Advertisment

୪୦୦ ଅତିକ୍ରମ କଲା ଭାରତ, ଭଲ ଖେଳିଲେ ଜାଡେଜା

ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍‌।

Jadeja and Rahul

Jadeja and Rahul

Advertisment

ହାଇଦ୍ରାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୦୦ ରନ୍ ଅତିକ୍ରମ କରିଛି ଭାରତ। ଆଜି ଦ୍ୱିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି। ଏହା ସହିତ ପ୍ରଥମ ଇନିଂସରେ ଦଳ ଇଂଲଣ୍ଡ ଠାରୁ ୧୭୫ ରନ୍‌ରେ ଆଗୁଆ ରହିଛି।

Advertisment

ଇଂଲଣ୍ଡ ଗତକାଲି ତା’ର ପ୍ରଥମ ଇନିଂସରେ ୨୪୬ ରନ୍ କରି ଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଗତକାଲି ଦଳ ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଯଥାକ୍ରମେ ୭୬ ଓ ୧୪ ରନ୍ କରି ଅପରାଜିତ ରହିଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ ଆଜି ପୁଣି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଶୀଘ୍ର ଆଉଟ ହୋଇଯାଇଥିଲେ ଯଶସ୍ୱୀ ଜୈସ୍ୱାଲ। ୮୦ ରନ୍ କରିଥିବା ବେଳେ ଜୋ ରୁଟ୍‌ଙ୍କ ଦ୍ୱାରା ସେ କଟ୍‌ ଆଣ୍ଡ୍ ବୋଲ୍‌ଡ ହୋଇଥିଲେ। ଗିଲ୍‌ ମଧ୍ୟ ବିଶେଷ କିଛି ରନ୍ ଯୋଡ଼ି ପାରିଲେ ନାହିଁ। ମାତ୍ର ୨୩ ରନ୍‌ରେ ସେ ଆଉଟ୍ ହୋଇଯାଇଥିଲେ।

ଚାରି ଓ ପାଞ୍ଚ ନମ୍ବରରେ ଆସିଥିବା କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ୬୪ ରନ୍‌ର ପାର୍ଟନରଶିପ ହୋଇଥିଲା। ୬୩ଟି ବଲ୍‌ରେ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ ଶ୍ରେୟସ ଆୟର। ଏହା ପରେ ଆସିଥିଲେ ରବୀନ୍ଦ୍ର ଜାଡେଜା। କେ.ଏଲ୍ ରାହୁଲ ଓ ଜାଡେଜାଙ୍କ ମଧ୍ୟରେ ୬୫ରନ୍‌ (୭୪ ବଲ୍‌)ର ଏକ ଭଲ ଭାଗୀଦାରି ହୋଇଥିଲା। ଦୁହିଁଙ୍କ ଯୋଡ଼ି ଫିଲ୍‌ଡରେ ଜମି ଯାଇଥିବା ବେଳେ ଆଉଟ୍ ହୋଇଯାଇଥିଲେ ରାହୁଲ। ସେ ୮୬ ରନ୍‌ (୧୨୩ ବଲ୍‌, ୮ ଚୌକା ଓ ୨ ଛକା) କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ବଲ୍‌ରେ ରେହାନ ଅହମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

Advertisment

ୱିକେଟ୍ କିପର ଶ୍ରୀକର ଭରତ ୮୧ ବଲ୍‌ରୁ ୪୧ ରନ୍ କରିଥିଲେ। ଜାଡେଜା ଓ ଭରତଙ୍କ ମଧ୍ୟରେ ୬୮ (୧୪୧ ବଲ୍‌) ରନ୍‌ର ପାର୍ଟନରଶିପ ହୋଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ ଭଲ ଖେଳିଥିଲେ। ସେ ଓ ଜାଡେଜା ଇନିଂସକୁ ଆଗେଇ ନେଇଥିଲେ ଓ ୪୦୦ ଅତିକ୍ରମ କରାଇଥିଲେ। ଉଭୟଙ୍କ ମଧ୍ୟରେ ଅପରାଜିତ ୬୩ (୧୧୭ ବଲ୍‌) ରନ୍‌ର ପାର୍ଟନରଶିପ ହୋଇଛି। ଜାଡେଜା ୮୧ ରନ୍ କରି ଅପରାଜିତ ଅଛନ୍ତି। ସେ ୧୫୫ଟି ବଲ୍‌ରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ଏହି ରନ୍ କରିଥିଲେ। ସେହିପରି ଅକ୍ଷର ପଟେଲ ୩୫ ରନ୍‌ କରି ଅପରାଜିତ ରହିଛନ୍ତି। ସେ ୬୨ଟି ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ କରିଥିଲେ।

ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲୀ ଓ ଜୋ ରୁଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜ୍ୟାକ୍ ଲିଚ୍ ଓ ରେହାନ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

INDvsENG KL Rahul Ravindra Jadeja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe