Advertisment

ଭାରତୀୟ ଟେଷ୍ଟ ସ୍କ୍ୱାଡରୁ ଚେତେଶ୍ୱର ପୂଜାରା ଆଉଟ, ରାହାଣେଙ୍କୁ ପ୍ରମୋସନ

ପୂଜାରାଙ୍କୁ ବାଦ ଦିଆଯାଇଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତୀୟ ଦଳକୁ କମବ୍ୟାକ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ବଡ଼ ପ୍ରମୋସନ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
cheteshwar pujara

cheteshwar pujara

ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ବିସିସିଆଇ ଚୟନ କମିଟି ବଡ଼ ଝଟକା ଦେଇଛି। ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ଦିଆଯାଇଛି। ଆଜି ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟ ଓ ୩ ଦିନିଆ ମ୍ୟାଚ୍‌ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ସବୁବେଳେ ଟେଷ୍ଟ ସ୍କ୍ୱାଡରେ ନିଜ ସ୍ଥାନର ପକ୍କା କରୁଥିବା ପୂଜାରାଙ୍କ ନାଁ କିନ୍ତୁ ଏଥର ନାହିଁ।

Advertisment

ପୂଜାରାଙ୍କୁ ବାଦ ଦିଆଯାଇଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତୀୟ ଦଳକୁ କମବ୍ୟାକ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ବଡ଼ ପ୍ରମୋସନ ମିଳିଛି। ଖରାପ ଫର୍ମ ପାଇଁ ଉପ ଅଧିନାୟକ ପଦ ସହ ରାହାଣେଙ୍କୁ ଭାରତୀୟ ଟିମ୍‌ରୁ ବାଦ ଦିଆଯାଇଥିଲା। ହେଲେ ଏବେ ତାଙ୍କୁ ପୁଣି ଥରେ ଟେଷ୍ଟ ଟିମ୍‌ର ଉପ ଅଧିନାୟକ କରାଯାଇଛି।

ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ। ରାହାଣେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ୮୯ ଓ ଦ୍ୱିତୀୟ ଇନିଂସରେ ୪୬ ରନ କରିଥିଲେ। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନରେ ହାରିଥିଲେ ମଧ୍ୟ ରାହାଣେ ତାଙ୍କ ଜଲୱା ଦେଖାଇଥିଲେ। ତେଣୁ ତାଙ୍କୁ ଏବେ ଭାରତୀୟ ଟିମ୍‌ରେ ଉପ ଅଧିନାୟକ କରାଯାଇଛି।

Advertisment

ଏମାନଙ୍କ ବ୍ୟତୀତ ଟେଷ୍ଟ ସ୍କ୍ୱାଡରେ ଯୁବ ତାରକା ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ ଓ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ସାମିଲ କରାଯାଇଛି। ଅନ୍ୟତମ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଟେଷ୍ଟକୁ କମବ୍ୟାକ କରିଛନ୍ତି। ଆହତ ସମସ୍ୟା ଓ ଖରାପ ଫର୍ମ ଯୋଗୁ ସୈନି ଦୀର୍ଘଦିନ ହେଲା ଭାରତୀୟ ଟେଷ୍ଟ ସ୍କ୍ୱାଡ ବାହାରେ ରହିଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଉମେଶ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ସ୍କ୍ୱାଡରେ ଦୁଇ ଜଣ ୱିକେଟ କିପର ଈଶାନ କିଶନ ଓ କେଏସ୍‌ ଭରତ ରହିଛନ୍ତି।

ଦିନିଆ ସ୍କ୍ୱାଡରେ ମଧ୍ୟ ମହମ୍ମଦ ଶାମି କିମ୍ବା ଉମେଶ ଯାଦବ ନାହାନ୍ତି। ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ଜୟଦେବ ଉନାଦକତ ରହିଛନ୍ତି।

ଆଜି ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଏହାପରେ ୫ଟିକିଆ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଖେଳାଳିଙ୍କ ନାଁ ଘୋଷଣା କରାଯିବ। 

୨୦୩-୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସିରିଜ୍‌ ଭାରତ ଜୁଲାଇ ୧୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଜୁଲାଇ ୧୨ରେ ପ୍ରଥମ ଟେଷ୍ଟ ଖେଳା ଯିବାକୁ ଥିବା ବେଳେ ଜୁଲାଇ ୨୦ରେ କ୍ୟୁଇନ୍ସ ପାର୍କ ଓଭାଲରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ୨୦୧୯ରେ ଭାରତ ୨-୦ରେ ୱେଷ୍ଟଇଣ୍ଡିଜକୁ ତା’ରି ମାଟିରେ ହରାଇଥିଲା। 

ଟେଷ୍ଟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), କେଏସ ଭରତ, ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ ଓ ନବଦୀପ ସୈନି।

ଦିନିକିଆ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜି ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକତ, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ମୁକେଶ କୁମାର।

Indian Cricket Team Cheteswar Pujara