Advertisment

ଯଶସ୍ୱୀଙ୍କ ଡବଲ୍ ଟନ୍, ଜାଡେଜାଙ୍କୁ ୫ ୱିକେଟ୍: ମାଟି କାମୁଡ଼ିଲା ଇଂଲଣ୍ଡ

୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
India Player

India Player

ବାଜବଲ କ୍ରିକେଟ ଖେଳୁଥିବା ଇଂଲଣ୍ଡ ଗୋଟିଏ ସେସନ୍ସରେ ମାଟି କାମୁଡ଼ିଛି। ଭାରତୀୟ ବୋଲରଙ୍କ ଆଗରେ ଇଂଲିଶ ଟିମର କୌଣସି ବ୍ୟାଟର୍ ତିଷ୍ଟି ପାରିନାହାନ୍ତି। ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟକୁ ୪୩୪ ରନର ବିଶାଳ ବ୍ୟବଧାନରେ ଜିତିନେଇଛି ଇଣ୍ଡିଆ।

Advertisment

ଏହା ଭାରତର ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଭାରତ ଟେଷ୍ଟ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍ ବ୍ୟବଧାନରେ ହରାଇବାର ରେକର୍ଡ କରିଥିଲା। ହେଲେ ଆଜି ରାଜକୋଟରେ ଟିମ୍ ଇଣ୍ଡିଆ ଇଂଲିଶ ବାହିନୀକୁ ୪୩୪ ରନରେ ହରାଇ ନୂଆ କୀର୍ତ୍ତିମାନ ହାସଲ କରିଛି। ଏହି ବିଜୟ ସହ ପାଞ୍ଚ ଟିକିଆ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଭାରତ। 

ରାଜକୋଟରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ସାଙ୍ଗକୁ ବୋଲର୍ ମଧ୍ୟ କମାଲ୍ କରିଛନ୍ତି। ପ୍ରଥମେ ପାଳିରେ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ ପରେ ଦ୍ୱିତୀୟ ପାଳିରେ ଡବଲ୍ ସେଞ୍ଚୁରି ମାରିଥିଲେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସ୍ୱାଲ। ସେ ଲଗାତାର ଦୁଇଟି ମ୍ୟାଚରେ ଦ୍ୱିଶତକ ହାସଲ କରିବାର କୀର୍ତ୍ତିମାନ ରଚିଛନ୍ତି। 

Advertisment

ପ୍ରଥମେ ପାଳି ଆରମ୍ଭ କରି ଭାରତ ୪୪୫ ରନ୍ କରିଥିଲା। ଦ୍ୱିତୀୟ ଦିନରେ ନିଜର ପ୍ରଥମ ଇନିଂସ ଖେଳିଥିବା ଇଂଲିଶ ଟିମ୍ ୩୧୯ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଏହାପରେ ଜୈସ୍ୱାଲ ଏବଂ ରୋହିତ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଦ୍ୱିତୀୟ ଇନିଂସରେ ୧୯ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ରୋହିତ। ତାଙ୍କ ପରେ ଶୁବମନ ଗିଲ୍ ଜୈସ୍ୱାଲଙ୍କ ସାଥ୍ ଦେଇଥିଲେ। ତୃତୀୟ ଦିନରେ ୧୦୪ ରନ୍ କରିଥିବା ବେଳେ ରିଟାର୍ଡ ହଟ୍ ନେଇଥିଲେ ଜୈସ୍ୱାଲ। ଏହାପରେ ଷ୍ଟମ୍ପ୍ ଅପସାରଣ ବେଳକୁ ଗିଲ୍ ୬୫ ଏବଂ ତାଙ୍କ ସହ କୁଳଦୀପ ଯାଦବ ୩ ରନ୍ କରି ଅପରାଜିତ ରହିଥିଲେ।

ଆଜି ଚତୁର୍ଥ ଦିନର ଖେଳରେ ପୁନର୍ବାର ପାଳି ଆରମ୍ଭ କରିଥିଲେ ଗିଲ୍ ଓ କୁଳଦୀପ। ଗିଲ୍ ଶତକକୁ ମାତ୍ର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇ ଯାଇଥିଲେ। ସେ ୯୧ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ରିଟାର୍ଡ ହର୍ଟ ନେଇଥିବା ଯଶସ୍ୱୀ ଖେଳ ଆରମ୍ଭ କରିଥିଲେ। ସେ ଆଜି ଆଉ ୧୧୦ ରନ୍ କରିବା ସହ ଦ୍ୱିଶତକ କରିଥିଲେ। 

୨୭ ରନ୍ କରି ଆଉଟ୍ ହୋଇଥିବା କୁଳଦୀପଙ୍କ ପରେ ଆସିଥିବା ସର୍ଫରାଜ ଖାନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ଡେବ୍ୟୁ ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଚତୁର୍ଥ ଦିନରେ ସେ ୬୮ ରନ୍ କରିଥିଲେ। ସର୍ଫରାଜ ଓ ଜୈସ୍ୱାଲ ୨୧୪ କରି ଅପରାଜିତ ଥିବାବେଳେ ଦଳ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ଟାର୍ଗେଟ ରହିଥିଲା।

ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲିଶ ବାହିନୀ ଟିମ୍ ଇଣ୍ଡିଆ ଆଗରେ ମାଟି କାମିଡ଼ିଥିଲେ। ଦଳର କୌଣସି ବି ବ୍ୟାଟର ଅଧିକ ସମୟ ତିଷ୍ଟି ପାରିନଥିଲେ। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ସର୍ବାଧିକ ପାଞ୍ଚଟି ୱିକେଟ୍ ଖସାଇଥିଲେ ଜାଡେଜା। ସେହିପରି କୁଳଦୀପ ଯାଦବ ଦୁଇଟି ଏବଂ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଛନ୍ତି।

ପରିବାର ସଦସ୍ୟଙ୍କ ଅସୁସ୍ଥତା କାରଣରୁ ତୃତୀୟ ଦିନରେ ଖେଳିନଥିବା ଅଶ୍ୱିନ ଆଜି ଚତୁର୍ଥ ଦିନରେ ଦଳରେ ସାମିଲ୍ ହୋଇଥିଲେ। ସେ ମଧ୍ୟ ଗୋଟିଏ ୱିକେଟ୍ ନେଇଛନ୍ତି। ଜାଡେଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି।

ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ରାଞ୍ଚିରେ ଫେବ୍ରୁଆରୀ ୨୩-୨୭ରେ ଖେଳାଯିବ। ସେହିପରି ଧର୍ମଶାଳାରେ ମାର୍ଚ୍ଚ ୭-୧୧ରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ। 

Test Cricket IND Vs ENG IND Vs ENG 3rd Test India Won 3rd Test