/odisha-reporter/media/post_attachments/uploadimage/library/16_9/16_9_0/India_1755596710.jpg)
India
ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲଙ୍କୁ ମିଳିଛି ଆଉ ଗୋଟିଏ ବଡ଼ ଦାୟିତ୍ୱ। ତାଙ୍କୁ ଭାରତୀୟ ଟି-୨୦ ଟିମର ଉପ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ଆଜି ବିସିସିଆଇ ସ୍କ୍ୱାଡ ଘୋଷଣା କରିଥିବା ବେଳେ ଗିଲଙ୍କୁ ଉପ ଅଧିନାୟକ କରାଯାଇଛି।
ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱାଧୀନ ଏସିଆ କପ ସ୍କ୍ୱାଡରେ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ବି ରହିଛନ୍ତି। ଆହତ ସମସ୍ୟା ଓ ୱାର୍କଲୋଡ ମ୍ୟାନେଜମେଣ୍ଟ ଯୋଗୁ ୧୫ ଜଣିଆ ସ୍କ୍ୱାଡରୁ ବୁମ୍ରା ବାଦ ପଡ଼ିବେ ବୋଲି କୁହାଯାଉଥିଲେ। ହେଲେ ତାଙ୍କୁ ଏସିଆ କପ ଦଳରେ ରଖାଯାଇଛି।
ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଆଜି ସ୍କ୍ୱାଡ ଘୋଷଣା କରିଥିବା ବେଳେ ଏଥିରୁ ବିସ୍ଫୋରକ ବ୍ୟାଟର ଋଷଭ ପନ୍ତ, ଅଭିଜ୍ଞ କେଏଲ ରାହୁଲ ଓ ଟେଷ୍ଟ ସିରିଜରେ କମାଲ କରିଥିବା ମହମ୍ମଦ ସିରାଜ ବାଦ ପଡ଼ିଛନ୍ତି। ସେହିପରି ଯଶସ୍ୱୀ ଜୈସୱାଲ ଓ ଶ୍ରେୟସ ଆୟରଙ୍କୁ ମଧ୍ୟ ଟି-୨୦ ଫର୍ମାଟରେ ଖେଳା ଯିବାକୁ ଥିବା ଏସିଆ କପରୁ ବାଦ ଦିଆଯାଇଛି।
ଦଳରେ ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କୁ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଦଳରେ ରହିଛନ୍ତି। ଅଭିଷେକ ଶର୍ମା, ଶିବମ ଦୁବେ, ତିଲକ ବର୍ମା ଓ ରିଙ୍କୁ ସିଂହ ନିଜ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି।
ସ୍ପିଡ ବୋଲିଂର କମାଣ ବୁମ୍ରାଙ୍କ ସହ ଅର୍ଶଦୀପ ସିଂହ ସମ୍ଭାଳିବେ। ତୃତୀୟ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ହର୍ଷିତ ରାଣାଙ୍କୁ ରଖାଯାଇଛି। ସ୍ପିନ ବୋଲର ଭାବେ ଅକ୍ଷରଙ୍କ ସହ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଚୟନ କରାଯାଇଛି।
ଏସିଆ କପ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ବେଳେ ୧୪ ତାରିଖ(ରବିବାର)ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମୁକାବିଲା। ଏହି ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିବ। ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଦୁଇ ଦେଶ ପରସ୍ପର ବିରୋଧରେ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ସେହିପରି ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ କୌଣସି କ୍ରିକେଟ ମ୍ୟାଚ୍ ଖେଳିବେ।
ଏସିଆ କପ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ସେପ୍ଟେମ୍ବର ୨୮ରେ ଖେଳାଯିବ। ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚ୍ ୧୦ ତାରିଖରେ ୟୁଏଇ ବିରୋଧରେ ଖେଳି ନିଜର ଏସିଆ କପ ଅଭିଯାନ ଆରମ୍ଭ କରିବ।
ସେହିପରି ୧୨ ତାରିଖରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଲଢ଼େଇ କରିବେ। ଭାରତ ତା’ର ଶେଷ ଗ୍ରୁପ ମ୍ୟାଚ୍ ୧୯ ତାରିଖରେ ଓମାନ ବିରୋଧରେ ଖେଳିବ। ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଏସିଆ କପର ଗ୍ରୁପ ଏରେ ରହିଛନ୍ତି।
ଗ୍ରୁପ ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ଦଳ ୩ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ପ୍ରତିଟି ଗ୍ରୁପରୁ ଶ୍ରେଷ୍ଠ ୨ଟି ଲେଖାଏ ଦଳ ପରବର୍ତ୍ତୀ ରାଉଣ୍ତକୁ ଯିବେ। ସେଠାରେ ରାଉଣ୍ଡ ରବିନ ଫର୍ମାଟରେ ପ୍ରତି ଦଳ ପରସ୍ପର ସହ ୨ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ଟପ୍ ୨ଟି ଦଳ ମଧ୍ୟରେ ଟ୍ରଫି ଟକ୍କର ହେବ।
ଭାରତ ଏସିଆ କପ ଆୟୋଜନ କରୁଛି। କିନ୍ତୁ ଭାରତ ବଦଳରେ ଏସିଆ କପ ୨୦୨୫ ଟି-୨୦ ଫର୍ମାଟରେ ୟୁଏଇରେ ଖେଳାଯିବ। ଏସିଆ କପ ୨୦୨୫ର ସମସ୍ତ ମ୍ୟାଚ୍ ଦୁବାଇ ଓ ଅବୁଧାବିରେ ଖେଳାଯିବ। ଭାରତ ଯଦିଓ ଏସିଆ କପର ହୋଷ୍ଟ, କିନ୍ତୁ ମ୍ୟାଚ୍ ଗୁଡ଼ିକ ବିସିସିଆଇ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବ।
ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଶୁବମନ ଗିଲ(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା ଓ ରିଙ୍କୁ ସିଂହ।
ଷ୍ଟାଣ୍ଡ ବାଇ: ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ରିୟାନ ପରାଗ, ଧ୍ରୁବ ଜୁରେଲ ଓ ଯଶସ୍ୱୀ ଜୈସୱାଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
