Advertisment

୨୩ ରନ୍‌ରେ ଜିମ୍ବାୱେକୁ ହରାଇଲା ଭାରତ

ଜିମ୍ବାୱେ ପକ୍ଷରୁ ଆଜି ୭ ଜଣ ବୋଲିଂ କରିଥିଲେ। କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Team India

Team India

ହରାରେ ଆଜି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜିମ୍ବାୱେକୁ ୨୩ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ।

Advertisment

ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍ କରିଥିବା ବେଳେ ଜିମ୍ବାୱେ ୬ ୱିକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଡିଓନ ମେୟର୍ସ ଓ କ୍ଲାଏଭ ମାଣ୍ଡାଡେ ଜିତିବା ପାଇଁ ଲଢ଼େଇ କରିଥିଲେ ହେଁ ବାଜି ମାରି ନେଇଥିଲା ଭାରତ।

୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୩୯ ରନ୍‌ରେ ୫ ୱିକେଟ୍ ହରାଇଥିଲା। ୱେସ୍‌ଲେ ମାଧେଭେର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତାଦିୱାନାଶେ ମାରୁମାନୀ ୧୩, ବ୍ରାଏନ ବେନେଟ ୪, ଅଧିନାୟକ ସିକନ୍ଦରରାଜା ୧୫ ଓ ଜୋନାଥନ କ୍ୟାମ୍ପବେଲ ୧ ରନ୍ କରି ଆଉଟ୍ ହୋଇଥିଲେ।

Advertisment

ଏଭଳି ସ୍ଥିତିରେ ଲାଗୁଥିଲା ଦଳ ୧୦୦ ରନ୍ କରିବା ପୂର୍ବରୁ ଅଲ୍‌ଆଉଟ୍ ହୋଇଯିବ। କିନ୍ତୁ ସେମିତି ହେବାକୁ ଦେଇ ନଥିଲେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଡିଓନ ମେୟର୍ସ। ସେ ଶେଷ ପର୍ଯ୍ୟନ୍ତ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ସେ ୪୯ଟି ବଲରୁ ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୫ ରନ୍ କରି ଅପରାଜିତ ରହିଥିଲେ।

କ୍ଲାଏଭ ମାଣ୍ଡାଡେଙ୍କୁ ସାଥୀ କରି ଖେଳିଥିଲେ ଡିଓନ ମେୟର୍ସ । ସେମାନଙ୍କ ଯୋଡ଼ି ଜମି ଥିଲା ଓ ପ୍ରାୟ ୯ ଓଭର ଧରି ୱିକେଟ୍ ଆଉ ପଡ଼ି ନଥିଲା। ତେବେ ୧୬.୩ ଓଭରରେ ଆଉଟ୍ ହୋଇଯାଇଥିଲେ କ୍ଲାଏଭ ମାଣ୍ଡାଡେ। ସେ ୨୬ଟି ବଲ୍‌ରୁ ୩୭ ରନ୍ କରିଥିଲେ। ତା’ ଭିତରେ ଥିଲା ୨ଟି ଚୌକା ଓ ୨ଟି ଛକା।

କ୍ଲାଏଭ ମାଣ୍ଡାଡେ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିବା ୱେଲିଂଟନ ମାସାକାଜା ଧୈର୍ଯ୍ୟର ସହିତ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ୧୦ଟି ବଲ୍‌ରୁ ୧୮ ରନ୍ କରିଥିଲେ। ଅଲ୍‌ ଆଉଟ୍ ନ ହୋଇ ଧାର୍ଯ୍ୟ ଓଭର ଖେଳିଥିଲେ ବି ଦଳ ମ୍ୟାଚ୍ ଜିତି ପାରି ନଥିଲା। ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୩ଟି ୱିକେଟ ନେଇଥିବା ବେଳେ ଆବେଶ ଖାନ ୨ ଓ ଖଲୀଲ ଅହମଦ ଗୋଟିଏ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଯଶସ୍ୱୀ ଜୈସୱାଲଙ୍କ ୩୬, ଅଧିନାୟକ ଶୁବମନ ଗିଲଙ୍କ ୬୬ ଓ ଋତୁରାଜ ଗାଏକ୍ୱାଡଙ୍କ ୪୯ ରନ୍ ବଳରେ ଦଳ ୧୮୨ ରନ୍ ସଂଗ୍ରହ କରିଥିଲା। ଅଭିଷେକ ବର୍ମା ୧୦ ରନ୍ କରି ଆଉଟ୍ ହୋଇଥିବା ବେଳେ ସଞ୍ଜୁ ସାମସନ ଓ ରିଙ୍କୁ ସିଂହ ଯଥାକ୍ରମେ ୧୨ ଓ ୧ ରନ୍ କରି ଅପରାଜିତ ରହିଥିଲେ।

ଜିମ୍ବାୱେ ପକ୍ଷରୁ ଆଜି ୭ ଜଣ ବୋଲିଂ କରିଥିଲେ। କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। କେବଳ ବ୍ଲେସିଂ ମୁଜାରାବାନି ଓ ସିକନ୍ଦର ରାଜା ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଜୈସୱାଲ ୨୭ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୩୬ ରନ୍ କରିଥିଲେ। ସିକନ୍ଦରରାଜାଙ୍କ ବଲରେ ସେ ବ୍ରାଏନ ବେନେଟଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ଶୁବମନ ଗିଲ ୪୯ଟି ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୬୬ ରନ୍ କରିଥିଲେ। ବ୍ଲେସିଂ ମୁଜାରାବାନିଙ୍କ ବଲ୍‌ରେ ସେ ସିକନ୍ଦର ରାଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିବା ବେଳକୁ ଦଳର ସ୍କୋର ୧୫୩ରେ ପହଞ୍ଚି ଯାଇଥିଲା। ଋତୁରାଜ ଗାଏକ୍ୱାଡ ୨୮ଟି ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୯ ରନ୍ କରିଥିଲେ।

T20 Match INDVsZIM