Advertisment

ଆଡିଲେଡ୍‌ରେ ଆତ୍ମସମର୍ପଣ

ପର୍ଥର ପରାଜୟର ପ୍ରତିଶୋଧ ଆଡିଲେଡ୍‌ରେ ନେଲା ଅଷ୍ଟ୍ରେଲିଆ!

author-image
Jitendra Garnayak
ଅଦ୍ୟତନ ହୋଇଛି
Team India

Team India

ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। ଆଡିଲେଡ୍‌ରେ ଆତ୍ମସମର୍ପଣ କଲା ଟିମ୍ ଇଣ୍ଡିଆ। ମାତ୍ର ୨ ଦିନ ଓ ଦେଢ଼ ଘଣ୍ଟାରୁ କିଛି ଅଧିକ ସମୟରେ ସରିଗଲା ଖେଳ। ୧୦ ୱିକେଟ୍‌ରେ ବିଜୟୀ ହେଲା ଅଷ୍ଟ୍ରେଲିଆ। ଏହା ସହିତ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି ଉଭୟ ଦଳ।  

Advertisment

ପର୍ଥରେ ଟେଷ୍ଟ ୨୯୫ ରନ୍‌ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା।

ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲ୍‌ ଆଉଟ୍ ହେବା ପରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଦଳର ପ୍ରଦର୍ଶନ ଭଲ ନଥିଲା। ପ୍ରଥମ ଇନିଂସ ଭଳି ଦଳ ଖୁବ୍‌ଶୀଘ୍ର ୱିକେଟ୍ ହରାଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧୨୮ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ସମସ୍ତ ୫ ଟପ୍ ଅର୍ଡର ବ୍ୟାଟର ଆଉଟ୍ ହୋଇଯାଇଥିଲେ। ଆଜି ସକାଳେ ପୁଣି ଖେଳ ଆରମ୍ଭ ହେବାର ମାତ୍ର ଏକ ଘଣ୍ଟାରୁ ଟିକେ ଅଧିକ ସମୟ ମଧ୍ୟରେ ଦଳର ବାକି ୫ଟି ୱିକେଟ୍ ପଡ଼ିଯାଇଥିଲା। ଆଜି ପ୍ରଥମ ଓଭରରେ ଯାଇଥିଲା ଋଷଭ ପନ୍ତଙ୍କ ୱିକେଟ୍‌। ତା’ପରେ ଅଳ୍ପ ସମୟ ବ୍ୟବଧାନରେ ଆଉଟ୍ ହୋଇଯାଇଥିଲେ ଅନ୍ୟ ସମସ୍ତ ବ୍ୟାଟର।    

Advertisment

ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ୍ ରାହୁଲ ଯଥାକ୍ରମେ ୨୪ ଓ ୭ ରନ୍ କରି ଆଉଟ୍ ହୋଇଥିଲେ। ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏହି ଦୁଇ ବ୍ୟାଟରଙ୍କ ମଧ୍ୟରେ ୨୦୧ ରନ୍‌ର ପାର୍ଟନରଶିପ ହୋଇଥିଲା। ତେଣୁ ଏଥର ବି ସେମାନଙ୍କଠାରୁ ଏକ ବଡ଼ ପାର୍ଟନରଶିପର ଆଶା ରଖିଥିଲେ ସମସ୍ତେ। କିନ୍ତୁ ଉଭୟ ନିରାଶ କରିଥିଲେ।

ପ୍ରଥମ ଇନିଂସରେ ୩୧ ରନ୍ କରିଥିବା ଶୁବମନ ଗିଲ ଦ୍ୱିତୀୟ ଇନିଂସରେ ୨୮ ରନ୍ କରିଥିଲେ। ସେହିଭଳି ପ୍ରଥମ ଇନିଂସରେ ବିଫଳ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ମଧ୍ୟ ସଫଳ ହୋଇପାରି ନଥିଲେ। ପ୍ରଥମ ଇନିଂସରେ ୭ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୧ ରନ୍ କରି ଆଉଟ୍ ହୋଇଥିଲେ। 

