Advertisment

WTC ଫାଇନାଲ: ଆଇସିସି ଟ୍ରଫି ଜିତିବା ସ୍ୱପ୍ନ ଏଥର ପୂରଣ ହେବ!

ଆସନ୍ତାକାଲି ଠାରୁ ଭାରତ ଆଇସିସିର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଭଳି ବିଗତ ଗୋଟିଏ ବର୍ଷ ହେଲା ଅଷ୍ଟ୍ରେଲିଆ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଆସିଛି।

author-image
Hemant Lenka
ICC

ICC

ଦୀର୍ଘ ଗୋଟିଏ ଦଶନ୍ଧି ହେଲା ଭାରତ ଭଲ କ୍ରିକେଟ ଖେଳୁଥିଲେ ମଧ୍ୟ ଏଯାଏ କୌଣସି ପ୍ରକାରର ଆଇସିସି ଟାଇଟଲ ଜିତି ପାରିନି। ଆଇସିସି ଟାଇଟଲକୁ ନେଇ ଜାରି ରହିଥିବା ମରୁଡ଼ିକୁ ଶେଷ କରିବା ପାଇଁ ଭାରତ ପାଖରେ ପୁଣି ଗୋଟିଏ ସୁଯୋଗ ସୃଷ୍ଟି ହୋଇଛି।

Advertisment

ଆସନ୍ତାକାଲି ଠାରୁ ଭାରତ ଆଇସିସିର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଭଳି ବିଗତ ଗୋଟିଏ ବର୍ଷ ହେଲା ଅଷ୍ଟ୍ରେଲିଆ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଆସିଛି।

ଇଂଲଣ୍ଡର ଓଭାଲରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ଦୁଇ ଦଳ ଫୁଲ ଦମରେ ଅଭ୍ୟାସ ଜାରି ରଖିଛନ୍ତି। WTC ସାଇକେଲକୁ ଦେଖିଥିଲେ ୨୦୨୧-୨୦୨୩ ମଧ୍ୟରେ ଭାରତ କ୍ରିକେଟର ଏହି ଲମ୍ବା ଫର୍ମାଟରେ କ୍ରମାଗତ ଭଲ ଖେଳି ଆସିଛି।

Advertisment

ଟିମରେ ରହିଥିବା ଖେଳାଳିଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଦଳ ଆଜି ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ସ୍ଥିତିରେ ଭାରତର ବୋଲିଂ ଆଟାକ ପୂରା ବିଶ୍ୱରେ ଶ୍ରେଷ୍ଠ। ବିଶ୍ୱର ବଡ଼ବଡ଼ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇବାକୁ ଭାରତର ବୋଲରମାନେ ସକ୍ଷମ। ତେବେ ବିଶ୍ୱସ୍ତରୀୟ ଟ୍ରଫି ବା ଆଇସିସି ଟ୍ରଫି ଜିତିବା ପାଇଁ ଦକ୍ଷିତା ଠାରୁ ଅଧିକ କିଛି ଦରକାର। ଦକ୍ଷତା, ଟେମ୍ପରାମେଣ୍ଟ ଓ ଚାପରେ ନିଜର ଖେଳ ପ୍ରଦର୍ଶନ କରିବା ଦ୍ୱାରା ହିଁ ଜଣେ ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହେବ।

ସୀମିତ ଓଭର କ୍ରିକେଟର ଅନେକ ଆଇସିସି ଇଭେଣ୍ଟର ନକଆଉଟ ପର୍ଯ୍ୟାୟରେ ଭାରତ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାକୁ ସକ୍ଷମ ହୋଇନି। ତେଣୁ ଚାପ ସମୟରେ ଭାରତୀୟ କ୍ରିକେଟରଙ୍କୁ ନିଜର ବଳିଷ୍ଠତା ଓ ଦକ୍ଷତାକୁ ପ୍ରଦର୍ଶନ କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆର ଇତିହାସ କହୁଛି ଯେ ସେମାନେ ବେଶ ସଫଳ। ନକଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କୁ ଚକମା ଦେବାରେ ବେଶ ମାହିର। ତେଣୁ ଭାରତ ଆଗରେ WTC ଫାଇନାଲ ମ୍ୟାଚ୍‌ରେ ଅତିରିକ୍ତ ଚ୍ୟାଲେଞ୍ଜ ରହିବ। ଅଷ୍ଟ୍ରେଲିଆ ପାଖରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇବାକୁ ବେଶ ସକ୍ଷମ।

ଅଷ୍ଟ୍ରେଲିଆର ରଣକୌଶଳକୁ ଭଣ୍ଡୁର କରିବାକୁ ହେବେ ଟିମ ଇଣ୍ଡିଆକୁ ବେଶ ଯୋଜନାବଦ୍ଧ ଭାବେ ଚକ୍ରବିହ୍ୟୁ ପ୍ରସ୍ତୁତ କରିବାକୁ ହେବ। ଯୋଜନା ଅନୁସାରେ ପଡ଼ିଆରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଯଦି ସବୁ କିଛି ଠିକ ଠାକ ରହିବ, ତା’ହେଲେ ୧୦ ବର୍ଷ ହେଲେ ଆଇସିସି ଟ୍ରଫି ଜିତିବାକୁ ଦେଶ ଦେଖିଥିବା ସ୍ୱପ୍ନ ସାକାର ହେବ।

୨୦୧୩ରେ ଭାରତ ଶେଷଥର ପାଇଁ କୌଣସି ବଡ଼ ଆଇସିସି ଟ୍ରଫି ଜିତିଥିଲା। ଇଂଲଣ୍ଡରେ ଦଳ ଇଂଲିଶ ଟିମ୍‌କୁ ହରାଇ ଚାମ୍ପିୟନ୍ସ ଟ୍ରଫି କରାୟତ କରିଥିଲା। ସେବେଠାରୁ ଦଳ ଆଇସିସି ଇଭେଣ୍ଟର ୩ଟି ଫାଇନାଲ ଓ ୪ଥର ସେମି ଫାଇନାଲ ମ୍ୟାଚ୍‌ରେ ହାରିଛି। ୨୦୨୧ ଟି-୨୦ ବିଶ୍ୱକପରେ ଦଳକୁ ପ୍ରଥମ ପର୍ଯ୍ୟାୟରୁ ହିଁ ବିଦା ହେବାକୁ ପଡ଼ିଥିଲା।

ଆଇସିସି WTC କଥା ବିଚାରକୁ ନେଲେ ଭାରତ ୬ଟି ସିରିଜ ଖେଳିଥିଲା। ଦକ୍ଷିଣ ଆଫ୍ରିକାକୁ ଛାଡ଼ି ବାକି ସବୁ ସିରିଜ ଟିମ ଇଣ୍ଡିଆ ଜିତିଛି କିମ୍ବା ଡ୍ର କରିବାକୁ ସକ୍ଷମ ହୋଇଛି। ଭଲ ପ୍ରଦର୍ଶନକୁ ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଜାରି ରଖିବାକୁ ପଡ଼ିବ। ପୁରୁଣା ଭୁଲରୁ ଦଳକୁ ଶିଖିବାକୁ ପଡ଼ିବ।

ଭାରତ ୨୦୨୧ WTCର ପ୍ରଥମ ସଂସ୍କରଣରେ ମଧ୍ୟ ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଭାରତ ଫାଇନାଲ ମ୍ୟାଚ୍‌ ଇଂଲଣ୍ଡରେ ଖେଳୁଥିଲେ ହେଁ ପରାମ୍ପରିକ କମ୍ବିନେସନରେ ମୈଦାନକୁ ଓହ୍ଲାଇଥିଲା।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ ୨ ଜଣ ସ୍ପିନରଙ୍କୁ ଖେଳାଇଥିବା ବେଳେ ଏହା ଘାତକ ସାବ୍ୟସ୍ଥ ହୋଇଥିଲା। ଏଥର ଅଷ୍ଟ୍ରେଲିଆ ବିପକ୍ଷ ଓଭାଲରେ ଖେଳା ଯିବାକୁ ଥିବା ଫାଇନାଲରେ ଟିମ ଇଣ୍ଡିଆର କମ୍ବିନେସନ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

