Advertisment

ଲଢ଼ିଲେ, ଡ୍ର’ କଲେ

ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ବିଶାଳ ୬୬୯ ରନ୍ କରିଥିଲା। ତା’ ମଧ୍ୟରେ ଥିଲା ଜୋ ରୁଟ୍‌ ଓ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଶତକ। କିନ୍ତୁ ଭାରତର ୩ ଜଣ ଶତକ ମାରି ଇଂଲଣ୍ଡକୁ ମ୍ୟାଚ ଜିତିବାକୁ ସୁଯୋଗ ଦେଇନଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
ind

ind

ଜିତିବାର ସମ୍ଭାବନା ନଥିଲା। ହାରିବାର ଆଶଙ୍କା ଥିଲା। କିନ୍ତୁ ଚାପ ଆଗରେ ହାର ମାନି ନଥିଲା ଟିମ୍ ଇଂଡିଆ। ଧୈର୍ଯ୍ୟର ସହିତ ଖେଳିଲା ଓ ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟକୁ ଡ୍ର'ରେ ଶେଷ କଲା।

Advertisment

ଏହି ଡ୍ର’ର ଶ୍ରେୟ ଯାଉଛି କେ ଏଲ ରାହୁଲ, ଅଧିନାୟକ ଶୁବମନ ଗିଲ, ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜାଙ୍କୁ। ରାହୁଲ ୯୦ ରନ୍ କରିଥିବା ବେଳେ ଅନ୍ୟ ୩ ଜଣ ଶତକ ମାରିଛନ୍ତି।

ମାଞ୍ଚେଷ୍ଟରରେ ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଯଶସ୍ବୀ ଜୈସୱାଲଙ୍କ ୫୮, ସାଇ ସୁଦର୍ଶନଙ୍କ ୬୧, କେଏଲ ରାହୁଲଙ୍କ ୪୬ ଓ ଋଷଭ ପନ୍ତଙ୍କ ୫୪ ରନ୍ ବଳରେ ୩୫୮ ରନ୍ କରିଥିଲା।

Advertisment

ଅପରପକ୍ଷରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ବିଶାଳ ୬୬୯ ରନ୍ କରିଥିଲା। ତା’ ମଧ୍ୟରେ ଥିଲା ଜୋ ରୁଟ୍‌ ଓ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଶତକ। ରୁଟ୍ ୧୫୦ ରନ୍ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ୧୪୧ ରନ୍ କରିଥିଲେ। ସେହିଭଳି ବେନ୍ ଡକେଟ ୯୪ ଓ ଓଲି ପୋପ୍ ୭୧ ରନ୍ କରିଥିଲେ। ଭାରତୀୟ ବୋଲର ସେମାନଙ୍କୁ ଅଟକାଇବାରେ ପୂରା ବିଫଳ ହୋଇଥିଲେ। ଯଶପ୍ରୀତ ବୁମ୍ରା ବି କିଛି କରି ପାରି ନଥିଲେ। ୩୩ ଓଭର ବୋଲିଂ କରିଥିବା ବୁମ୍ରା ମାତ୍ର ୨ଟି ୱିକେଟ୍ ନେଇଥିବା ବେଳେ ସେଥିପାଇଁ ୧୧୨ ରନ୍ ବ୍ୟୟ କରିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୧୧ ରନ୍ ଲିଡ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସ ଖେଳିବାକୁ ଓହ୍ଲାଇଥିଲା ଟିମ୍ ଇଂଡିଆ । ହେଲେ ଦଳକୁ ପ୍ରଥମ ଓଭରରେ ଲାଗିଥିଲା ଡବଲ ଝଟକା। ପ୍ରଥମ ଓଭରରେ ଆଗପଛ ହୋଇ ଆଉଟ୍ ହୋଇଥିଲେ ଯଶସ୍ବୀ ଜୈସୱାଲ ଓ ସାଇ ସୁଦର୍ଶନ। ଦୁହେଁ ଶୂନରେ ଆଉଟ୍ ହୋଇଥିଲେ।

ଏହା ପରେ ମ୍ୟାଚ୍‌କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ କେଏଲ୍ ରାହୁଲ ଓ ଅଧିନାୟକ ଶୁବମନ ଗିଲ୍। ସଫଳ ମଧ୍ୟ ହୋଇଥିଲେ। ଏହି ଯୋଡ଼ିକୁ ଭାଙ୍ଗିବାକୁ ଇଂଲଣ୍ଡକୁ ୭୦ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ରାହୁଲ ୨୩୦ଟି ବଲ୍‌ର ସମ୍ମୁଖୀନ ହୋଇ ୯୦ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଶୁବମନ ଗିଲ ୨୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୦୩ ରନ୍ କରି ଆଉଟ୍ ହୋଇଥିଲେ। ଦୁହେଁ ଏକାଠି ପ୍ରାୟ ୭୦ ଓଭର ଖେଳିଥିଲେ। ସେମାନଙ୍କ ମଧ୍ୟରେ ୧୮୮ ରନର ଭାଗିଦାରୀ ହୋଇଥିଲା। ୭୦.୨ ଓଭରରେ ରାହୁଲ ଓ ୮୭.୪ ଓଭରରେ ଗିଲ ଆଉଟ୍ ହୋଇଥିଲେ।

ଏହା ପରେ ଇଂଲଣ୍ଡ ପୁଣି ଆଶାବାଦୀ ହୋଇଥିଲା ମ୍ୟାଚକୁ ନିଜ କବଜାରେ ରଖିବାକୁ। କିନ୍ତୁ ଭାରତୀୟ ଇନିଂସକୁ ସମ୍ଭାଳି ନେଇଥିଲେ ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା। ଏହି ଯୋଡ଼ିକୁ ଶେଷ ପର୍ଯ୍ୟନ୍ତ ଭାଙ୍ଗି ପାରିନଥିଲା ଇଂଲଣ୍ଡ। ୱାଶିଂଟନ ସୁନ୍ଦର ୧୦୧ (୨୦୬ ବଲ) ଓ ରବୀନ୍ଦ୍ର ଜାଡେଜା ୧୦୭ (୧୮୫ ବଲ) ରନ୍ କରି ନଟ୍ ଆଉଟ୍ ରହିଥିଲେ। ଏହି ଯୋଡି ୫୬ରୁ ଅଧିକ ଓଭର ଏକାଠି ଖେଳିଥିଲେ। ସେମାନଙ୍କ ମଧ୍ୟରେ ୨୦୩ ରନର ଭାଗିଦାରୀ ହୋଇଥିଲା।

ଭାରତ ପ୍ରଥମ ଇନିଙସରେ ସମସ୍ତ ୱିକେଟ ହରାଇ ୩୫୮ ରନ୍ କରିଥିବା ବେଳେ ଦ୍ବିତୀୟ ଇନିଙସରେ ୪ ୱିକେଟ ହରାଇ ୪୨୫ ରନ୍ କରିଥିଲା।

ଚଳିତ ଟେଷ୍ଟ ସିରିଜରେ ୪ଟି ଅର୍ଦ୍ଧ ଶତକ ମାରିବା ପରେ ଏହା ହେଉଛି ଜାଡେଜାଙ୍କ ପ୍ରଥମ ଶତକ। ସେହିପରି ଏହା ତାଙ୍କ ଟେଷ୍ଟ କରିୟରର ୫ମ ଶତକ। ଅନ୍ୟପକ୍ଷରେ ସୁନ୍ଦରଙ୍କ ପାଇଁ ଏହି ଶତକ ଖୁବ୍ ଖାସ୍। କାରଣ ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ। ଚଳିତ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ବ୍ୟାଟରୁ ବାହାରି ସାରିଲାଣି ୧୧ଟି ଶତକ। କେବଳ ଗିଲ ମାରିଛନ୍ତି ୪ଟି ଶତକ।

ଭାରତ ଚତୁର୍ଥ ଟେଷ୍ଟକୁ ଡ୍ର' ରଖିଥିବା ବେଳେ ଏହି ସିରିଜରେ ଏବେ ବି ଇଂଲଣ୍ଡ ୨-୧ରେ ଆଗୁଆ ରହିଛି।  ତେଣୁ ଭାରତ ଶୃଙ୍ଖଳାକୁ ଜୀବନ୍ତ ରଖିଥିବା ବେଳେ ୫ମ ବା ଶେଷ ମ୍ୟାଚ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ ଭାରତ ଜିତିଲେ ସିରିଜର ବରାବରରେ ସରିବ। ଅନ୍ୟଥା ପରିଣାମ ଅନ୍ୟ ଯାହା କିଛି ହେଲେ ଭାରତ ସିରିଜ ହାରିବ। ଜୁଲାଇ ୩୧ରୁ ଦ ଓଭାଲରେ ୫ମ ମ୍ୟାଚ ଆରମ୍ଭ ହେବ।

INDvsENG