Advertisment

ମହିଳା ଟି-୨୦ ବିଶ୍ୱକପରେ ଭାରତର ବଡ଼ ବିଜୟ

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ହରାଇଥିଲେ। ଆଜି ଶ୍ରୀଲଙ୍କା ବିପକ୍ଷରେ ଦଳ ଏକତରଫା ବିଜୟ ହାସଲ କରିଛି।

author-image
Hemant Lenka
India

India

ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଟିମ। ଗ୍ରୁପ ପର୍ଯ୍ୟାୟର ନିଜର ତୃତୀୟ ମ୍ୟାଚ୍‌ରେ ଆଜି ଭାରତୀୟ ଟିମ ଏସିଆର ଚାମ୍ପିୟନ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଦେଇଛି।

Advertisment

ଭାରତ ୧୭୩ ରନର ଟାର୍ଗେଟ ଦେଇଥିବା ବେଳେ ଶ୍ରୀଲଙ୍କା କେବଳ ୯୦ ରନ ହିଁ କରିବାକୁ ସକ୍ଷମ ହୋଇଛି। ଠିକ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ଭାରତୀୟ ମହିଳା ଟିମକୁ ହରାଇ ଥିଲା। ଆଜି ବିଶ୍ୱକପରେ ଭାରତୀୟ ଟିମ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛି।

୮୨ ରନର ବୃହତ୍ତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିନାୟକ ହରମନପ୍ରୀତ କୌର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ମାତ୍ର ୨୭ ବଲରେ ଅପରାଜିତ ୫୨ ରନର ଇନିଂସ ଖେଳିବା ସହ ଭାରତର ସ୍କୋରୁ ୧୭୨/୩ରେ ପହଞ୍ଚାଇଥିଲେ। ଅବଶ୍ୟ ଆହତ କାରଣରୁ ସେ ଫିଲ୍ଡିଂ ବେଳେ ପଡ଼ିଆକୁ ଆସି ନଥିଲେ। ତାଙ୍କ ଅନୁପସ୍ଥିତିରେ ଉପ ଅଧିନାୟକ ସ୍ମୃତି ମନ୍ଧାନା ଦଳର ନେତୃତ୍ୱ ନେଇଥିଲେ।

Advertisment

ଭାରତୀୟ ବୋଲର ଶାଣିତ ବୋଲିଂ ଯୋଗୁ ଶ୍ରୀଲଙ୍କା ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୯୦ ରନ କରିପାରିଛି। ଭାରତ ଏହି ମ୍ୟାଚ୍‌କୁ ୮୨ ରନରେ ଜିତି ନିଜର ରନରେଟରେ ମଧ୍ୟ ସୁଦ୍ଧାର ଆଣିଛି।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ୫୮ ରନରେ ହାରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ହରାଇଥିଲା। ଆଜି ଶ୍ରୀଲଙ୍କା ବିପକ୍ଷରେ ଦଳ ଏକତରଫା ବିଜୟ ହାସଲ କରିଛି। ଟସ ଜିତି ଦୁବାଇରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ ସ୍ମୃତି ମନ୍ଧାନାଙ୍କ ୫୦, ଶେଫାଳି ବର୍ମାଙ୍କ ୪୩, ଜେମିମାଙ୍କ ୧୬ ଓ ଶେଷ ଭାଗରେ ହରମନପ୍ରୀତ କୌରଙ୍କ ଅପରାଜିତ ୫୨ ରନ ବଳରେ ୩ ୱିକେଟ ହରାଇ ୧୭୨ ରନ କରିଥିଲା।

୧୭୩ ରନର ପିଛା କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ହିଁ ୱିକେଟ ହରାଇଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲରେ ରେଣୁକା ସିଂହ ଠାକୁର ଭାରତକୁ ସଫଳତା ଦେଇଥିଲେ। ଏହାପରେ ଶ୍ରୀଲଙ୍କା ଇନିଂସ ତାସର ଘର ପରି ଭୁଶୁଡ଼ି ଯାଇଥିଲା।

କବିଶା ଦିଲହାରି ୨୨ ବଲରେ ୨୧, ଅନୁଷ୍କା ସଞ୍ଜିବନୀ ୨୦ ଓ ଶେଷ ଭାଗରେ ଆମା କାଞ୍ଚନ ୧୯ ରନ କରିବାରୁ ଶ୍ରୀଲଙ୍କା ଅତି କଷ୍ଟରେ ୯୦ ରନ ପର୍ଯ୍ୟନ୍ତ ଯାଇ ପାରିଥିଲେ। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ଶ୍ରୀଲଙ୍କାର ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଶେଷରେ ଦୀପ୍ତି ଶର୍ମା ୯ ରନ କରିଥିବା ଉଦେଶିକା ପ୍ରବୋଧିନଙ୍କୁ ଆଉଟ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ଓ ଆଶା ଶୋଭନା ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ରେଣୁକା ସିଂହ ଠାକୁର ୨ଟି, ଶ୍ରେୟଙ୍କା ପାଟିଲ ଓ ଦୀପ୍ତି ଶର୍ମା ଗୋଟିଏ ସଫଳତା ପାଇଛନ୍ତି।

Indian Women Cricket Team Womens T20 World Cup