Advertisment

Asia Cup : ଭିନ୍ନ ହେବ ଭାରତ-ପାକିସ୍ତାନ ଫାଇନାଲ ଟକ୍କର! ଗରମ, ସ୍ୱିଙ୍ଗ ଓ କାକର

ଦୁବାଇରେ ପ୍ରଥମରୁ ମିଳୁଥିବା ସ୍ୱିଙ୍ଗ ପ୍ରାୟତଃ ଏସିଆ କପ ଆରମ୍ଭରୁ ଦେଖିବାକୁ ମିଳି ନଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ଭାରତ ଓ ପାକିସ୍ତାନ ମ୍ୟାଚ୍‌ରେ ସ୍ୱିଙ୍ଗର ସଙ୍କେତ ପାୱାର ପ୍ଲେରେ ଦେଖିବାକୁ ମିଳିଛି।

Pakistan

ଭାରତ-ପାକିସ୍ତାନ

Advertisment

ଏସିଆ କପ(Asia Cup)ର ଶେଷ ସୁପର ୪ ମୁକାବିଲାରେ ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଚଳିତ ଏସିଆ କପରେ ସର୍ବାଧିକ ସ୍କୋର କରିବା ସତ୍ତ୍ୱେ ଶ୍ରୀଲଙ୍କା ବ୍ୟାଟର ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏକଦା ଶ୍ରୀଲଙ୍କା ବ୍ୟାଟର ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। 

Advertisment

ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ଶ୍ରୀଲଙ୍କା ବ୍ୟାଟର ପ୍ରବଳ ଛେଚିବାକୁ ସକ୍ଷମ ହୋଇଥିଲେ। ବିଶେଷ କରି ଓପନର ପଥୁମ ନିଶାଙ୍କା ୫୨ ବଲରେ ଶତକ ହାସଲ କରିଥିଲେ। ତେବେ ଠିକଣା ସମୟରେ ଭାରତ କମବ୍ୟାକ କରିବା ସହ ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇଥିଲା। ଦୁବାଇ ଭଳି ପିଚ୍‌ରେ ଭାରତ ୨୦୨ ରନ କରିଥିଲେ ହେଁ ଶ୍ରୀଲଙ୍କା ଏହାକୁ ଚେଜ୍‌ କରିବା ସ୍ଥିତିରେ ପହଞ୍ଚି ଯାଇଥିଲା। କିନ୍ତୁ ସିଂହଳ ଟିମକୁ ବିଜୟ ସ୍ୱାଦ ମିଳି ନାହିଁ। 

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଭାରତ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଥିଲା। କିନ୍ତୁ ଆହତ ପାଇଁ ତିଳକ ବର୍ମା, ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଛାଡ଼ିବା ପାକିସ୍ତାନ ବିପକ୍ଷ ଫାଇନାଲ ପୂର୍ବରୁ ଭାରତର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଦୁବାଇର ଗରମ ଭାରତୀୟ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଏହା ବଡ଼ ଭୂମିକା ଗ୍ରହଣ କରିବ କି ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ପାୱାର ପ୍ଲେରେ ସ୍ୱିଙ୍ଗର ସଙ୍କେତ

ଦୁବାଇରେ ପ୍ରଥମରୁ ମିଳୁଥିବା ସ୍ୱିଙ୍ଗ ପ୍ରାୟତଃ ଏସିଆ କପ ଆରମ୍ଭରୁ ଦେଖିବାକୁ ମିଳି ନଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ଭାରତ ଓ ପାକିସ୍ତାନ ମ୍ୟାଚ୍‌ରେ ସ୍ୱିଙ୍ଗର ସଙ୍କେତ ପାୱାର ପ୍ଲେରେ ଦେଖିବାକୁ ମିଳିଛି। ଭାରତର ଯଶପ୍ରୀତ ବୁମ୍ରା ପାୱାର ପ୍ଲେରେ ପରଭେଜ ଇମୋନଙ୍କୁ ସ୍ୱିଙ୍ଗରେ ବିଟ କରିଥିଲେ। ସେହିପରି ପାକିସ୍ତାନର ହାରିଶ ରୌଫ ଓ ଶାହୀନ ଶାହ ଆଫ୍ରିଦି ମଧ୍ୟ ବାଂଲାଦେଶ ବିପକ୍ଷରେ ସ୍ୱିଙ୍ଗ ହାସଲ କରିଥିଲେ। 

