Advertisment

ଏସିଆନ ଗେମ୍ସ: ଜୈସୱାଲଙ୍କ ଶତକ, ସେମିରେ ଟିମ ଇଣ୍ଡିଆ

ନେପାଳ ବିପକ୍ଷ ମ୍ୟାଚ୍‌ରେ ଯୁବକ ତାରକା ଯଶସ୍ୱୀ ଜୈସୱାଲ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ବେଳେ ରିଙ୍କୁ ସିଂହ ୧୫ ବଲରେ ଅପରାଜିତ ୩୭ ରନ କରିଥିଲେ।

Team India

Team India

Advertisment

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ। ଉଚ୍ଚ ମାନ୍ୟତା ପ୍ରାପ୍ତ ଭାରତ ସିଧାସଳଖ ଆଜି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଦଳ ନେପାଳକୁ ୨୩ ରନରେ ପରାସ୍ତ କରି ସେମି ଫାଇନାଲ ଟିକେଟ ହାସଲ କରିଛି।

Advertisment

ନେପାଳ ବିପକ୍ଷ ମ୍ୟାଚ୍‌ରେ ଯୁବକ ତାରକା ଯଶସ୍ୱୀ ଜୈସୱାଲ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ବେଳେ ରିଙ୍କୁ ସିଂହ ୧୫ ବଲରେ ଅପରାଜିତ ୩୭ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୨ ରନ କରିଥିଲା। ଏହାର ଜବାବରେ ନେପାଳ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତୀୟ ସିନିୟର ଟିମ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି କରୁଥିବା ବେଳେ ବିସିସିଆଇ ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ଆଉ ଗୋଟିଏ ଦଳକୁ ଏସିଆନ ଗେମ୍ସ ପାଇଁ ପଠାଇଛି। ଇଣ୍ଡିଆର ବି ଟିମ ଭାବେ ପରିଚିତ ଏହି ଯୁବବାହିନୀ କିନ୍ତୁ ଆଜି ନେପାଳ ବିପକ୍ଷରେ ନିଜର ଜଲୱା ଦେଖାଇଛି। ଚାଇନାରେ କେବେ ହେଲେ କ୍ରିକେଟ ଖେଳି ନଥିବା ମେନ ଇନ ବ୍ଲ୍ୟୁର ଅଧିନାୟକ ଗାଏକ୍ୱାଡ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

Advertisment

ଜୈସୱାଲଙ୍କ ସହ ମିଶି ଗାଏକ୍ୱାଡ ପ୍ରଥମ ୱିକେଟ ପାଇଁ ୧୦ ଓଭର ସୁଦ୍ଧା ୧୦୩ ରନ ଯୋଡ଼ିଥିଲେ। ଜୈସୱାଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୩ ଥିବା ବେଳେ ବ୍ୟକ୍ତିଗତ ୨୫ ରନ କରି ଗାଏକ୍ୱାଡ ଆଉଟ ହୋଇ ଯାଇଥିଲେ। ତିଲକ ବର୍ମା କେବଳ ୨ ରନ କରିବାକୁ ସକ୍ଷମ ହୋଇଥିଲେ। ୪ନଂରେ ଆସିଥିବା ଜିତେଶ ଶର୍ମା ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। 

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଜୈସୱାଲ କିନ୍ତୁ ବଡ଼ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ସେ ଏସିଆନ ଗେମ୍ସରେ ନିଜର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ତେବେ ଏହାକୁ ସେ ଆଉ ଆଗକୁ ନେଇ ପାରି ନଥିଲେ। ୪୯ ବଲରେ ୧୦୦ ରନ କରିଥିବେ ଜୈସୱାଲଙ୍କୁ ଦୀପେନ୍ଦ୍ର ସିଂହ ଅଇରୀ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ଜୈସୱାଲ ୭ଟି ଛକା ଓ ୮ଟି ଚୌକା ମାରିଥିଲେ।

୫ମ ୱିକେଟ ପାଇଁ ଶିବମ ଦୁବେ ଓ ରିଙ୍କୁ ସିଂହ ଅପରାଜିତ ୫୨ ରନ ଯୋଡ଼ିଥିଲେ। ଏହା ମଧ୍ୟରୁ ରିଙ୍କୁ ଏକାକୀ ୧୫ ବଲରେ ୩୭ ରନ କରିଛନ୍ତି। ଦୁବେ ୧୯ ବଲରେ ୨୫ ରନ କରି ଶେଷ ଯାଏ ରିଙ୍କୁଙ୍କ ସାଥ ଦେଇଥିଲେ। ରିଙ୍କୁ ତାଙ୍କ ଇନିଂସରେ ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି।

ଭାରତ ଦେଇଥିବା ୨୦୩ ରନର ଟାର୍ଗେଟକୁ ପିଛା କରୁଥିବା ନେପାଳ ୨୯ ରନରେ ପ୍ରଥମ ୱିକେଟ ହରାଇଥିଲା। ଆସିଫ ଶେଖ(୧୦) ଆବେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଅନ୍ୟତମ ଓପନର କୁଶଲ ବୁରଟେଲ ୨୫ ରନ କରିଥିବା ବେଳେ ତାଙ୍କୁ ଡେବ୍ୟୁଟାଣ୍ଟ ସାଇକିଶୋର ପ୍ୟାଭିଲିୟନ ପଠାଇଥିଲେ। 

କୁଶଲ ମଲ୍ଲା କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ରବି ବିଷ୍ଣୋଇଙ୍କ ଖାତାକୁ ଯାଇଥିଲା। ନେପାଳର ଅଧିନାୟକ ରୋହିତ ପୌଡେଲ ମାତ୍ର ୩ ରନ କରି ବିଷ୍ଣୋଇଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୭୭ ରନରେ ଦଳ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ଦୀପେନ୍ଦ୍ର ସିଂହ ଅଇରୀ ଓ ସୁଦୀପ ଜୋରା ସ୍ଥିତି ସମ୍ଭାଳିଥିଲେ। ଦୀପେନ୍ଦ୍ର ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଶିବମ ଦୁବେଙ୍କୁ ହ୍ୟାଟ୍ରିକ ଛକା ମଧ୍ୟ ମାରିଥିଲେ। କିନ୍ତୁ ସେ ୧୫ ବଲରେ ୩୨ ରନ କରିଥିବା ବେଳେ ତାଙ୍କୁ ବିଷ୍ଣୋଇ ଆଉଟ କରି ନେପାଳକୁ ୫ମ ଝଟକା ଦେଇଥିଲେ। ଦଳୀୟ ସ୍କୋର ୧୪୦ ଥିବା ବେଳେ ସୁଦୀପ(୨୯)ଙ୍କୁ ଅର୍ଶଦୀପ ସିଂହ ଆଉଟ କରି ନେପାଳର ପରାଜୟ ଏକପ୍ରକାରର ସୁନିଶ୍ଚିତ କରି ଦେଇଥିଲେ।

ଶେଷ ଭାଗରେ ସୋମପାଲ କାମି ୭ ରନ, ଗୁଲଶନ ଝା ୬ ରନ ଓ ସିନ୍ଦୀପ ଲାମିଚାନେ ୫ ରନ କରିବାକୁ ସକ୍ଷମ ହୋଇଥିଲେ। କରନ କେସି ଅପରାଜି ୧୮ ରନର ଇନିଂସ ଖେଳିବାରୁ ନେପାଳ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ଏହି ମ୍ୟାଚ୍‌କୁ ୨୩ ରନରେ ବାଜିମାତ କରି ସେମିରେ ପ୍ରବେଶ କରିଛି।

ଭାରତ ପକ୍ଷରୁ ବିଷ୍ଣୋଇ ଓ ଆବେଶ ଖାନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଅର୍ଶଦୀପଙ୍କୁ ୨ଟି ଓ ସାଇ କିଶୋର ଗୋଟିଏ ସଫଳତା ପାଇଛନ୍ତି।

Team India Asian Games 19th Asian Games Asian Games Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe