/odisha-reporter/media/post_attachments/uploads/2021/11/rohit-and-kl-rahul.jpg)
rohit-and-kl-rahul
ଦୁବାଇ: ବିଜୟ ସହ ଟିମ୍ ଇଣ୍ଡିଆ ତା’ର ଟି-୨୦ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ସୋମବାର ଭାରତ ତା’ର ଶେଷ ଲିଗ୍ ମ୍ୟାଚରେ ନାମିବିଆକୁ ୯ ୱିକେଟରେ ବଡ଼ ବିଜୟ ହାସଲ କରିଛି। ପୂର୍ବରୁ ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିଥିବା ଭାରତ କେବଳ ସମ୍ମାନ ପାଇଁ ଏହି ମ୍ୟାଚ୍ ଖେଳିଥିଲା। ଆଉ ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ଭଳି ନାମିବିଆକୁ ମଧ୍ୟ ଭାରତ ଏକତରଫା ଭାବେ ହରାଇଛି। ଉକ୍ତ ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିନପାରି ନାମିବିଆ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଜବାବରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ମାତ୍ର ୧୫.୨ ଓଭରରେ ୧ ୱିକେଟ୍ ହରାଇ ୧୩୩ ରନ୍ କରି ବିଜୟୀ ହୋଇଛି। ଆଉ ଏଥିସହ କ୍ୟାପଟେନ୍ ଭାବେ ବିରାଟ୍ କୋହଲି ଓ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କୁ ବିଜୟ ଉପହାର ମଧ୍ୟ ମିଳିଛି।
୧୩୩ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ଜବରଦସ୍ତ ଆରମ୍ଭ ଦେଇଥିଲେ ରୋହିତ୍ ଓ ରାହୁଲ୍। ବିଶେଷ କରି ଭଲ ଫର୍ମରେ ଥିବା ରୋହିତ୍ ନାମିବିଆ ବୋଲରଙ୍କୁ ଆଟାକ୍ କରିଥିଲେ। ସେ ରାହୁଲଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୮୬ ରନର ଭାଗିଦାରୀ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ପ୍ୟାଭିଲିୟନ୍ ଫେରିଯାଇଥିଲେ। ସେ ୩୭ ବଲରେ ୫୬ (୭ ଚୌକା, ୨ ଛକା) ରନ୍ କରି ଫ୍ରିଲିଙ୍କଙ୍କ ଶିକାର ହୋଇଥିଲେ। ଏହା ପରେ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ରନ୍ ଗତି ଜାରି ରଖି ଭାରତକୁ ବିଜୟୀ କରାଇଥିଲେ। ରାହୁଲ ୩୫ ବଲରେ ୪ ଚୌକା ଓ ୨ ଛକା ସହ ୫୦ ଓ ସୂର୍ଯ୍ୟକୁମାର ୧୯ ବଲରେ ୪ ଚୌକା ସହ ୨୫ ରନ୍ କରି ଅପରାଜିତ ଥିଲେ।
ପୂର୍ବରୁ ବିରାଟ୍ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ଦମଦାର ଆରମ୍ଭ କରିଥିଲା। ଦୁଇ ଓପ୍ନର ଷ୍ଟିଫାନ୍ ବାର୍ଡ ଓ ମାଇକେଲ୍ ଭାନ୍ ଲିଙ୍ଗେନ୍ ଭାରତର ଦୁଇ ଫ୍ରଣ୍ଟ ଲାଇନ୍ ପେସର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କୁ ଆଟାକ୍ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଲେ ବୁମ୍ରା। ଲିଙ୍ଗେନ ୧୪ ରନ୍ କରି ଆଉଟ୍ ହୋଇଥିଲେ।
ଏହା ପରେ ନାମିବିଆର ୱିକେଟ୍ ପତନ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରିକି ଦଳର ରନ୍ ଗତି ମଧ୍ୟ ହ୍ରାସ ପାଇଥିଲା। ଲିଙ୍ଗେନଙ୍କ ସ୍ଥାନରେ ଆସିଥିବା କ୍ରେଗ୍ ୱିଲିୟମ୍ସ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ବାର୍ଡ (୨୧)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ଜାଡେଜା। କ୍ୟାପଟେନ୍ ଗେରାର୍ଡ ଏରାସମସ୍ (୧୨) ଓ ଜାନ୍ ନିକୋଲ୍ ଲଫ୍ଟି-ଇଟନ୍ (୫)ଙ୍କୁ ଅଶ୍ୱିନ୍ ଆଉଟ୍ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ।
ଅଭିଜ୍ଞ ଅଲରାଉଣ୍ଡର ଡେଭିଡ୍ ୱିସ୍ ୨୬ ରନର ଇନିଂସ୍ ଖେଳି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ତେବେ ନିମ୍ନକ୍ରମରେ ଜାନ୍ ଫ୍ରିଲିଙ୍କ (୧୫) ଓ ରୁବେନ୍ ଟ୍ରମ୍ପେଲମାନ୍ (୧୩)ଙ୍କ ଉପଯୋଗୀ ରନ୍ ବଳରେ ନାମିବିଆ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଜାଡେଜା ଓ ଅଶ୍ୱିନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ବୁମ୍ରା ୨ଟି ୱିକେଟ୍ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