ପ୍ରଥମରୁ ବୋଲରଙ୍କୁ ଦୁବାଇ ପିଚ୍‌ରେ ଏଥର ଫାଇଦା ମିଳିବାର ସଙ୍କେତ କ’ଣ ଏହି ସ୍ୱିଙ୍ଗରୁ ମିଳିଛି? ଯଦି ହଁ, ତା’ହେଲେ ଆଫ୍ରିଦି ଓ ରୌଫ ବନାମ ଭାରତୀୟ ଟପ ଅର୍ଡର ମଧ୍ୟରେ କଡ଼ା ଟକ୍କର ରବିବାର ଫାଇନାଲରେ ଦେଖିବାକୁ ମିଳିବ। ପାକିସ୍ତାନ ବିପକ୍ଷ ଗ୍ରୁପ ଓ ସୁପର ୪ ମ୍ୟାଚ୍‌ ଠାରୁ ଏହା ଭିନ୍ନ ହେବ। କାରଣ ପ୍ରଥମ ଦୁଇ ମ୍ୟାଚ୍‌ରେ ଦୁବାଇ ପିଚ୍‌ରେ ଆଦୌ ସ୍ୱିଙ୍ଗ ଦେଖିବାକୁ ମିଳି ନଥିଲା। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ରୌଫଙ୍କ ପ୍ରତି ମଧ୍ୟ ଭାରତକୁ ସତର୍କ ରହିବାକୁ ପଡ଼ିବ।

ଦମ୍ଭ ଦେଖାଇବା ଦୁବାଇ ଗରମ

ସେପ୍ଟେମ୍ବର ମାସରେ ଦୁବାଇରେ ଅପ୍ରତ୍ୟାଶିତ ଗରମ ଅନୁଭୂତ ହେଉଛି। ଏତେ ଗରମରେ ଟୁର୍ଣ୍ଣାମେଣ୍ଟ ଖେଳିବା ଖେଳାଳିଙ୍କ ସାମ୍ନାରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଗରମ କେମିତି ଖେଳାଳିଙ୍କୁ ପ୍ରଭାବିତ କରିପାରେ, ତା’ର ଜ୍ୱଳନ୍ତ ଉଦାହରଣ ଶ୍ରୀଲଙ୍କା ବିପକ୍ଷ ଶେଷ ସୁପର ୪ ମୁକାବିଲାରେ ଭାରତୀୟ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ବୟାନ କରୁଛି।

ଗରମ ଯୋଗୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମ ଓଭର ବୋଲିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଛାଡ଼ିଥିଲେ। ପୂରା ମ୍ୟାଚ୍‌ରେ ତାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। ଫିଲ୍ଡିଂ କରିବା ବେଳେ ଅଭିଷେକ ଶର୍ମା ଓ ତିଳକ ବର୍ମା ମଧ୍ୟ କ୍ରାମ୍ପ ଓ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ଶ୍ରୀଲଙ୍କାର ଖେଳାଳିମାନେ ଗୁଳୁଗୁଳିର ସାମ୍ନା କରିଥିଲେ। ଗରମରେ ବୋଲିଂ ଓ ଫିଲ୍ଡ କରିବା ଦୁଇ ଦେଶର ଖେଳାଳିଙ୍କୁ ନାକେଦମ କରିଥିଲା। 

