Advertisment

ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଶାଳ ବିଜୟ

ଘରୋଇ ମାଟିରେ କଙ୍ଗାରୁ ଟିମକୁ ହରାଇ 1-0 ଆଗରେ ଭାରତ।

author-image
Debibandita Barick
ଅଦ୍ୟତନ ହୋଇଛି
India Players

India Players

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଘରୋଇ ମାଟିରେ କଙ୍ଗାରୁ ବାହିନୀ 295 ରନରେ ପରାସ୍ତ ହୋଇଛନ୍ତି। ଫଳରେ ଏହି ଟେଷ୍ଟ ସିରିଜରେ 1-0ରେ ଆଗରେ ରହିଛି ଭାରତ।

Advertisment

ଅଷ୍ଟ୍ରେଲିଆର ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର 150 ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଫଳରେ ଏକ ଲଜ୍ଜାଜନକ ପରାଜୟର ଆଶଙ୍କା କରାଯାଉଥିଲା। 

ମାତ୍ର ବୋଲର ଆଶାର ସଂଚାର ସୃଷ୍ଟି କରିଥିଲେ। ଘରୋଇ ଦଳକୁ ପ୍ରଥମ ଇନିଂସରେ 104 ରନରେ ଅଲ୍ ଆଉଟ୍ କରାଇ ନେଇଥିଲେ। ଏଥିରେ ଯଶପ୍ରୀତ ବୁମରାଙ୍କୁ 5ଟି ୱିକେଟ ମିଳି ଥିବାବେଳେ ନୀତିଶ ରେଡ୍ଡୀଙ୍କୁ ତିନୋଟି ଏବଂ ମହମ୍ମଦ ସିରାଜଙ୍କୁ 2ଟି ୱିକେଟ ମିଳିଥିଲା।

Advertisment

ଏହାପରେ ଦ୍ୱିତୀୟ ପାଳିରେ ଜାଦୁ ଦେଖାଇଥିଲେ ବ୍ୟାଟର। ଷ୍ଟାର୍ ଓପନର୍ ଯଶସ୍ୱୀ ଜୈସ୍ୱାଲ 161 ରନର ବଡ଼ ପାଳି ଖେଳିଥିଲେ। ତାଙ୍କ ସହ ଓପନିଂ କରିଥିବା କେଏଲ ରାହୁଲ ମଧ୍ୟ 77 ରନ୍ କରି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରେଡ୍ଡୀ 38 (ଅପରାଜିତ), ୱାଶିଂଟନ ସୁନ୍ଦର 29, ଦେବଦତ୍ତ ପାଡିକଲ 25 ରନ୍ କରିଥିଲେ ଏବଂ ଋଷଭ ପନ୍ତ ଓ ଧ୍ରୁବ୍ ଜୁରେଲ ଯଥାକ୍ରମେ ଗୋଟିଏ ଲେଖାଏଁ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

6 ୱିକେଟ ବିନିମୟରେ 487 ରନ୍ କରି ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ। ଫଳରେ କଙ୍ଗାରୁ ବାହିନୀ ଆଗରେ 534 ରନର ଟାର୍ଗେଟ ରହିଥିଲା।

ଦ୍ୱିତୀୟ ପାଳିରେ ବି ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲା କଙ୍ଗାରୁ ବାହିନୀ। ଦଳ ଖାତା ଖୋଲି ନ ଥିବାବେଳେ ପ୍ରଥମ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ। ତୃତୀୟ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ତିନି ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା କଙ୍ଗାରୁ ବାହିନୀ।

ଆଜି ଚତୁର୍ଥ ଦିନରେ ଅବଶିଷ୍ଟ ୱିକେଟ୍ ହରାଇ 226 ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ 295 ରନର ବିଶାଳ ବ୍ୟବଧାନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର 6ରୁ ଆରମ୍ଭ ହେବ।  

Border-Gavaskar Trophy Ind Vs Aus India Australia Test BGT 2024