୧୪୩ ବର୍ଷ ମଧ୍ୟରେ ଓଭାଲ ଜୁନ ମାସରେ କୌଣସି ଟେଷ୍ଟ ମ୍ୟାଚ୍‌ର ଆୟୋଜନ କରିବାକୁ ଯାଉଛି। ଭାରତ ଉକ୍ତ ପିଚ୍‌ ସହ ଆଦୌ ପରିଚିତ ନୁହେଁ। ସେହିପରି ଟିମ ଚୟନ ମଧ୍ୟ ଭାରତ ଆଗରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଟିମ ଇଣ୍ଡିଆ ସବୁବେଳେ ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନଙ୍କୁ ଖେଳାଇବା ସପକ୍ଷରେ ରହିଛି। ତେବେ ପିଚ୍‌ ଫ୍ରେଶ ଥିବାରୁ ୪ର୍ଥ ପେସରଙ୍କ ଆବଶ୍ୟକ ଓଭାଲରେ ପଡ଼ିପାରେ।

ସେହିପରି ବ୍ୟାଟିଂ ବିଭାଗରେ ଋଷଭ ପନ୍ତ ନଥିବାରୁ ଯଦି ଟପ୍‌ ଅର୍ଡର କୋଲାପସ କରିବ, ତା’ହେଲେ ଏହାକୁ ସମ୍ଭାଳିବାକୁ କେହି ନାହାନ୍ତି। ତେଣୁ ଟିମ ମ୍ୟାନେଜମେଣ୍ଟ ଏକ୍ସ ଫ୍ୟାକ୍ଟର ଭାବେ ଈଶାନ କିଶନଙ୍କୁ ବ୍ୟବହାର କରିବ ନା ପାରମ୍ପରିକ ଭାବେ କେଏସ ଭରତଙ୍କ ୱିକେଟ କିପିଂ ଉପରେ ନିର୍ଭର କରିବ, ତା’ ଉପରେ ମଧ୍ୟ ବିଚାର ବିମର୍ଶ କରୁଛି।

ମହମ୍ମଦ ଶାମି ଓ ମହମ୍ମଦ ସିରାଜ ବୋଲିଂ ବାହିନୀରେ ରହିବେ। ତେବେ ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରୁ କିଏ ଖେଳିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

WTC(୨୦୨୧-୨୦୨୩)ରେ ଭାରତର ପ୍ରଦର୍ଶନ

ଇଂଲଣ୍ଡ ବିପକ୍ଷରେ ଦଳ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ୨ଟିରେ ହାରିଛି। ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୪ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୨ଟି ଜିତିଛି, ଗୋଟିଏ ହାରିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚ୍‌ରୁ ଦଳ ୨ଟିରେ ହାରିଥିଲା ଗୋଟିଏରେ ଜିତିଥିଲା।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଛି।

ଶ୍ରୀଲଙ୍କା ବିପକ୍ଷ ୨ଟି ଯାକ ମ୍ୟାଚ୍‌ ଜିତିଥିଲା ଦଳ।

ବାଂଲାଦେଶ ବିପକ୍ଷ ୨ଟି ମ୍ୟାଚ୍‌ ଖେଳି ଦଳ ୨ଟି ଯାକ ଜିତିଛି।

ଭାରତୀୟ ଟିମ ମୋଟ ୧୮ଟି ମ୍ୟାଚ ଖେଳିଥିବା ବେଳେ ୧୦ଟିରେ ଜିତିଛି। ୫ଟି ହାରିଥିବା ବେଳେ ୩ଟି ମ୍ୟାଚ୍‌ ଡ୍ର କରିବାକୁ ସକ୍ଷମ ହୋଇଛି।

India Vs Australia INDvsAUS World Test Championship Finale WTC