ଥରେ ନୁହେଁ, ଏ ବର୍ଷ ଦୁଇଥର ଭାରତ-ପାକ୍ ଟକ୍କର

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ପୁଣିଥରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ। ଚଳିତ ବର୍ଷ ଥରେ ନୁହେଁ ଦୁଇଥର ଭାରତ ଓ ପାକିସ୍ତାନ ମଧ୍ୟ ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ପୁଣିଥରେ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ହେବାକୁଥିବା ମହିଳା ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବ। […]

india-vs-pak

Ranjit Kumar Jena
  • Published: Friday, 21 January 2022
  • , Updated: 21 January 2022, 04:41 PM IST

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ପୁଣିଥରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ। ଚଳିତ ବର୍ଷ ଥରେ ନୁହେଁ ଦୁଇଥର ଭାରତ ଓ ପାକିସ୍ତାନ ମଧ୍ୟ ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ପୁଣିଥରେ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ହେବାକୁଥିବା ମହିଳା ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବ। ତେଣୁ ଚଳିତ ବର୍ଷ ଫ୍ୟାନଙ୍କୁ ଭାରତ ଓ ପାକିସ୍ତାନ ମୁକାବିଲାର ଡବଲ୍ ତଡକା ମିଳିବ।

ଟି-୨୦ ବିଶ୍ୱକପର ଶୁଭାରମ୍ଭ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୩ରେ ଫାଇନାଲ୍ ଅନୁଷ୍ଠିତ ହେବ। ଆଇସିସି ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଓ ପାକିସ୍ତାନ ସମେତ ଗ୍ରୁପ୍-ବି’ରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ସହ ଦୁଇଟି କ୍ୱାଲିଫାୟର୍ ଟିମ୍ ରହିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୨୩ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ମେଲବର୍ଣ୍ଣରେ ଅନୁଷ୍ଠିତ ହେବ। ଗତ ବର୍ଷ ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ପାକିସ୍ତାନ ବାଜି ପଲଟାଇ ବିଶ୍ୱକପ୍ ଇତିହାସରେ ପ୍ରଥମଥର ଭାରତକୁ ହରାଇବାରେ ସଫଳ ହୋଇଥିଲା।

ଟି-୨୦ ବିଶ୍ୱକପର ମ୍ୟାଚ୍ ଅଷ୍ଟ୍ରେଲିଆରେ ଆୟୋଜନ ହେବ। ସମସ୍ତ ମ୍ୟାଚ୍ ୭ଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ଗୁଡ଼ିକ ହେଲେ ମେଲବର୍ଣ୍ଣ, ଆଡିଲେଡ୍, ବ୍ରିସବେନ୍, ହୋବାର୍ଟ, ଜିଲଙ୍ଗ, ପର୍ଥ ଓ ସିଡନୀ। ଉକ୍ତ ବିଶ୍ୱକପର ମୁଖ୍ୟ ରାଉଣ୍ଡରେ ମୋଟ ୧୨ଟି ଟିମ୍ ଭାବେ ଭାଗ ନେବେ। ପୂର୍ବ ସଂସ୍କରଣ ଭଳି ଟି-୨୦ ବିଶ୍ୱକପ୍ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହେବ। ରାଉଣ୍ଡ-୧ରେ ୮ଟି ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଉଣ୍ଡ-୧ର ଦୁଇଟି ଗ୍ରୁପରୁ ମୋଟ ୪ଟି ଟିମ୍ ରାଉଣ୍ଡ-୨କୁ କ୍ୱାଲିଫାଏ କରିବେ।

ରାଉଣ୍ଡ-୧ରେ ନାମିବିଆ, ସ୍କଟଲ୍ୟାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ଟିମ୍ ପୂର୍ବ ସଂସ୍କରଣ ଆଧାରରେ କ୍ୱାଲିଫାଏ କରିସାରିଛନ୍ତି। ବାକି ୪ଟି ଟିମ୍ ଗ୍ଲୋବାଲ କ୍ୱାଲିଫାୟର୍ ଆଧାରରେ କ୍ୱାଲିଫାଏ କରିବେ। ରାଉଣ୍ଡ-୧ ମ୍ୟାଚ୍ ଅକ୍ଟୋବର ୧୬ରୁ ୨୧ ତାରିଖ ଯାଏ ଅନୁଷ୍ଠିତ ହେବ। ଏହା ପରେ ସୁପର୍-୧୨ ରାଉଣ୍ଡ ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେବ। ରାଉଣ୍ଡ-୧୨କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍-୧ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଆଫଗାନିସ୍ତାନ ଓ ଦୁଇଟି କ୍ୱାଲିଫାୟର୍ ଟିମ୍ ରହିଛନ୍ତି।

ଉଦଘାଟନୀ ମ୍ୟାଚ୍ ୨୨ରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିଡନୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ସେମିଫାଇନାଲ୍ ମ୍ୟାଚର ଆୟୋଜନ ନଭେମ୍ବର ୯ ଓ ୧୦ ତାରିଖରେ ସିଡନୀ ଓ ଆଡିଲେଡରେ ଖେଳାଯିବ।

https://twitter.com/ICC/status/1484354432456278019?s=20

ଭାରତ ଗ୍ରୁପ୍-୨ରେ ତା’ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଅକ୍ଟୋବର ୨୩ରେ ଭେଟିବ। ଏହା ପରେ ୨୭ ତାରିଖରେ ରାଉଣ୍ଡ-୧ ଗ୍ରୁପ୍-ଏ’ର ରନର-ଅପ୍, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା, ନଭେମ୍ବର ୨ରେ ବାଂଲାଦେଶ ଏବଂ ନଭେମ୍ବର ୬ରେ ରାଉଣ୍ଡ-୧ ଗ୍ରୁପ୍-ବି’ର ବିଜେତାକୁ ଭେଟିବ।

୨୦୨୧ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ୨୦ ୱିକେଟରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ବିଶ୍ୱକପ୍ ଇତିହାସରେ ପାକିସ୍ତାନ ପ୍ରଥମଥର ଭାରତକୁ ହରାଇଥିଲା। ଏହା ପୂର୍ବରୁ ଟି-୨୦ ଓ ୫୦ ଓଭର ଫର୍ମାଟରେ ଭାରତ କେବେବି ପାକିସ୍ତାନ ଠାରୁ ପରାସ୍ତ ହୋଇନଥିଲା। ୨୦୨୧ରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୫୧ ରନ୍ କରିଥିଲା। ଜବାବରେ ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୦ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା।

Related story