Advertisment

କାହିଁକି ହଠାତ୍‌ କ୍ରିକେଟକୁ ଅଲବିଦା କହିଲେ ଏହି ଷ୍ଟାର କ୍ରିକେଟର?

ଟେଷ୍ଟ, ଦିନିକିଆ କିମ୍ବା ଟି-୨୦ କୌଣସି ଫର୍ମାଟରେ ମଧ୍ୟ ତାଙ୍କୁ କେବେ ହେଲେ ଚୟନ କରାଯାଇ ନାହିଁ। ଦୀର୍ଘ ବର୍ଷ ଧରି ସୁଯୋଗ ଅପେକ୍ଷାରେ ରହିବା ପରେ ଶେଷରେ ପ୍ରିୟଙ୍କ ସୋମବାର ତତ୍କାଳ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅପ୍ରତ୍ୟାଶିତ ଅବସର ଘୋଷଣା କରିଛନ୍ତି।

author-image
Hemant Lenka
BCCI

BCCI

ଭାରତୀୟ କ୍ରିକେଟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ପ୍ରତିବର୍ଷ ଦେଶର କୋଣଅନୁକୋଣରୁ ନୂଆ ନୂଆ ପ୍ରତିଭାନ ଖେଳାଳି ଚିହ୍ନଟ ହେଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର କିଛି ହାତ ଗଣତି ଖେଳାଳି ଭାରତୀୟ କ୍ରିକେଟରେ ତିଷ୍ଟି ରହି ପାରୁଛନ୍ତି। ଭଲ ପ୍ରଦର୍ଶନ ସତ୍ତ୍ୱେ ଅନେକ ଭାରତକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଉ ନାହାନ୍ତି। ବର୍ଷ ବର୍ଷ ଧରି ସେମାନେ ଅପେକ୍ଷା କରି ରହୁଥିଲେ ହେଁ ସେମାନଙ୍କୁ ସୁଯୋଗ ମିଳିନାହିଁ। ଅନେକ ନିରାଶ ହେଉଛନ୍ତି ତ ଆଉ କିଏ ସଂପୂର୍ଣ୍ଣ ଭାଙ୍ଗି ପଡ଼ୁଛନ୍ତି।

Advertisment

ଏମିତି ଜଣେ ଖେଳାଳି ହେଲେ ପ୍ରିୟଙ୍କ ପଞ୍ଚଲ। ସେ ଘରୋଇ କ୍ରିକେଟର ଜଣେ ଭେଟରାନ ଖେଳାଳି। ପ୍ରିୟଙ୍କ ୧୨୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌, ୯୭ଟି ଲିଷ୍ଟ-ଏ ଓ ୫୯ଟି ଟି-୨୦ ଖେଳିଛନ୍ତି। ଘରୋଇ କ୍ରିକେଟର ଅନ୍ୟତମ ଦକ୍ଷ ଓ ସ୍ଥିର ପ୍ରଦର୍ଶନ କରି ଆସୁଥିବା ବ୍ୟାଟରଙ୍କ ମଧ୍ୟରୁ ପ୍ରିୟଙ୍କ ଅନ୍ୟତମ। ତାଙ୍କ ବ୍ୟାଟରୁ ବର୍ଷ ବର୍ଷ ଧରି ଅନେକ ରନ ବାହାରିଛି। କିନ୍ତୁ ସେ କେବେ ହେଲେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଲେ ନାହିଁ।

ଟେଷ୍ଟ, ଦିନିକିଆ କିମ୍ବା ଟି-୨୦ କୌଣସି ଫର୍ମାଟରେ ମଧ୍ୟ ତାଙ୍କୁ କେବେ ହେଲେ ଚୟନ କରାଯାଇ ନାହିଁ। ଦୀର୍ଘ ବର୍ଷ ଧରି ସୁଯୋଗ ଅପେକ୍ଷାରେ ରହିବା ପରେ ଶେଷରେ ପ୍ରିୟଙ୍କ ସୋମବାର ତତ୍କାଳ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅପ୍ରତ୍ୟାଶିତ ଅବସର ଘୋଷଣା କରିଛନ୍ତି।