ଏଥିଯୋଗୁ ପାଣ୍ଡ୍ୟା, ଶର୍ମା ଓ ବର୍ମା ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ମ୍ୟାଚ୍‌ ପରେ ଭାରତର ବୋଲିଂ କୋଚ ସ୍ପଷ୍ଟ କରିଛନ୍ତି ଯେ ଅଭିଷେକ ଶର୍ମା ଫିଟ ରହିଛନ୍ତି। କିନ୍ତୁ ପାଣ୍ଡ୍ୟାଙ୍କ ସ୍ଥିତି ଶନିବାର ଆକଳନ କରାଯିବ।

ଯଦି ଫାଇନାଲ ମ୍ୟାଚ୍‌(Cricket)ରେ ପାଣ୍ଡ୍ୟା ଉପଲବ୍ଧ ନ ହେବେ, ତା’ହେଲେ ଭାରତ ତା’ର ଓପନିଂ ବୋଲରଙ୍କୁ ହରାଇବ। ଏହାପରେ ଭାରତ ଅର୍ଶଦୀପ କିମ୍ବା ରାଣାଙ୍କ ମଧ୍ୟରୁ ଜଣଙ୍କୁ ଖେଳଇବାକୁ ବାଧ୍ୟ ହେବ। ଉଭୟ ଶ୍ରୀଲଙ୍କା ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ନୂଆ ବଲରେ ଉଭୟ ପ୍ରବଳ ରନ ଦେଇଥିଲେ। ଅବଶ୍ୟ ଶେଷ ଭାଗରେ ଅର୍ଶଦୀପ ନିଜର ଯାଦୁ ଦେଖାଇଥିଲେ। ହେଲେ ଫାଇନାଲ ମ୍ୟାଚ୍‌ରେ ଅର୍ଶଦୀପଙ୍କ ପ୍ରଦର୍ଶନ କେମିତି ରହିବ, ତା’ହା ଆକଳନ କରିବା ବେଶ ମୁସ୍କିଲ। ଏଯାଏ ଏସିଆ କପରେ ଅର୍ଶଦୀପ କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। 

ଗରମ, ସ୍ୱିଙ୍ଗ ବ୍ୟତୀତ କାକର ମଧ୍ୟ ପଡ଼ିଆର ଆଶଙ୍କା ରହିଛି। ଏସବୁ ରବିବାର ଫାଇନାଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ପୂର୍ବ ଦୁଇ ଥର ଅପେକ୍ଷା ଆସନ୍ତାକାଲି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ହେବ।

ଦୀର୍ଘ ୪୧ ବର୍ଷ ପରେ ଭାରତ ଓ ପାକିସ୍ତାନ(India Vs Pakistan) ଏସିଆ କପ ଫାଇନାଲ ଖେଳିବାକୁ ଯାଉଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ୧୮୦ ରନରେ ହରାଇ ଦେଇଥିଲା। ଏହାପରେ ଭାରତ ଅନେକ ଥର ପାକିସ୍ତାନକୁ ହରାଇଛି। କିନ୍ତୁ ୨୦୧୭ ପରଠାରୁ ପାକିସ୍ତାନ ଓ ଭାରତ ପରସ୍ପର ବିରୋଧରେ ଫାଇନାଲ ଖେଳି ନାହାନ୍ତି। ତେଣୁ ପାକିସ୍ତାନକୁ ହରାଇ ଭାରତ ୨୦୧୭ ଫାଇନାଲ ପରାଜୟର ବଦଲା ନେବା ମୁଡରେ ରହିବ। 

ଅନ୍ୟପକ୍ଷରେ ପାକିସ୍ତାନ ଚଳିତ ଏସିଆ କପରେ ଭାରତ ଠାରୁ ଦୁଇ ଥର ହାରି ମଧ୍ୟ ଫାଇନାଲରେ ପ୍ରବେଶ କରିଛି। ତେଣୁ ଦଳ ପରାଜୟର ପ୍ରତିଶୋଧ ଫାଇନାଲରେ ନେବାକୁ ଚେଷ୍ଟା କରିବ। 

Cricket India Vs Pakistan Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe