/odisha-reporter/media/post_attachments/uploads/2021/09/shardul.jpg)
shardul
ଲଣ୍ଡନ: ଲିଡ୍ସ ପରାଜୟ ପରେ ଓଭାଲରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଏକ ସମୟରେ ୧୦୦ ରନରେ କୌଣସି ସଫଳତା ପାଇନଥିବା ଭାରତ ପରବର୍ତ୍ତୀ ୯୩ ରନ୍ ଭିତରେ ଇଂଲଣ୍ଡର ୮ ୱିକେଟ୍ ନେଇ ମ୍ୟାଚରେ ବିଜୟ ଆଡ଼କୁ ଅଗ୍ରସର ହୋଇଛି।
ଭାରତ ଦ୍ୱାରା ଧାର୍ଯ୍ୟ ୩୬୮ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଚା’ପାତ ବିରତି ସୁଦ୍ଧା ୮ ୱିକେଟ୍ ହରାଇ ୧୯୩ ରନ୍ କରିଛି। କ୍ରେଗ୍ ଓଭରଟନ୍ ୫ ରନରେ ବ୍ୟାଟିଂ କରୁଛନ୍ତି। ତୃତୀୟ ତଥା ଶେଷ ସେସନରେ ଆଉ ୩୭.୫ ଓଭର ଥିବା ବେଳେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ଆଉ ୨ ୱିକେଟ୍ ଦରକାର।
ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ୱିକେଟରେ ୭୭ ରନ୍ କରିଥିଲା। ପଞ୍ଚମ ଦିନରେ ଇଂଲଣ୍ଡର ଦୁଇ ଓପ୍ନର ଭଲ ଷ୍ଟାର୍ଟ କରିଥିଲା। ଦୁହେଁ ସ୍କୋରକୁ ୧୦୦ ଯାଏ ନେଇଥିଲେ। ପ୍ରଥମ ଇନିଂସରେ ନିରାଶ କରିଥିବା ରୋରୀ ବର୍ନସ୍ (୫୦) ଅର୍ଦ୍ଧଶତକ ମାରିବାର ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାୱିଡ୍ ମଲାନ୍ ମାତ୍ର ୫ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ।
ସେଟ୍ ହୋଇସାରିଥିବା ହସୀବ ହମୀଦଙ୍କ ଜାଡେଜାଙ୍କ ସ୍ପିନ୍ ଜାଲରେ ଫସିଯାଇଥିଲେ। ଇଂଲଣ୍ଡର ସ୍କୋର ୧୪୧ ରନରେ ଥିବା ବେଳେ ଜାଡେଜା ହମୀଦଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହା ପରେ ୧ ରନ୍ ଭିତରେ ତିନି ୱିକେଟ୍ ହରାଇ ଭାରତ ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିଥିଲେ ଜାଡେଜା।
ସୁପର୍ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍ (୩୬)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସ (୧୮)ଙ୍କୁ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟର ପତନ କରିଥିଲେ। ଓକ୍ସଙ୍କ ଆଉଟ୍ ପରେ ଚା’ପାନ ବିରତି ହୋଇଥିଲା। ଭାରତ ପକ୍ଷରୁ ବୁମ୍ରା, ଜାଡେଜା ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
