ନ୍ୟୁଜିଲ୍ୟାଣ୍ଡର ୩୫୬ ରନର ଲିଡ୍‌କୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ଏମିତି ରେକର୍ଡ କଲା ଭାରତ

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ବିଶାଳ ୩୫୬ ରନର ଲିଡ ହାସଲ କରିଥିଲା। ହେଲେ ଭାରତ ଏହାକୁ ପରିଶୋଧ କରି ନୂଆ ରେକର୍ଡ ସୃଷ୍ଟି କରିଛି।

ପନ୍ତ ଓ ସର୍ଫରାଜ

  • Published: Saturday, 19 October 2024
  • , Updated: 19 October 2024, 04:14 PM IST

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଟିମ ଜବରଦସ୍ତ କମବ୍ୟାକ କରିବାକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଥିବା ଭାରତୀୟ ଟିମ ଦ୍ୱିତୀୟ ଇନିଂସରେ ନିଜର ଦମ ଦେଖାଇଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ବିଶାଳ ୩୫୬ ରନର ଲିଡ ହାସଲ କରିଥିଲା। ହେଲେ ଭାରତ ଏହାକୁ ପରିଶୋଧ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ଟେଷ୍ଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଏତେ ବଡ଼ ଲିଡକୁ ଦଳ ଘରୋଇ ମାଟିରେ ପରିଶୋଧ କରିବାକୁ ସକ୍ଷମ ହୋଇଛି।

ଯୁବ ତାରକା ସର୍ଫରାଜଙ୍କ ମେଡନ ଶତକ(ପରେ ୧୫୦ ରନ କରି ସେ ଆଉଟ ହୋଇଛନ୍ତି) ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତ ପ୍ରଥମ ଟେଷ୍ଟରେ କମବ୍ୟାକ କରିବାକୁ ସକ୍ଷମ ହୋଇଛି। ଏଥିସହ ଭାରତ ଏବେ ଲିଡ୍‌ ହାସଲ କରି ନେଇଛି।

ଭାରତ ଦ୍ୱିତୀୟ ଥର ପାଇଁ ଘରୋଇ ମାଟିରେ ଏତେ ବଡ଼ ଲିଡକୁ ହଟାଇବାକୁ ସକ୍ଷମ ହେବା ସହ ମ୍ୟାଚ୍‌ରେ ଟ୍ୱିଷ୍ଟ ଆଣିଛି। ତାଲିକାର ପ୍ରଥମ ସ୍ଥାନରେ ୩୮୦ ରନ ରହିଛି। ୧୯୮୫ ମସିହା ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ୩୮୦ ରନ ଲିଡ୍‌ ହାସଲ କରିଥିଲା। ହେଲେ ପ୍ରତିପକ୍ଷର ଏତେ ବଡ଼ ଲିଡ୍‌କୁ ଭାରତୀୟ ଟିମ ଅକାମୀ କରିବା ସହ ମ୍ୟାଚ୍‌ରେ କମବ୍ୟାକ କରିଥିଲା।

ଘରୋଇ ମାଟିରେ ଭାରତ ପରିଶୋଧ କରିଥିବା ଲିଡ୍‌

୧- ୩୮୦ ବନାମ ଇଂଲଣ୍ଡ-୧୯୮୫

୨- ୩୫୬ ବନାମ ନ୍ୟୁଜିଲ୍ୟାଣ୍ଡ – ୨୦୨୪

୩- ୩୩୪ ବନାମ ଶ୍ରୀଲଙ୍କା – ୨୦୦୯

୪- ୨୯୩ ବନାମ କାନପୁର – ୧୯୬୪

୫- ୨୭୪ ବନାମ ଅଷ୍ଟ୍ରେଲିଆ – ୨୦୦୧

୬ – ୨୨୯ ବନାମ ୱେଷ୍ଟଇଣ୍ଡିଜ – ୧୯୫୯

ବିଦେଶ ମାଟିରେ ଭାରତ ପରିଶୋଧ କରିଥିବା ଲିଡ୍‌

୧- ୩୮୬ ବନାମ ଇଂଲଣ୍ଡ – ୧୯୬୭

୨- ୩୬୮ ବନାମ ଇଂଲଣ୍ଡ – ୧୯୩୬

୩- ୩୪୦ ବନାମ ପାକିସ୍ତାନ – ୧୯୭୮-୭୯

୪- ୩୧୪ ବନାମ ନ୍ୟୁଜିଲ୍ୟାଣ୍ତ – ୨୦୦୮-୦୯

୫- ୩୦୫ ବନାମ ଇଂଲଣ୍ଡ – ୧୯୮୨

୬- ୩୦୨ ବନାମ ଇଂଲଣ୍ଡ – ୧୯୫୨

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନ ଖେଳ ଆରମ୍ଭ ହେବା ବେଳକୁ ଭାରତ ୧୨୫ ରନ ପଛରେ ରହିଥିଲା ସର୍ଫରାଜ ଖାନ ତୃତୀୟ ଦିନରୁ ୭୦ ରନ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ନୂଆ ବ୍ୟାଟର ଭାବେ ଋଷଭ ପନ୍ତ ଆସିଥିଲେ। କାରଣ ତୃତୀୟ ଦିନର ଶେଷ ବଲରେ ବିରାଟ କୋହଲି(୭୦)ଙ୍କୁ ଗ୍ଲେନ ଫିଲିପ୍ସ ଆଉଟ କରିଦେଇଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳେ ଭାରତର ସ୍କୋର ୨୩୧/୩ ରହିଥିଲା।

ଆରମ୍ଭରୁ ଦୁହେଁ ଜବରଦସ୍ତ ବ୍ୟାଟିଂ କରିଥିଲେ। ସର୍ଫରାଜ ମଧ୍ୟ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଲିଡ ପରିଶୋଧ କରିବା ଠାରୁ ଭାରତ ଆଉ ମାତ୍ର କିଛି ରନ ପଛରେ ଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲା। ଏଥିଯୋଗୁ ୯୯ ମିନିଟ ଧରି ମ୍ୟାଚ ବନ୍ଦ ରହିଥିଲେ। ତେବେ ବର୍ଷା ଛାଡ଼ିବା ପରେ ଭାରତ ଲିଡ ଶୁଝି ଆଗକୁ ବଢ଼ିଥିଲା।

ସର୍ଫରାଜ ୧୫୦ ରନ ହାସଲ କରିବା ସହ ପନ୍ତ ମଧ୍ୟ ଶତକ ଦିଗରେ ଆଗେଇ ଥିଲେ। କିନ୍ତୁ ସର୍ଫରାଜ ୧୫୦ ଓ ପନ୍ତ ୯୯ ରନରେ ଆଉଟ ହୋଇଯାଇଛନ୍ତି। ଠିକ ଟି ପୂର୍ବରୁ ରାହୁଲ ମଧ୍ୟ ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଟି ବ୍ରେକ ପରେ ରବୀନ୍ଦ୍ର ଜାଡେଜା ନିରାଶ କରିଛନ୍ତି। ଭାରତ ୭ ଜଣ ବ୍ୟାଟରଙ୍କୁ ହରାଇ ସାରିଛି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୮୮ ରନ ଲିଡ କରିଛି।

Related story