Advertisment

T20 World Cup: ଭାରତ ପୁଣି ବିଶ୍ୱ ବିଜେତା: ସାକାର ହେଲା ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ସ୍ୱପ୍ନ

ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ।

author-image
Hemant Lenka
IND

ଭାରତୀୟ ଟିମ

୨୦୨୩ ନଭେମ୍ବର ୧୯ରେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା। ଭାରତୀୟ ଟିମ ସହ କାନ୍ଦି ଥିଲା ପୂରା ଦେଶ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ବନିଥିଲା ଦୁଃଖର ମୁକସାକ୍ଷୀ। କାରଣ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା ଭାରତ। ନରେନ୍ଦ୍ର ମୋଦି ଷ୍ଟାଡିୟମ ଅନେକ ଅପବାଦ ମଧ୍ୟ ମୁଣ୍ଡାଇଥିଲା।

Advertisment

ହେଲେ ସେହି ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ। ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପକୁ ନିଜ ନାଁରେ କରିଛି। 

୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ। ପୂରା ବିଶ୍ୱର କୌଣସି ଟିମ ୩ଥର ବିଶ୍ୱକପ ଜିତି ନଥିବା ବେଳେ ଭାରତ ପ୍ରଥମଥର ପାଇଁ ଏପରି ସଫଳତା ନିଜ ନାଁରେ କରିଛି। ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୨୦୨୪ରେ ସଫଳତା ସାଉଁଟିଥିଲେ ରୋହିତ ଶର୍ମା। ଏବେ ଭାରତର ତୃତୀୟ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି। 

Advertisment

ଆଜି ଯାଏ କୌଣସି ଟିମ ନିଜ ଦେଶ ବା ଘରୋଇ ମାଟିରେ ଟି-୨୦ ବିଶ୍ୱକପ(T20 World Cup) ଜିତି ନଥିଲେ। କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନଥିଲେ। ଭାରତୀୟ ଟିମ କେବେ ବି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା। କିନ୍ତୁ ସେସବୁ ପୁରୁଣା କଥାକୁ ଇତିହାସର ଅନ୍ଧାରକୁ ଠେଲି ଦେଇଛି ଟିମ ଇଣ୍ଡିଆ। ଭାରତୀୟ ଟିମ ଆଗରେ ହିଷ୍ଟ୍ରୀକୁ ଡିଫିଟ ହୋଇଛି। ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ରେକର୍ଡ କରିଛି। 

ନ୍ୟୁଜିଲ୍ୟାଣ୍ଡକୁ ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲରେ ୯୬ ରନରେ ହରାଇ ଭାରତ ବନି ଯାଇଛି ବିଶ୍ୱ ବିଜେତା। ୨୦୨୪ରେ ରୋହିତ ଶର୍ମା ବାର୍ବଡସରେ ଟି-୨୦ ବିଶ୍ୱକପ ଜିତି ସ୍ୱଦେଶ ଆଣିଥିଲେ। ଏବେ ସୂର୍ଯ୍ୟ କୁମାର ଯାଦବ ଭାରତରେ ଏହାକୁ ଜିତି ବିଦେଶକୁ ଟ୍ରଫି ଯିବାକୁ ଦେଇ ନାହାନ୍ତି। ଏଥିସହ ପବିତ୍ର ରମଜାନ ମାସରେ ପୂରା ଦେଶବାସୀଙ୍କୁ ଟି-୨୦ ବିଶ୍ୱକପ ଜିତି ଆଗୁଆ ଇଦି ମଧ୍ୟ ଦେଇଛି ଟିମ ଇଣ୍ଡିଆ।  

ଫାଇନାଲରେ ଭାରତ ରନ ବର୍ଷା କରି ୫ ୱିକେଟରେ ରେକର୍ଡ ୨୫୫ ରନ କରିଥିଲା। ଅଭିଷେକ ଶର୍ମାଙ୍କ ୨୧ ବଲରେ ୫୨, ସଞ୍ଜୁ ସାମସନଙ୍କ ୪୬ ବଲରେ ୮୯, ଈଶାନ କିଶନଙ୍କ ୨୫ ବଲରେ ୫୪ ଓ ଶିବମ ଦୁବେ ଶେଷ ଭାଗରେ ୮ ବଲରେ ଅପରାଜିତ ୨୬ ରନ କରିଥିଲେ। 

ଏହାପରେ ନ୍ୟୁଜିଲ୍ୟାଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ୨୫୬ ରନର ପିଛା କରିବାକୁ ଓହ୍ଲାଇଥିଲା। ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଦୁବେ ହାତ ଛଡ଼ା କରିଥିଲେ। ସେହିପରି ପାଣ୍ଡ୍ୟା ଦ୍ୱିତୀୟ ଓଭରରେ ୨୧ ରନ ଖର୍ଚ୍ଚ କରିଥିଲେ। କିନ୍ତୁ ତୃତୀୟ ଓଭରୁ ନ୍ୟୁଜିଲ୍ୟାଣ୍ଡର ପତନ ଆରମ୍ଭ ହୋଇଥିଲା। ବଡ଼ ଶଟ ଖେଳିବାକୁ ଯାଇ ଫିନ ଆଲେନ(୯) ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ।

ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ ରଚିନ ରବୀନ୍ଦ୍ର। ଡବଲ ୱିକେଟ ପରେ ମଧ୍ୟ ଟିମ ସେଇଫର୍ଟ କାଉଣ୍ଟର ଆଟାକ ଜାରି ରଖିଥିଲେ। ଏସବୁ ଭିତରେ ଅକ୍ଷର ପଟେଲ ୫ ରନ କରି ଦେଇଥିବା ଗ୍ଲେନ ଫିଲିପ୍ସଙ୍କୁ ବୋଲ୍ଡ କରିଥିଲେ। ୪୭ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇଥିଲେ ହେଁ ସୈଫଫର୍ଟ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ଗିୟର ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ୯ମ ଓଭରର ପ୍ରଥମ ବଲରେ ତାଙ୍କୁ ବରୁଣ ଚକ୍ରବର୍ତ୍ତୀ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେଇଫର୍ଟ ୨୬ ବଲରେ ୫୨ ରନ କରିଛନ୍ତି। ସୈଇଫର୍ଟଙ୍କ ପୂର୍ବରୁ ପାଣ୍ଡ୍ୟା ନିଜର ଦ୍ୱିତୀୟ ଓଭରରେ ମାର୍କ ଚାମ୍ପମାନ(୩)ଙ୍କୁ ବୋଲ୍ଡ କରିଥିଲେ। 

ନ୍ୟୁଜିଲ୍ୟାଣ୍ଡ ୮.୧ ଓଭରରେ ୫ ୱିକେଟ ହରାଇ ୭୨ ରନ କରିଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳି ମିଚେଲ ସାଣ୍ଟନର ଓ ଡାରେଲ ମିଚେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ କାଉଣ୍ଟର ଆଟାକ କରି ୧୨ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୧୯ରେ ପହଞ୍ଚାଇ ଦେଇଥିଲେ।

୧୩ତମ ଓଭରର ପ୍ରଥମ ବଲରେ ଅକ୍ଷରଙ୍କ ବଲରେ ପାଣ୍ଡ୍ୟାଙ୍କ ପାଖକୁ ଅତି ସହଜ କ୍ୟାଚ ଯାଇଥିଲେ ହେଁ ଏହାକୁ ସେ ହାତ ଛଡ଼ା କରିଥିଲେ। ପରବର୍ତ୍ତୀ ବଲରେ ସାଉଣ୍ଟର ଚୌକା ମାରିଥିଲେ। କିନ୍ତୁ ସେହି ଓଭରର ୫ମ ବଲରେ ମିଚେଲ(୧୭)ଙ୍କୁ କ୍ୟାଚ୍‌ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ।

୧୬ତମ ଓଭରରେ ଯଶପ୍ରୀତ ବୁମ୍ରା ସଂଘର୍ଷ କରୁଥିବା ଜିମ୍ମି ନୀଶମ(୮)ଙ୍କ ଦଣ୍ଡାମେଲା କରି ଦେଇଥିଲେ। ନ୍ୟୁଜିଲ୍ୟାଣ୍ତ ୧୪୧ରେ ୭ମ ୱିକେଟ ହରାଇଥିଲା। ପରବର୍ତ୍ତୀ ବଲରେ ବୁମ୍ରା ସମାନ ଢଙ୍ଗରେ ମ୍ୟାଟ ହେନରୀଙ୍କୁ ମଧ୍ୟ ବୋଲ୍ଡ କରିଥିଲେ। ହ୍ୟାଟ୍ରିକ ବଲରେ ସେ ସ୍ଲୋୟର ୟକର୍ସ ପକାଇଥିଲେ ହେଁ ଲକି ଫର୍ଗୁସନ ଏହାକୁ ଅଟକାଇ ଦେବାକୁ ସକ୍ଷମ ହୋଇଥିଲେ। ସେ ୧୬ତମ ଓଭରରେ ମାତ୍ର ୪ ରନ ମଧ୍ୟ ଦେଇଥିଲେ।  

ଅଧିନାୟକ ସାଣ୍ଟନର କାଉଣ୍ଟର ଆଟାକ କରିଥିଲେ ହେଁ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଟ୍ରାକକୁ ଆଣିବାକୁ ସକ୍ଷମ ହୋଇ ନଥିଲେ। ତଥାପି ସେ ଶେଷ ଯାଏ ଲଢ଼ିଥିଲେ। ୧୭ତମ ଓଭରରେ ଅର୍ଶଦୀପ ୯ ରନ ଦେବାରୁ ନ୍ୟୁଜିଲ୍ୟାଣ୍ଡ ୧୫୨ ରନରେ ପହଞ୍ଚିଥିଲା। 

୧୮ତମ ଓଭର ଯଶପ୍ରୀତ ବୁମ୍ରା ପକାଇବାକୁ ଆସିଥିବା ବେଳେ ସାମ୍ନାରେ ଥିଲେ ସାଣ୍ଟନର। ସେ ତୃତୀୟ ବଲରେ ସାଣ୍ଟରନଙ୍କୁ ବୋଲ୍ଡ କରି ମ୍ୟାଚରେ ୪ ସଫଳତା ହାସଲ କରିଥିଲେ। ଏଥିସହ ନ୍ୟୁଜିଲ୍ୟାଣ୍ତକୁ ୯ମ ଝଟକା ଦେଇଥିଲେ। ବୁମ୍ରା ଫାଇନାଲରେ ୪ ଓଭରରେ ମାତ୍ର ୧୫ ରନ ଦେଇ ୪ ୱିକେଟ ନେଇଛନ୍ତି।

ମ୍ୟାଚ୍‌ର ସ୍ଥିତି ଏକତରଫା ହୋଇଯିବାରୁ ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଅଭିଷେକ ଶର୍ମା। ସେ ଓଭରର ଶେଷ ବଲରେ ଜ୍ୟାକବ ଡଫୀଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ୧୫୯ରେ ଅଲଆଉଟ କରିଥିଲେ। ଏଥିସହ ଭାରତକୁ ୯୬ ରନର ଐତିହାସିକ ବିଜୟ ଭେଟି ଦେଇଥିଲେ।  

T20 World Cup