Advertisment

ବିଶ୍ୱକପ: ଭାରତ ନାଁରେ ଯୋଡ଼ି ହେଲା ବିରାଟ ରେକର୍ଡ, ପଛରେ ପଡ଼ିଲା ନ୍ୟୁଜିଲ୍ୟାଣ୍ଡ

ର୍ବାଧିକ ବିଜୟ ତାଲିକାର ୪ର୍ଥ ସ୍ଥାନରେ ଇଂଲଣ୍ଡ ରହିଛି। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୫୦ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୪୭ଟି, ଦକ୍ଷିଣ ‌ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ୪୩ଟି ଲେଖାଏ ମ୍ୟାଚ୍‌ ବିଶ୍ୱକପରେ ଜିତିଛନ୍ତି।

author-image
Hemant Lenka
World Cup

World Cup

ଦିନିକିଆ ବିଶ୍ୱକପରେ ନୂଆ ରେକର୍ଡର ଅଧିକାରୀ ହୋଇଛି ଟିମ ଇଣ୍ଡିଆ। ବିଶ୍ୱକପ ଇତିହାସରେ ଭାରତ ଦ୍ୱିତୀୟ ସଫଳତମ ଟିମ ହେବାର କୀର୍ତ୍ତିମାନ ହାସଲ କରିଛି। ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନରେ ହରାଇବା ପରେ ଭାରତ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ବିଶ୍ୱକପ ଇତିହାସରେ ଏହା ଭାରତର ୫୯ତମ ବିଜୟ। ୫୯ତମ ବିଜୟ ସହ ଭାରତ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ଦେଇଛି।

Advertisment

ବିଶ୍ୱକପରେ ସର୍ବାଧିକ ମ୍ୟାଚ୍‌ ଜିତି ଥିବା ଦଳଗୁଡ଼ିକ ମଧ୍ୟରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ ଏଯାଏ ବିଶ୍ୱକପରେ ୫୮ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତର ମ୍ୟାଚ ବିଜୟ ସଂଖ୍ୟା ୫୯ ଛୁଇଁଛି। ତେବେ ତାଲିକାର ଶୀର୍ଷରେ ୫ଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ରହିଛି। କଙ୍ଗାରୁ ଟିମ ବିଶ୍ୱକପରେ ଏଯାଏ ୭୩ଟି ମ୍ୟାଚ୍‌ ଜିତି ସାରିଲାଣି।

ଏହି ୩ ଦଳ ବ୍ୟତୀତ ସର୍ବାଧିକ ବିଜୟ ତାଲିକାର ୪ର୍ଥ ସ୍ଥାନରେ ଇଂଲଣ୍ଡ ରହିଛି। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୫୦ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୪୭ଟି, ଦକ୍ଷିଣ ‌ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ୪୩ଟି ଲେଖାଏ ମ୍ୟାଚ୍‌ ବିଶ୍ୱକପରେ ଜିତିଛନ୍ତି।

Advertisment

ଅନ୍ୟପକ୍ଷରେ ଦିନିକିଆ ବିଶ୍ୱକପରେ ଭାରତ ମ୍ୟାଚ୍‌ ବିଜୟ ପ୍ରତିଶତ ତାଲିକାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱକପରେ ଭାରତର ବିଜୟ ପ୍ରତିଶତ ୬୫.୫୬% ରହିଥିବା ବେଳେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ୬୧.୩୪% ରହିଛି। ଅଧିକ ମ୍ୟାଚ୍‌ ଜିତିଥିବା ଅଷ୍ଟ୍ରେଲିଆ ବିଜୟ ପ୍ରତିଶତରେ ମଧ୍ୟ ୧ନଂ ସ୍ଥାନରେ ଅଛି। ବିଶ୍ୱକପରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୭୩% ରହିଛି।

ରବିବାର ମ୍ୟାଚ୍‌କୁ ବିଚାରକୁ ନେଲେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୨୨୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଲଢ଼ୁଆ ୮୭ ରନ ଓ ସୂର୍ଯ୍ୟ କୁମାର ଯାଦବ ୪୯ ରନ କରିଥିଲେ।

ଏହାର ଜବାବରେ ଇଂଲଣ୍ଡ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ଘାତକ ବୋଲିଂ ସାମ୍ନାକୁ କରି ପାରି ନଥିଲା। ଶେଷରେ ଦଳ ୩୪.୫ ଓଭର୍‌ରେ ୧୨୯ ରନ କରି ଅଲଆଉଟ ହୋଇଯାଇଥିଲା। ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ ୱିକେଟ ନେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୨ ରନ ଦେଇ ୪ ସଫଳତା ହାସଲ କରିଛନ୍ତି।

ଏହି ବିଜୟ ସହ ଚଳିତ ବିଶ୍ୱକପରେ ଭାରତ ତା’ର ଅପରାଜେୟ ଧାରା କାଏମ ରଖିଛି। ୬ ମ୍ୟାଚରୁ ୬ ବିଜୟ ସହ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ମଧ୍ୟ ପହଞ୍ଚି ଯାଇଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup