ ୧୭୩ ରନର ଲିଡ୍‌ ହାସଲ କରି ନେଇଛି। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତା’ର ଦବଦବା ଦେଖାଇଥିବା ବେଳେ ଭାରତକୁ ଏବେ କେବଳ କୌଣସି ଚମତ୍କାର ହିଁ କମବ୍ୟାକ କରିବାର ସୁଯୋଗ ଦେବ।

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧର ଭାରତ ୫ ୱିକେଟ ହରାଇ ୧୫୧ ରନ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟର ରାହାଣେ ଓ କେଏସ ଭରତ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦିବସର ପ୍ରଥମ ଓଭରରେ ହିଁ ସମସ୍ତଙ୍କୁ ପୁଣି ଥରେ ନିରାଶ କରି ଭରତ(୫) କ୍ଲିନବୋଲ୍ଡ ହୋଇଯାଇଥିଲେ।

Advertisment

ଭରତ ପ୍ରଥମ ଓଭର୍‌ରେ ଆଉଟ ହେବା ଓ ବଲର ସୁଇଂକୁ ଦେଖିଲେ ଲାଗୁଥିଲା ଟିମ ଇଣ୍ଡିଆ ୨୦୦ ରନ ଭିତରେ ଅଲଆଉଟ ହୋଇ ଫଲୋଅନର ସମ୍ମୁଖୀନ ହେବ।

ତେବେ ୨୦୨୨ ଜାନୁଆରୀ ପରେ ଭାରତ ପାଇଁ ଟେଷ୍ଟ ଖେଳୁଥିବା ରାହାଣେ ଏତେ ଶୀଘ୍ର ହାର ମାନିବା ମୁଡରେ ନଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ଭରପୂର ସାଥ ଦେଇଥିଲେ। ଉଭୟ ୭ମ ୱିକେଟ ପାଇଁ ଭାରତୀୟ ସ୍କୋରକୁ ୧୫୨ରୁ ନେଇ ୨୬୧ରେ ପହଞ୍ଚାଇଥିଲେ। ଛକା ମାରି ନିଜର କମବ୍ୟାକ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ରାହାଣେ ଲଞ୍ଚ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଏଥିସହ ବ୍ୟକ୍ତିଗତ ଭାବେ ସେ ୮୯ ରନରେ ମଧ୍ୟ ପହଞ୍ଚି ଯାଇଥିଲା।

ଲାଗୁଥିଲା ଲଞ୍ଚ ପରେ ରାହାଣେ ଶତକ ହାସଲ କରିବେ। କିନ୍ତୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଲଞ୍ଚ ପରେପରେ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ରାହାଣେ ତାଙ୍କର ୮୯ ରନ ଇନିଂସରେ ୧୧ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେ ଆଉଟ ହେବା ପରେ ଶାର୍ଦ୍ଦୁଲ ଠାକୁର କିଛି ଶଟ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ପ୍ରଥମେ ଉମେଶ ଯାଦବ(୫) ଓ ପରେ ମହମ୍ମଦ ଶାମି(୧୩) ସାଥ ଦେଇଥିଲେ।

ଶାର୍ଦ୍ଦୁଲ ୫୧ ରନ କରିଥିବା ବେଳେ ତାଙ୍କୁ ଗ୍ରୀନ ଆଉଟ କରି ଭାରତକୁ ୯ମ ଝଟକା ଦେଇଥିଲେ। ଶେଷରେ ମିଚେଲ ଷ୍ଟାର୍କ ୧୩ କରିଥିବା ଶାମିଙ୍କୁ ଆଉଟ କରି ଭାରତର ପ୍ରଥମ ଇନିଂସକୁ ୨୯୬ ରନରେ ଅଟକାଇ ଦେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଗ୍ରୀନ, ବୋଲାଣ୍ଡ ଓ ଷ୍ଟାର୍କ ୨ଟି ଲେଖାଏ ସଫଳତା ପାଇଛନ୍ତି। ନାଥନ ଲାୟନ ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

India Vs Australia World Test Championship Finale WTC WTC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe