Advertisment

Hong Kong Sixes: ପାକିସ୍ତାନକୁ ୨ ରନରେ ହରାଇଲା ଭାରତ

୨ ରନର ରୋମାଞ୍ଚକର ବିଜୟରେ ଷ୍ଟୁଆର୍ଟ ବିନ୍ନି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କାରଣ ମ୍ୟାଚ୍‌ର ଦ୍ୱିତୀୟ ଓଭର ସେ ପକାଇବା ସହ ମାତ୍ର ୭ ରନ ଦେଇଥିଲେ। ସେହିପରି ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।

author-image
Hemant Lenka
Team-India

ଭାରତୀୟ ଟିମ

ହଂକଂ(Hong Kong) ସିକ୍ସେସର ୨୦୨୫ ଅଭିଯାନ ବିଜୟର ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ରୋମାଞ୍ଚକର ଢଙ୍ଗରେ ୨ ରନରେ ହରାଇ ଦେଇଛି। ବର୍ଷା ପ୍ରଭାବିତ ଏହି ମ୍ୟାଚ୍‌କୁ ଭାରତ ଡିଏଲଏସ୍‌ ମେଥଡରେ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। 

Advertisment

ହଂକଂର ମୋଙ୍ଗା କୋକ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ୬ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଭାରତ(Team India) ଟସ୍‌ ହାରି ଯାଇଥିଲା। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ବେଳେ ଭାରତକୁ ଦମଦାର ଷ୍ଟାର୍ଟ ଦେଇଥିଲେ ରବିନ ଉଥାପ୍ପା ଓ ଭାରତ ଚିପଲି। ୧୧ ବଲରେ ଉଥାପ୍ପା ୨୮ ରନ ଓ ଚିପଲି ୧୩ ବଲରେ ୨୪ ରନ କରିଥିଲେ।

ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୧୭ ରନର ଇନିଂସ ଖେଳିବାରୁ ଭାରତ ଧାର୍ଯ୍ୟ ୬ ଓଭରରେ ୪ ୱିକେଟ ହରାଇ ୮୬ ରନ କରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ଶାହଜାଦ ୨ଟି ଓ ଅବଦୁଲ ସାମଦ ଗୋଟିଏ ୱିକେଟ ପାଇଥିଲେ। ଶେଷ ବଲରେ ଅଭିମନ୍ୟୁ ମିଥୁନ(୬) ରନଆଉଟ ହୋଇଥିଲେ। 

Advertisment

୮୭ ରନର ବିଜୟ ଟାର୍ଗେଟ ପାଇଥିବା ପାକିସ୍ତାନ(Pakistan) ଠିକଠାକ ଆରମ୍ଭ କରିଥିଲା। ଦଳ ୩ ଓଭରରେ ୧ ୱିକେଟ ହରାଇ ୪୧ ରନ ମଧ୍ୟ କରି ନେଇଥିଲା। ଦଳକୁ ୧୮ ବଲରେ ୪୬ ରନ ଦରକାର ଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା। ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ର ରେଜଲ୍ଟ ଡିଏଲଏସ ମେଥଡ ଦ୍ୱାରା ବାହାର କରାଯାଇଥିଲା।

ଏହି ସମୟରେ ଭାରତ ୨ ରନରେ ବାଜି ମାତ କରିଥିଲା। ଏହି ୨ ରନର ରୋମାଞ୍ଚକର ବିଜୟରେ ଷ୍ଟୁଆର୍ଟ ବିନ୍ନି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କାରଣ ମ୍ୟାଚ୍‌ର ଦ୍ୱିତୀୟ ଓଭର ସେ ପକାଇବା ସହ ମାତ୍ର ୭ ରନ ଦେଇଥିଲେ। ସେହିପରି ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ତାଙ୍କ ଓଭରରେ ଅଧିକ ରନ ନ ହେବାରୁ ଭାରତ ଡିଏଲଏସ ମେଥଡରେ ଜିତିବାକୁ ସକ୍ଷମ ହୋଇଛି। କିନ୍ତୁ ୧୧ ବଲରେ ୨୮ ରନର ଇନିଂସ ଖେଳିଥିବା ଉଥାପ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

Pakistan Hong Kong Team India