Advertisment

କାଲିଠୁ ନିର୍ଣ୍ଣାୟକ ଟେଷ୍ଟ: ଡେବ୍ୟୁ କରିପାରନ୍ତି ଈଶାନ କିଶନ, ୨ଟି ପିଚ୍‌ ପ୍ରସ୍ତୁତ ହୋଇଛି କି

ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ପାଇଁ ଭାରତକୁ ଶେଷ ଟେଷ୍ଟକୁ ଯେମିତି ହେଲେ ଜିତିବାକୁ ପଡ଼ିବ।

 pitche

pitche

Advertisment

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲି ଠାରୁ ଅହମଦାବାଦରେ ଆରମ୍ଭ ହେବ। ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ପାଇଁ ଭାରତକୁ ଶେଷ ଟେଷ୍ଟକୁ ଯେମିତି ହେଲେ ଜିତିବାକୁ ପଡ଼ିବ। ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତ ୯ ୱିକେଟରେ ପରାସ୍ତ ହୋଇଥିଲା।

Advertisment

ତେଣୁ ରୋହିତ ସେନା ବାଉନ୍ସ ବ୍ୟାକ୍‌ ଲକ୍ଷ୍ୟରେ ରହିଛି। ୩ଟି ଯାକ ଟେଷ୍ଟରେ କ୍ରମାଗତ ଫେଲ ମାରିଥିବା ୱିକେଟ କପିର ବ୍ୟାଟର କେଏସ୍‌ ଭରତଙ୍କୁ ୪ର୍ଥ ଟେଷ୍ଟରୁ ବାଦ ଦିଆଯାଇ ପାରେ। ତାଙ୍କ ବଦଳରେ ଈଶାନ କିଶନ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିପାରନ୍ତି। ଈଶାନ ୫ କିମ୍ବା ୬ନଂରେ ବ୍ୟାଟିଂ କରିବା ସହ ୱିକେଟ କପିଂ କରିବେ।

ଏହାବାଦ ଦଳରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ବୋଲିଂ କରିଥିବା ମହମ୍ମଦ ଶାମି କାହା ବଦଳରେ ଖେଳିବେ, ତା’ ଉପରେ ସମସ୍ତଙ୍କ ନଜର। କାରଣ ତୃତୀୟ ଟେଷ୍ଟରେ ଶାମିଙ୍କ ବଦଳ ଖେଳାଳି ଭାବେ ଉମେଶ ଯାଦବ ସ୍ଥାନ ପାଇଥିଲେ। ସେ ପ୍ରଥମ ଇନିଂସରେ ୪ଟି ୱିକେଟ ମଧ୍ୟ ନେଇଥିଲେ। ତେଣୁ ଦଳ ମହମ୍ମଦ ସିରାଜଙ୍କୁ ବାଦ ଦେଇ ଶାମିଙ୍କୁ ଖେଳାଇବ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱରେ ରହିଛି।

Advertisment

୩ଟି ଯାକ ଟେଷ୍ଟରେ ଭାରତର ବ୍ୟାଟିଂ ବିଫଳତା ପଦାରେ ପଡ଼ିଛି। ବିଶେଷ କରି ଇନ୍ଦୋର ଭଳି ସ୍ପିନିଂ ଟ୍ରାକ୍‌ରେ ଭାରତୀୟ ବ୍ୟାଟରଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ଏପରି ସ୍ଥିତିରେ ଦଳକୁ ନିଜ ବ୍ୟାଟିଂ ଉପରେ ବେଶୀ ଫୋକସ କରିବାକୁ ପଡ଼ିବ। ବିରାଟ କୋହଲିଙ୍କ ବ୍ୟାଟରୁ ୨୦୧୯ ପରେ ଆଉ ଟେଷ୍ଟରେ ଶତକ ଦେଖିବାକୁ ମିଳିନି।

