Advertisment

ଚେପକ୍‌ରେ ଚମକିଲେ ଅଶ୍ୱିନ୍, ବିଜୟଠୁ ୭ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

ଚେନ୍ନାଇ: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ କମ୍ବିନେଶନ୍ ଦମରେ ଟିମ୍ ଇଣ୍ଡିଆ ଚେନ୍ନାଇ ଟେଷ୍ଟକୁ ନିଜ କବଜାରେ କରିନେଇଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭ୍ରମଣକାରୀ ଦଳ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିବସ ଖେଳ […]

ଅଦ୍ୟତନ ହୋଇଛି
ଚେପକ୍‌ରେ ଚମକିଲେ ଅଶ୍ୱିନ୍, ବିଜୟଠୁ ୭ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

ind-vs-eng

Advertisment

ଚେନ୍ନାଇ: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ କମ୍ବିନେଶନ୍ ଦମରେ ଟିମ୍ ଇଣ୍ଡିଆ ଚେନ୍ନାଇ ଟେଷ୍ଟକୁ ନିଜ କବଜାରେ କରିନେଇଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭ୍ରମଣକାରୀ ଦଳ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୫୩ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଡାନ୍ ଲରେନ୍ସ ୧୯ ଓ ଜୋ ରୁଟ୍ ୨ ରନ୍ କରି ଅପରାଜିତ ରହିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଚତୁର୍ଥ ଦିବସରେ ଭାରତକୁ ୭ ୱିକେଟ୍ ଦରକାର ହେଉଥିବା ବେଳେ ଇଂଲଣ୍ଡକୁ ଆହୁରି ୪୨୯ ରନ୍ ଆବଶ୍ୟକ।

Advertisment

ଏହି ବିଶାଳ ଟାର୍ଗେଟର ପିଛା କରୁଥିବା ଇଂଲଣ୍ଡର ଓପନିଂ ଯୋଡ଼ି ପ୍ରଥମ କିଛି ଓଭର ଭାରତୀୟ ବୋଲରଙ୍କୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏଠାକାର ସ୍ପିନିଂ ଟ୍ରାକରେ ଏମାନେ ବେଶୀ ସମୟ ତିଷ୍ଠିପାରିନଥିଲେ। ଡମ୍ ସିବଲେ (୩) ପୁଣିଥରେ ନିରାଶ କରିଥିଲେ ଏବଂ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲେଙ୍କ ଶିକାର ହୋଇଥିଲେ। ଏହା ପରେ ଡାନ୍ ଲରେନ୍ସ ଓ ରୋରୀ ବର୍ନସ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବିଶେଷକରି ଅଶ୍ୱିନଙ୍କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ଅଶ୍ୱିନଙ୍କ ଫିରକୀ ଆଗରେ ହାର୍ ମାନିଛନ୍ତି ବର୍ନସ୍। ବର୍ନସ୍ ବ୍ୟକ୍ତିଗତ ୨୫ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲରେ ପ୍ରଥମ ସ୍ଲିପରେ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ନାଇଟ୍ ୱାଚମ୍ୟାଚ୍ ଭାବେ ଆସିଥିବା ଜ୍ୟାଚ୍ ଲିଚ୍ ମାତ୍ର ଗୋଟିଏ ବଲ୍ ଖେଳି ହିଁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଅକ୍ଷର ପଟେଲ୍ ଆଉଟ୍ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍ ନେଇଛନ୍ତି।

ତୃତୀୟ ଦିବସର ଆରମ୍ଭରୁ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ମିଡଲ୍ ଅର୍ଡରରେ କୋହଲି ଓ ଅଶ୍ୱିନଙ୍କ ଯୋଡ଼ି ଦମଦାର ବ୍ୟାଟିଂ କରି ଭାରତକୁ ୨୮୬ ରନର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ଅଶ୍ୱିନ୍ ୧୪୮ ବଲରେ ୧୪ ଚୌକା ଓ ୧ ଛକା ସହ ୧୦୬ ରନ୍ କରି ଆଉଟ୍ ହୋଇଥିବା ବେଳେ କୋହଲି ମଧ୍ୟ ୬୨ (୧୪୯ ବଲ୍, ୭ ଚୌକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଦୁହେଁ ସପ୍ତମ ୱିକେଟ୍ ପାଇଁ ୯୬ ରନର ପାର୍ଟନରଶିପ୍ କରିଥିଲେ।