ପର୍ଥ ଟେଷ୍ଟ ଖେଳି ନଥିବା ରୋହିତ ଶର୍ମା ଆଡିଲେଡ୍‌ରେ ଖେଳିଥିଲେ। କିନ୍ତୁ ନିଜ ସ୍ଥାନ ବଦଳାଇ ଦେଇଥିଲେ। ଓପନିଂ କରିବାକୁ ଆସୁଥିବା ରୋହିତ ବହୁ ବର୍ଷ ପରେ ମିଡିଲ୍‌ ଅର୍ଡରରେ ଆସିଥିଲେ। ତେବେ ୬ ନମ୍ବରରେ ଖେଳିବାକୁ ଆସିଥିବା ରୋହିତ ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ୬ ରନ୍ କରିଥିଲେ। 

ଋଷଭ ପନ୍ତ ମଧ୍ୟ ଫେଲ୍ ମାରିଲେ। ଦ୍ୱିତୀୟ ଇନିଂସରେ ସେ ୨୮ ରନ୍ କରି ଆଉଟ୍ ହେଲେ। ୭ ନମ୍ବରରେ ଆସୁଥିବା ନୀତୀଶ କୁମାର ରେଡ୍ଡୀ ଭଲ ଖେଳୁଥିଲେ। କିନ୍ତୁ ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ପ୍ରଥମ ଇନିଂସରେ ୪୨ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ୪୨ ରନ୍ କରି ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୭, ହର୍ଷିତ ରାଣା ଶୂନ ଓ ମହମ୍ମଦ ସିରାଜ ୭ ରନ୍ କରି ଆଉଟ୍ ହୋଇଥିଲେ। 

ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୧୭୫ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ସମ୍ମୁଖରେ ଭାରତୀୟ ବ୍ୟାଟରମାନେ ଏକ ପ୍ରକାର ହାତ ଟେକି ଦେଇଥିବା ଭଳି ମନେ ହୋଇଥିଲା। ଅଧିନାୟକ ପ୍ୟାଟ୍ କମିନ୍‌ସ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ ଓ ସ୍କଟ ବୋଲାଣ୍ଡ ୩ଟି ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୩.୨ ଓଭରରେ କୌଣସି ୱିକେଟ୍ ନହରାଇ ଏହାକୁ ହାସଲ କରି ନେଇଥିଲା। ନାଥମ ମ୍ୟାକସ୍ୱିନୀ ୧୦ ଓ ଉସମାନ ଖୱାଜା ୯ ରନ୍ କରି ଦଳକୁ ଜିତାଇଥିଲେ। ପ୍ରଥମ ଇନିଂସରେ ୧୪୧ଟି ବଲ୍‌ରୁ ୧୪୦ ରନ୍ କରି ଅଷ୍ଟ୍ରେଲିଆର ବିଜୟୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିବା ଟ୍ରାଭିସ ହେଡ୍‌କୁ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି। 

ଆଡିଲେଡ୍‌ ଓଭାଲରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପ୍ରଥମ ଇନିଂସରେ ୧୮୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଥିଲା। ଏହା ପରେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୩୭ ରନ୍ କରିଥିଲା। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ବାଟ ଓଗାଳି ପାରି ନଥିଲେ। ବିଶେଷ କରି ଟ୍ରାଭିସ ହେଡ୍ ସମସ୍ତଙ୍କ ନିଦ ହଜାଇ ଦେଇଥିଲେ। ଫଳରେ ଦଳ ୧୫୭ ରନ୍‌ର ଭଲ ଲିଡ୍ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୫ ରନ୍‌ରେ ଅଲ୍‌ଆଉଟ୍ ହୋଇ ୧୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।  

ସୂଚନାଯୋଗ୍ୟ, ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ୫ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟରୁ ତୃତୀୟଟି ବ୍ରିସବେନ୍‌ରେ ଡିସେମ୍ବର ୧୪ରୁ ଆରମ୍ଭ ହେବ। 

INDvsAUS