Advertisment

୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଙ୍କ ଭାରତ ପାଇଁ ୨୦୨୧-୨୨ରେ ଦକ୍ଷିଣ ଆଫ୍ରିକା ଟୁରରେ ଡେବ୍ୟୁ କରିବାର ଅତି ନିକଟରେ ପହଞ୍ଚି ଯାଇଥିଲେ। ଦଳ ସହ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। କିନ୍ତୁ ଡେବ୍ୟୁର ଐତିହାସିକ ସୁଯୋଗ ତାଙ୍କ ହାତରୁ ଅଳ୍ପକେ ଖସି ଯାଇଥିଲା। ଏହାପରେ ତାଙ୍କୁ ଆଉ କେବେ ବି ଚୟନ ପ୍ରକ୍ରିୟାରେ ସାମିଲ କରାଯାଇ ନଥିଲା। ଆଉ ଏମିତି ହେବାର ସମ୍ଭାବନା ନଥିବା କଥା ସ୍ୱୀକାର କରି ପ୍ରିୟଙ୍କ ବେଶ ଭାବବିହ୍ୱଳ ଢଙ୍ଗରେ କ୍ରିକେଟକୁ ବାଏବାଏ କହିଛନ୍ତି।

ଗୋଟିଏ ସାକ୍ଷାତକାରରେ ପ୍ରିୟଙ୍କା ନିଜର ଅବସର ସମ୍ପର୍କରେ ବେଶ କିଛି ଦିନ ହେଲା ଯୋଜନା କରୁଥିବା କଥା କହିଛନ୍ତି। ସେ କହିଛନ୍ତି, “ଦୀର୍ଘ ସମୟ ହେଲାଣି ଅବସର କଥା ମୋ ମୁଣ୍ଡରେ ଚାଲିଥିଲା। କାରଣ ମୁଁ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ମୋ ଭିତରେ ଏମିତି କିଛି ଶକ୍ତି ଥିଲା ଯାହା ମୋତେ ଭାରତ ପାଇଁ ଖେଳିବାକୁ ପ୍ରେରଣ ଯୋଗାଉ ଥିଲା। ସେହି ଶକ୍ତି ସହିତ ମୋ ଭିତରେ ଶୃଙ୍ଖଳା ଓ ଉତ୍ସର୍ଗୀଗୃତ ମନୋଭାବ ବି ରହିଥିଲା।

କିନ୍ତୁ ଗୋଟିଏ ସମୟ ଏମିତି ଆସିଲା ଯେ ଯେଉଁଠାରେ ମୁଁ ଭାବି ନେଇଥିଲେ ଯେ ଆଉ ସମ୍ଭବ ନୁହେଁ। ମୁଁ ସବୁ ପ୍ରକାରର ଚେଷ୍ଟା କରିଛି। ମୁଁ ଭାରତ ଏ ପାଇଁ ଖେଳିଥିଲି ଓ ମୁଁ ରଣଜୀ ଟ୍ରଫି ଖେଳି ଥିଲି। କିନ୍ତୁ ମୁଁ ଅନୁଭବ କରିଛି ଅବସରର ଉପଯୁକ୍ତ ସମୟ ଆସି ଯାଇଛି। ଆଉ କିଛି ହେବାର ସମ୍ଭାବନା ନାହିଁ।”

ପ୍ରିୟଙ୍କ ପଞ୍ଚଲ ଆହୁରି କହିଛନ୍ତି, “ଖେଳି ନ ପାରିବାର ଦୁଃଖ ସବୁବେଳେ ରହିବ। କିନ୍ତୁ ସମାନ ସମୟରେ ଏହା ଗୋଟିଏ ଉପଲବ୍ଧି। ଯଦି କ୍ରିକେଟିଂ ସ୍ତର ୧ରୁ ୧୦ ଯାଏ, ତା’ହେଲେ ମୁଁ ୯ରେ ରହିଥିଲି। ମୁଁ ଭାରତ ପାଇଁ ଖେଳି ପାରି ନାହିଁ। ନିଶ୍ଚିତ ଭାବେ ଏହା ଗୋଟିଏ ଦୁଃଖ। ହେଲେ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି କ୍ରିକେଟରଙ୍କ ସହ ଡ୍ରେସିଂ ରୁମ ଶେୟାର କରିବା କମ କଥା ନୁହେଁ। ସେଠାରେ ଗୋଟିଏ ପ୍ରଫେସନାଲ ପରିବେଶ ରହିଥିଲା। ସେଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଉଥିଲା। ପରିବେଶ ବେଶ ପ୍ରତିଯୋଗିତାପୂର୍ଣ୍ଣ ଥିଲା। ମୁଁ ସେଠାକାର ପରିବେଶରୁ ଅନେକ କିଛି ଶିଖିଥିଲି।”

ଶତକ ପରେ ଶତକ ମାରିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନ ପକ୍କା କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ପ୍ରିୟଙ୍କ କହିଛନ୍ତି। ସେ କହିଛନ୍ତି, “ସ୍ଥିରତା ବହୁତ ଗୁରୁତ୍ୱପୂର୍ଣ୍ଣ। ଜଣେ ଖେଳାଳି ହିସାବରେ ପ୍ରଦର୍ଶନ ପାଇଁ ଏହା ଜରୁରୀ। କିନ୍ତୁ ଠିକଣା ସମୟରେ ପ୍ରଦର୍ଶନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅନ୍ତର୍ଜାତୀୟ କ୍ରିକେଟରେ ଟାଇମିଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଶତକ ପରେ ଶତକ ମାରୁଛନ୍ତି, ହେଲେ ଆପଣଙ୍କ ଟିମ ଜିତୁ ନାହିଁ, ତା’ହେଲେ ଏହା ଠିକ ସମୟ ନୁହେଁ। କିନ୍ତୁ ଆପଣ ୩୦ ରନ କରୁଛନ୍ତି ଓ ଆପଣଙ୍କ ଟିମ ଜିତିଛୁ, ତା’ହେଲେ ଆପଣଙ୍କ ଯୋଗଦାନର ମୂଲ୍ୟ ଅଧିକ ରହିବ। ଅନ୍ତର୍ଜାତୀୟ କ୍ରିକେଟରେ ଏହାର ଗୁରୁତ୍ୱ ରହିଛି। ମୁଁ ଏସବୁରୁ ବହୁତ କିଛି ଶିଖିଛି।”

ଗୁଜରାଟର ଏହି ଓପନର ବ୍ୟାଟର ଜଣଙ୍କ ନାଲି ବଲ କ୍ରିକେଟରେ ପ୍ରାୟ ୯ ହଜାର ରନ କରିଛନ୍ତି। ୨୦୧୬-୧୭ରେ ସେ ରଣଜୀ ଟ୍ରଫି ଜିତିଥିବା ଗୁଜରାଟ ଟିମରେ ଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଗୁଜରାଟ ପାଇଁ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ପ୍ରିୟଙ୍କ ପଞ୍ଚଲଙ୍କ ନାଁରେ ରହିଛି। କେରଳ ବିପକ୍ଷ ଶେଷ ରଣଜୀ ଟ୍ରଫି ସେମି ଫାଇନାଲରେ ପ୍ରିୟଙ୍କ ୧୪୮ ରନର ଇନିଂସ ଖେଳିଥିଲେ। କିନ୍ତୁ କେରଳ ପ୍ରଥମ ଇନିଂସରେ ୨ ରନର ଲିଡ ହାସଲ କରି ନେଇଥିବାରୁ ଗୁଜରାଟ ଫାଇନାଲରେ ପ୍ରବେଶ କରି ପାରି ନଥିଲା।

୨୦୧୬-୧୭ରେ ଗୁଜରାଟ ପ୍ରଥମଥର ପାଇଁ ରଣଜୀ ଟ୍ରଫି ଜିତିଥିଲା। ସେହି ବର୍ଷ ପଞ୍ଚଲ ୧୩୦୦ରୁ ଅଧିକ ରନ କରିଥିଲେ। ବିଜୟ ହଜାରେ ଟ୍ରଫି ଜିତିଥିବା ଗୁଜରାଟ ଦଳରେ ମଧ୍ୟ ପ୍ରିୟଙ୍କ ରହିଥିଲେ। ୯୭ଟି ଲିଷ୍ଟ ଏ ମ୍ୟାଚ୍‌ରେ ୮ଟି ଶତକ ମାରିଛନ୍ତି। ୨୦୨୩ ଅକ୍ଟୋବର ମାସରେ ସେ ନିଜର ଶେଷ ଟି-୨୦ ମ୍ୟାଚ ଗୁଜରାଟ ପାଇଁ ଖେଳିଥିଲେ। ଭାରତ ଏ ପାଇଁ ଖେଳିଥିବା ପଞ୍ଚଲ ଆଇପିଏଲ ଖେଳିବାର ମଧ୍ୟ ସୁଯୋଗ ପାଇ ନାହାନ୍ତି।

Bcci Priyank Panchal