Advertisment

ଭାରତ ଆଜି ପୂର୍ବଦିନର ସ୍କୋର ୫୪/୧ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ରୋହିତ୍ ଶର୍ମା ଓ ଚେତେଶ୍ୱର ପୂଜାରା ଯୋଡ଼ି ବେଶୀ ସମୟ କ୍ରିଜରେ ତିଷ୍ଠିନଥିଲା। ଦିବସର ପ୍ରଥମ ଓଭରର ଶେଷ ବଲରେ ପୂଜାରା (୭) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟର ଶିକାର ହୋଇଥିଲେ। ପରେ ପରେ ରୋହିତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲା। ରୋହିତ୍ ବ୍ୟକ୍ତିଗତ ୨୬ ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଋଷଭ ପନ୍ତ ଓ ଆଜିଙ୍କ୍ୟ ରାହାଣେ ନିରାଶ କରିଥିଲେ। ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ପକାଇବା ସହ ରନ୍ ଗତିକୁ ବଢ଼ାଇବା ପାଇଁ ପନ୍ତଙ୍କୁ ଉପରକୁ ବ୍ୟାଟିଂ ପଠାଯାଇଥିଲା। କିନ୍ତୁ ସେ ମାତ୍ର ୮ ରନ୍ କରି ଲିଚଙ୍କ ଶିକାର ହୋଇଥିଲେ। ରାହାଣେ (୧୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅକ୍ଷର ପଟେଲ୍ ପୁଣିଥରେ ବ୍ୟାଟରେ ନିରାଶ କରି ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

୧୦୬ ରନ୍ ଭିତରେ ୬ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିଲା ବେଳେ କୋହଲି ଓ ଅଶ୍ୱିନଙ୍କ ଯୋଡ଼ି ଇଂଲିଶ ବୋଲରଙ୍କୁ ହତାଶ କରିଥିଲେ। ବିଶେଷକରି ଆତ୍ମବିଶ୍ୱାସରେ ଭରପୂର ଅଶ୍ୱିନ୍ କ୍ରିଜକୁ ଆସିବା ମାତ୍ରକେ ଇଂଲଣ୍ଡ ବୋଲରଙ୍କୁ ଆଟାକ୍ କରିବା ସହ ଭାରତର ରନ୍ ଗତିକୁ ବଢ଼ାଇଥିଲେ। ଦୁହେଁ ସେଟ୍ ହୋଇ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଦ୍ୱିତୀୟ ସେସନରେ ମଧ୍ୟ କୋହଲି ଓ ଅଶ୍ୱିନ୍ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। କୋହଲି ୧୦୭ ବଲରେ ଓ ଅଶ୍ୱିନ୍ ୬୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଭାରତର ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ଟିମର ସ୍କୋର ୨୦୨ ଥିବା ବେଳେ କୋହଲିଙ୍କୁ ଆଉଟ୍ କରି ମୋଇନ୍ ଅଲୀ ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୁଲଦୀପ ଯାଦବ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଈଶାନ୍ତ ଶର୍ମା ୭ ରନ୍ କରି ଆଉଟ୍ ହୋଇଥିଲେ।

୨୩୭ ରନରେ ୯ ୱିକେଟ୍ ହରାଇବା ପରେ ଅଶ୍ୱିନଙ୍କର ଶତକ ମାରିବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଶେଷ ବ୍ୟାଟ୍ସମ୍ୟାନ୍ ମହମ୍ମଦ ସିରାଜ୍ ଯେଉଁଭଳି ଢଙ୍ଗରେ ବ୍ୟାଟିଂ କଲେ, ତାହା ଅଶ୍ୱିନଙ୍କୁ ଶତକ ମାରିବାରେ ସହଜ ହୋଇଥିଲା। ଅଶ୍ୱିନ୍ ନିଜର ୧୩୪ ବଲରେ ନିଜର ପଞ୍ଚମ ଶତକ ପୂରଣ କରିଥିଲେ। ଏପରିକି ସେ ସିରାଜଙ୍କ ସହ ମିଶି ଦଶମ ୱିକେଟ୍ ପାଇଁ ୪୯ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ସିରାଜ୍ ୨୧ ବଲରେ ୨ ଛକା ସହ ୧୬ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ୍ ଓ ଲିଚ୍ ୪ଟି ଲେଖାଏ ଏବଂ ଓଲି ଷ୍ଟୋନ୍ ଗୋଟିଏ ୱିକେଟ୍ ନେଇଥିଲେ।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe