Advertisment

ଇତିହାସରେ ପ୍ରଥମ: କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତ ନଂ ୧

ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଇତିହାସ ରଚିଛି ଭାରତ। ପ୍ରଥମଥର ପାଇଁ ଟିମ ଇଣ୍ଡିଆ କ୍ରିକେଟର ୩ଟି ଯାକ ଫର୍ମାଟରେ ୧ନଂ ସ୍ଥାନ ଦଖଲ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଇତିହାସ ରଚିଛି ଭାରତ। ପ୍ରଥମଥର ପାଇଁ ଟିମ ଇଣ୍ଡିଆ କ୍ରିକେଟର ୩ଟି ଯାକ ଫର୍ମାଟରେ ୧ନଂ ସ୍ଥାନ ଦଖଲ କରିଛି। ପୂର୍ବରୁ ଭାରତ ଆଇସିସିର ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଭାରତ ୧ନଂ ସ୍ଥାନରେ ପହଞ୍ଚି ଯାଇଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ୨ନଂ ସ୍ଥାନରେ ରହିଥିଲା। ହେଲେ ଅଷ୍ଟ୍ରେଲିଆକୁ ଦଳ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ହରାଇବା ପରେ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି।

ଟେଷ୍ଟ କ୍ରିକେଟରେ ଭାରତ ଗତ ୨ ବର୍ଷ ହେଲା ନିଜର ଦବଦବା ଦେଖାଇ ଆସିଛି। କିନ୍ତୁ ୨୦୨୨ରେ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଟେଷ୍ଟ ସିରିଜ ହାରିଥିଲା। ସେହିପରି ଇଂଲଣ୍ଡ ବିପକ୍ଷ ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ଏହାବାଦ ଟିମ ଇଣ୍ଡିଆ ନାଲି ବଲ୍‌ କ୍ରିକେଟରେ ନିଜର ହୁକୁମାତି ଜାରି ରଖିଛି।

Advertisment

ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ଭାରତ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲା। ଏବେ ଭାରତ ଟେଷ୍ଟରେ ମଧ୍ୟ ୧ନଂ ସ୍ଥାନ ଦଖଲ କରିଛି। ଭାରତ ୩୨ଟି ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ୨ନଂକୁ ଖସିଛି। ଇଂଲଣ୍ଡ ୩ନଂରେ, ନ୍ୟୁଜିଲ୍ୟାଣ୍ଡ ୪ନଂରେ ଓ ଦକ୍ଷିଣ ଆଫ୍ରିକା ୫ନଂ ସ୍ଥାନରେ ରହିଛି।

ଦିନିକିଆରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ନଂ, ନ୍ୟୁଜିଲ୍ୟାଣ୍ତ ୩ନଂ, ଇଂଲଣ୍ଡ ୪ନଂରେ ଓ ପାକିସ୍ତାନ ୫ନଂରେ ରହିଛି। ସେହିପରି ଟି-୨୦ରେ ମଧ୍ୟ ଭାରତ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଓ ପାକିସ୍ତାନ ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଖେଳାଳି ମଧ୍ୟ ଆଇସିସି ରାଙ୍କିଙ୍ଗରେ ନିଜର ଦବଦବା ଦେଖାଇଛନ୍ତି। ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଋଷଭ ପନ୍ତ ୭ମ ଓ ରୋହିତ ଶର୍ମା ୮ମ ସ୍ଥାନରେ ଅଛନ୍ତି। ବୋଲିଂ ରାଙ୍କିଙ୍ଗର ୨ନଂ ସ୍ଥାନରେ ରବି ଅଶ୍ୱିନ ଓ ଆହତ ସତ୍ତ୍ୱେ ଯଶପ୍ରୀତ ବୁମ୍ରା ୫ମ ସ୍ଥାନ ଦଖଲ କରିଛନ୍ତି। ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ୧ନଂ ଓ ଅଶ୍ୱିନ ୨ନଂ ସ୍ଥାନରେ ଅଛନ୍ତି।

ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ଶୁବମନ ଗିଲ, ୭ମରେ ବିରାଟ କୋହଲି ଓ ୯ମ ସ୍ଥାନରେ ରୋହିତ ଶର୍ମା ଅଛନ୍ତି। ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ପୂର୍ବଭଳି ରହିଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଓ ଅଲରାଉଣ୍ଡର ରାଙ୍କିଙ୍ଗର ୨ୟ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।

Bcci Indian Cricket Team ICC Border-Gavaskar Trophy