/odisha-reporter/media/post_attachments/uploadimage/library/16_9/16_9_0/stokes_1753363160.jpg)
stokes
ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଘାତକ ବୋଲିଂ କରିଛନ୍ତି। ସେ ଏକାକୀ ୫ ୱିକେଟ ନେବାରୁ ଭାରତ ତା’ର ପ୍ରଥମ ଇନିଂସରେ ୩୫୮ ରନ କରି ଅଟକି ଯାଇଛି। ପ୍ରଥମ ଦିନରେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ଋଷଭ ପନ୍ତ ଆଜି ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଛି। ସେ ୫୪ ରନ କରି ୯ମ ବ୍ୟାଟର ଭାବେ ଆଉଟ ହେବା ପରେ ଭାରତର ଆଉ ୯ ରନ ଯୋଡ଼ି ଅଲଆଉଟ ହୋଇ ଯାଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନର ଲଞ୍ଚ ସୁଦ୍ଧା କୌଣସି ୱିକେଟ ହରାଇ ନଥିଲା। କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଦମଦାର ବ୍ୟାଟିଂ କରିଥିଲେ। ଲାଗୁଥିଲା ମାଞ୍ଚେଷ୍ଟରରେ ବଡ଼ ସ୍କୋର କରିବ ଭାରତ। କିନ୍ତୁ ଲଞ୍ଚ ପରେ ରାହୁଲ ୪୬ ରନ କରି ପ୍ରଥମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ଯଶସ୍ୱୀ ଜୈସୱାଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୫୬ ରନରେ ଲିଆମ ଡାୱସନଙ୍କ ବଲରେ ଆଉଟ ହୋଇଥିଲେ। ୮ ବର୍ଷ ପରେ ଡାୱସନ ଟେଷ୍ଟ ଖେଳୁଥିବା ବେଳେ ଜୈସୱାଲଙ୍କ ୱିକେଟ ତାଙ୍କ ଖାତାକୁ ଯାଇଥିଲା।
ଜୈସୱାଲଙ୍କ ପରେ ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଇଂଲିଶ ଅଧିନାୟକ ବେନ ଷ୍ଟୋକ୍ସ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ୧୨ ରନ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ବଡ଼ ଝଟକା ଦେଇଥିଲେ। ଏହାପରେ ସାଇ ଓ ପନ୍ତ ଭାରତୀୟ ଇନିଂସକୁ ଆଗକୁ ନେଇଥିଲେ। ସାଇ ମଧ୍ୟ ନିଜ ଟେଷ୍ଟ କ୍ୟାରିୟରର ତୃତୀୟ ଇନିଂସରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।
ତେବେ ଦଳୀୟ ସ୍କୋର ୨୧୨ ଥିବା ବେଳେ ପନ୍ତ ଆହତ କାରଣରୁ ପଡ଼ିଆ ଛାଡ଼ିଥିଲେ। ସେହିପରି ଦଳୀୟ ସ୍କୋର ୨୩୫ ଥିବା ବେଳେ ସାଇ ୬୧ ରନ କରି ବେନ ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷରେ ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ଭାରତକୁ ସମ୍ଭାଳିବା ସହ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଆଉ କୌଣସି ବିପର୍ଯ୍ୟୟ ଘଟିବାକୁ ଦେଇ ନଥିଲେ।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୨୬୪ ରନ କରିଥିଲା। ଜାଡେଜା ଓ ଠାକୁର ୧୯ ରନ ଲେଖାଏ କରି କ୍ରିଜରେ ରହିଥିଲେ। ଆଜି ସକାଳୁ ପ୍ରଥମ ୧ ଘଣ୍ଟା ଇଂଲଣ୍ଡର ବୋଲରମାନେ ଦମଦାର ବୋଲିଂ କରିଥିଲେ। ଜାଡେଜା ନିଜ ଖାତାରେ ମାତ୍ର ୧ ରନ ଯୋଡ଼ି ଦିବସର ପ୍ରଥମ ବ୍ୟାଟର ଭାବେ ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ।
ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ। ଦଳୀୟ ସ୍କୋର ୩୧୨ ଥିବା ବେଳେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ହରାଇଥିଲା। ସେ ୪୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଷ୍ଟୋକ୍ସଙ୍କ ତୃତୀୟ ଶିକାର ବନିଥିଲେ। ଶାର୍ଦ୍ଦୁଲଙ୍କ ସ୍ଥାନ ନେବାକୁ ଛୋଟେଇ ଛୋଟେଇ ପଡ଼ିଆରେ ପ୍ରବେଶ କରିଥିଲେ ପନ୍ତ।
ଗତକାଲି ୩୭ ରନ କରିଥିବା ପନ୍ତ ବେଶ ସତର୍କତାର ସହ ଆଜି ବ୍ୟାଟିଂ କରିଥିଲେ। ତାଙ୍କୁ ସୁନ୍ଦର ଭରପୂର ସାଥ ଦେଇଥିଲେ। ହେଲେ ଲଞ୍ଚର କିଛି ସମୟ ପୂର୍ବରୁ ହଠାତ ବର୍ଷା ହୋଇଥିଲା। ଏଥିସହ ଦ୍ୱିତୀୟ ଦିବସରେ ଲଞ୍ଚ ମଧ୍ୟ ଆଗୁଆ ହୋଇ ଯାଇଥିଲା।
ଲଞ୍ଚ ପରେ ଷ୍ଟୋକ୍ସ ପ୍ରଥମେ ୨୭ ରନ କରିଥିବା ସୁନ୍ଦର ଓ ସମାନ ଓଭରରେ ଡେବ୍ୟୁଟାଣ୍ଟ ଅଂଶୁଲ କମ୍ବୋଜଙ୍କ ୱିକେଟ ନେଇଥିଲେ। କମ୍ବୋଜଙ୍କୁ ଆଉଟ କରି ସେ ୫ମ ସଫଳତା ହାସଲ କରିଥିଲେ। ଭାରତ ୩୩୭ ରନରେ ୮ମ ୱିକେଟ ହରାଇଥିଲା।
ପନ୍ତ ଏହାପରେ ଗୋଟିଏ ଛକା ଓ ଚୌକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏକାକୀ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୫୪ ରନ କରିଥିବା ବେଳେ ତାଙ୍କୁ ଆର୍ଚର କ୍ଲିନ ବୋଲ୍ଡ କରିଦେଇଥିଲେ। ପନ୍ତଙ୍କ ପରେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିବାକୁ ଚେଷ୍ଟା କରିଥିଲେ। ଇନସାଇଡ ଏଡଜ ହୋଇ ଆର୍ଚରଙ୍କ ବଲରେ ବୁମ୍ରାଙ୍କୁ ମଧ୍ୟ ଗୋଟିଏ ଚୌକା ମିଳିଥିଲା। ସିରାଜ ମଧ୍ୟ ବେନ ଷ୍ଟୋକ୍ସଙ୍କୁ ଗୋଟିଏ ଚୌକା ମାରିଥିଲେ।
କିନ୍ତୁ ପରବର୍ତ୍ତୀ ଓଭରରେ ଆର୍ଚର ୪ ରନ କରିଥିବା ବୁମ୍ରାଙ୍କୁ ୱିକେଟ କିପର ଜେମି ସ୍ମିତଙ୍କ ହାତରେ କ୍ୟାଚ କରାଇ ଭାରତର ପ୍ରଥମ ଇନିଂସକୁ ୩୫୮ ରନରେ ଅଟକାଇ ଦେଇଥିଲେ। ଇଂଳଣ୍ଡ ପାଇଁ ଷ୍ଟୋକ୍ସ ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ଆର୍ଚର ୩ଟି ଓ କ୍ରିସ ୱକ୍ସ ଏବଂ ଡାୱସନଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