ଶ୍ରେୟସ ଆୟର ମଧ୍ୟ କ୍ରମାଗତ ଫେଲ ମାରିବାରେ ଲାଗିଛନ୍ତି। ଶୁବମନ ଗିଲ ତୃତୀୟ ଟେଷ୍ଟ ଖେଳିଥିଲେ ମଧ୍ୟ ବେଶୀ କିଛି କରି ପାରି ନାହାନ୍ତି। ଅକ୍ଷର ପଟେଲ ୩ଟି ଯାକ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛନ୍ତି। ହେଲେ ତାଙ୍କ ଠାରୁ ସବୁବେଳେ ବଡ଼ ଇନିଂସ ଆଶାରେ ଭାରତୀୟ ଦଳ ରହିପାରିବ ନାହିଁ। ତେଣୁ ୪ର୍ଥ ଟେଷ୍ଟରେ ବରିଷ୍ଠ ଖେଳାଳିମାନଙ୍କୁ ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ପଡ଼ିବ।

ଅନ୍ୟପକ୍ଷରେ ୪ର୍ଥ ଟେଷ୍ଟ ପାଇଁ ଅହମଦାବାଦରେ ୨ଟି ପିଚ୍‌ ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି କେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ, ସେକଥା ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ଷ୍ଟିଭ ସ୍ମିଥ ଜାଣି ନଥିବା ସୂଚନା ଦେଇଛନ୍ତି। ପାଟ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ ତୃତୀୟ ଟେଷ୍ଟରେ ମଧ୍ୟ ଦଳର କମାଣ ସମ୍ଭାଳିଥିଲେ। ଏଥିରେ ଦଳ ମଧ୍ୟ ଭାରତକୁ ହରାଇବାକୁ ସକ୍ଷମ ହୋଇଥିଲା। ଏବେ ୪ର୍ଥ ଟେଷ୍ଟରେ ଦଳ ଏହାର ପୁନରାବୃତ୍ତି ପାଇଁ ଲକ୍ଷ୍ୟ ରଖିଛି। ହେଲେ ମ୍ୟାଚ୍‌ ପୂର୍ବରୁ ସ୍ମିଥ ପିଚ୍‌କୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ମିଥ କହିଛନ୍ତି ଯେ ଅହମଦାବାଦ ଟେଷ୍ଟ ପାଇଁ ଦୁଇଟି ପିଚ୍‌ ପ୍ରସ୍ତୁତ କରାଯାଇଛି। କେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ, ସେବାବଦରେ ସେ କୌଣସି ସୂଚନା ପାଇ ନାହାନ୍ତି। ସ୍ମିଥ କହିଛନ୍ତି ଯେ କ୍ୟୁରେଟର ତାଙ୍କୁ କହିଛନ୍ତି ଯେ କଳା ମାଟି ଥିବା ପିଚ୍‌ରେ ମ୍ୟାଚ ଖେଳାଯିବାର ସମ୍ଭାବନା ୬୦% ଥିବା ବେଳେ ନାଲି ମାଟିରେ ପ୍ରସ୍ତୁତରେ ମ୍ୟାଚ୍‌ ଖେଳିବାର ଆଶା ୪୦% ରହିଛି।

କେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ ବୋଲି ଆପଣ ଜାଣିଛନ୍ତି କି ପ୍ରଶ୍ନ କରାଯିବାରୁ ସ୍ମିଥ କହିଛନ୍ତି, “ଏହାର ଛୋଟିଆ ଉତ୍ତର ହେଉଛି ନା। ସେଠାରେ ଦୁଇଟି ପିଚ୍‌ ରହିଛି।”

ତେବେ ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଆଜି ଗୋଟିଏ ପିଚ୍‌ର ଯାଞ୍ଚ କରିଥିଲେ। ଏହି ପିଚ୍‌ଟି କଳା ମାଟିରେ ତିଆରି ହୋଇଛି। ତେବେ ଦ୍ୱିତୀୟ ପିଚ୍‌ ଉପରେ କାହିଁକି ପାଲ ପଡ଼ିଛି, ସେକଥା ସେ ଜାଣି ନଥିବା କହିଛନ୍ତି।

ରାହୁଲ ଡ୍ରାଭିଡ କହିଛନ୍ତି, “ମୁଁ ଜାଣିନି ଦୁଇଟି ପିଚ୍‌କୁ କାହିଁକି ଘୋଡ଼ାଇ ରଖାଯାଇଛି। ମ୍ୟାଚ୍‌ ଖେଳାଯିବାକୁ ଥିବା ପିଚ୍‌ ବ୍ୟତୀତ ଅନ୍ୟ ପିଚ୍‌କୁ କାହିଁକି ଘୋଡ଼ାଯାଇଛି, ସେକଥା ମୁଁ କ୍ୟୁରେଟରଙ୍କୁ ପଚାରିନି। ଆମେ ଯେଉଁ ପିଚ୍‌ରେ ଖେଳିବୁ, ସେବିଷୟରେ ଭଲ ଭାବେ ଜାଣିଛୁ। ଅନ୍ୟ କଥା ବିଷୟରେ ମୁଁ ଜାଣିନି।”

ସ୍ମିଥ କହିଛନ୍ତି ଯେ ପ୍ଲାଟ ପିଚ୍‌ ଅପେକ୍ଷା ଚ୍ୟାଲେଞ୍ଜିଂ ପିଚ୍‌ରେ ଖେଳିବା ବହୁତ ବଲ। ହେଲେ ଡ୍ରାଭିଡ କହିଛନ୍ତି ଯେ ବୋଲରଙ୍କୁ ସୁହାଉଥିବା ଭଳି ପିଚ୍‌ କରାଯିବ। ଏହାଦ୍ୱାରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟକୁ ବୃଦ୍ଧି କରାଯାଇ ପାରିବ।

ଭାରତ ବିଧିବଦ୍ଧ ଭାବେ WTC ଫାଇନାଲରେ ପ୍ରବେଶ କରି ନଥିଲେ ମଧ୍ୟ ଦଳ ପାଖରେ ଆଉ ଗୋଟିଏ ସୁଯୋଗ ରହିଛି। ଅହମଦାବାଦରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜ୍‌ର ୪ର୍ଥ ତଥା ଶେଷ ମ୍ୟାଚ୍‌ ଜିତିଲେ, ଦଳ ଫାଇନାଲକୁ ପ୍ରବେଶ କରିପାରିବ। କିନ୍ତୁ ଯଦି ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୪ର୍ଥ ଟେଷ୍ଟରେ ହାରି ଯାଉଛି, ତା’ହେଲେ ଦଳକୁ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ସିରିଜର ଫାଳଫଳ ଉପରେ ନିର୍ଭର କରିବାକୁ ପଡ଼ିବ।

ଭାରତର ବିଜୟ ପ୍ରତିଶତ ପଏଣ୍ଟ ଏବେ ୬୦.୨୮ ରହିଛି। ଯଦି ଭାରତ ଶେଷ ଟେଷ୍ଟକୁ ଜିତି ନେଉଛି, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୨.୫ ହୋଇଯିବ। ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ବେଶ ଆରାମରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ତେବେ ଭାରତ ଯଦି ହାରି ଯାଉଛି, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୬.୯୪କୁ ଖସି ଆସିବ। ଏପରି ସ୍ଥିତିରେ ରୋହିତ ସେନା ଫାଇନାଲ ଟିକେଟ ପାଇଁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜର ରେଜଲ୍ଟ ଉପରେ ନିର୍ଭର କରିବ।

ସେହିପରି ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଲେ ଦଳର ବିଜୟ ପ୍ରତିଶତ ୫୮.୭୯ ରହିବ। ଏଠି ମଧ୍ୟ ଦଳକୁ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ସିରିଜର ରେଜଲ୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ମ୍ୟାଚ୍‌ ଟାଏ ହେଲେ ଭାରତର ବିଜୟ ପ୍ରତିଶତ ୫୮.୭୯ ହେବ।

Indian Cricket Team Cricket India Vs Australia Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe