Advertisment

ସ୍ୱାଧୀନ ଭାରତରେ ପ୍ରଥମ: ଅତ୍ୟନ୍ତ ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଲା ଟିମ ଇଣ୍ଡିଆ

ଆଜିର ପରାଜୟ ପରେ ଭାରତର ଟେଷ୍ଟ କ୍ରିକେଟରେ ନୂଆ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ଭାରତ ପ୍ରଥମଥର ପାଇଁ ୩ କିମ୍ବା ତା’ ଠାରୁ ଅଧିକ ଟେଷ୍ଟ ଘରୋଇ ମାଟିରେ ଖେଳି ଗୋଟିଏ ହେଲେ ବି ଜିତି ପାରିନାହିଁ।

author-image
Hemant Lenka
Rohit

Rohit

୧୩ ବର୍ଷ ତଳେ ଯେଉଁ ୱାଙ୍ଖେଡେରେ ଭାରତୀୟ ଟିମ ଦିନିକିଆ ବିଶ୍ୱକପ ଜିତିଥିଲା ଆଜି ସେଠାରେ ଦଳ ନିଜ ଟେଷ୍ଟ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି।

Advertisment

ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟ ନାଟକୀୟ ଢଙ୍ଗରେ ଶେଷ ହେବା ସହ ଭ୍ରମଣକାରୀ ଦଳ ସିରିଜ ମୂଳପୋଛ କରିଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଭାରତ ଉପ ମହାଦେଶରେ ଟେଷ୍ଟ ସିରିଜ୍‌ ମୂଳପୋଛ କରିବାର ରେକର୍ଡ କରିଛି। ତୃତୀୟ ଟେଷ୍ଟରେ ଭାରତ ସମ୍ମାନ ରକ୍ଷା କରିବାର ଆଶା ସେଯାଏ ଥିଲା ଯେଉଁ ପର୍ଯ୍ୟନ୍ତ ଋଷଭ ପନ୍ତ ବ୍ୟାଟିଂ କରୁଥିଲେ।

ହେଲେ ବିବାଦୀୟ ଢଙ୍ଗରେ ସେ ଆଉଟ ହେବା ପରେ ଭାରତ ବିଜୟ ଟ୍ରାକରୁ ବାହାରି ଯାଇଥିଲା। ୧୬ ରନରେ ଦଳ ଶେଷ ୫ ୱିକେଟ ହରାଇ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି।

Advertisment

ଆଜିର ପରାଜୟ ପରେ ଭାରତର ଟେଷ୍ଟ କ୍ରିକେଟରେ ନୂଆ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ଭାରତ ପ୍ରଥମଥର ପାଇଁ ୩ କିମ୍ବା ତା’ ଠାରୁ ଅଧିକ ଟେଷ୍ଟ ଘରୋଇ ମାଟିରେ ଖେଳି ଗୋଟିଏ ହେଲେ ବି ଜିତି ପାରିନାହିଁ। ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ପ୍ରଥମ ଟିମ ଭାବେ ଭାରତକୁ ତା’ରି ମାଟିରେ ୦-୩ରେ ହରାଇବାକୁ ସକ୍ଷମ ହୋଇଛି।

ଭାରତ ପ୍ରଥମଥର ପାଇଁ ଇଂଲଣ୍ଡ ସହ ଘରୋଇ ମାଟିରେ ୩ଟିକିଆ ଟେଷ୍ଟ ସିରିଜ ଖେଳିଥିଲା। ୧୯୩୩-୩୪ରେ ଏହି ସିରିଜ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପୂର୍ବରୁ ହୋଇଥିବା ଏହି ସିରିଜରେ ଭାରତୀୟ ଟିମକୁ ଇଂଲଣ୍ଡ ୨-୦ରେ ହରାଇ ଦେଇଥିଲା।

ଏହାପର ଠାରୁ ଭାରତୀୟ ଟିମ କେବେ ହେଲେ ଘରୋଇ ମାଟିରେ ୩ କିମ୍ବା ତା’ରୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ମୂଳପୋଛ ହୋଇ ନଥିଲା। ସ୍ୱାଧୀନ ଭାରତରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ ଭାବେ ଭାରତକୁ ତା’ରି ଗଡ଼ରେ ମୂଳପୋଛ କରି ଦେଇଛି।

ସେହିପରି ନ୍ୟୁଜିଲ୍ୟାଣ୍ଡ ୩-୦ରେ ସିରିଜ ଜିତିବା ପରେ ବିଶ୍ୱର ୪ର୍ଥ ଦଳ ଭାବେ ଭାରତକୁ କୌଣସି ୩ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଗୋଟିଏ ହେଲେ ମ୍ୟାଚ୍‌ ଜିତିବାକୁ ଦେଇ ନାହିଁ। ଇଂଲଣ୍ଡ ଏପରି କାରନାମା ୪ଥର କରିଥିବା ବେଳେ ଅଷ୍ଟ୍ରେଲିଆ ୩ଥର ଓ ୱେଷ୍ଟଇଣ୍ଡିଜ୍‌ ମାତ୍ର ଗୋଟିଏ ଥର ଭାରତକୁ ୩+ ଟେଷ୍ଟ ସିରିଜ୍‌ରେ ମୂଳପୋଛ କରିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଘରେ କିମ୍ବା ବିଦେଶରେ ଗୋଟିଏ ସିରିଜରେ ୩ଟି ଟେଷ୍ଟ ସିରିଜ ଜିତିଛି। ସେହିପରି କ୍ୱିୱି ଟିମ ତା’ର ଟେଷ୍ଟ ଇତିହାସରେ କେବେ ହେଲେ ବିଦେଶ ମାଟିରେ କୌଣସି ସିରିଜର ପ୍ରଥମ ୩ ଟେଷ୍ଟ ଜିତି ନଥିଲା। ଭାରତ ବିପକ୍ଷରେ ଦଳ ଇତିହାସ ସୃଷ୍ଟି କରିଛି।

୨୦୧୨ ଡିସେମ୍ବରରେ ଭାରତ ୧-୨ରେ ଇଂଲଣ୍ଡ ଠାରୁ ଟେଷ୍ଟ ସିରିଜ ହାରିବା ପରେ ବାଉନ୍ସ ବ୍ୟାକ କରି କ୍ରମାଗତ ୧୮ଟି ସିରିଜ ଜିତିଥିଲା। ହେଲେ ଏହି ସିରିଜରେ ଭାରତର ବିଜୟ ଦୁର୍ଗକୁ ନ୍ୟୁଜିଲ୍ୟାଣ୍ଡ ଭାଙ୍ଗି ଦେଇଥିଲା। ପୁଣେ ଟେଷ୍ଟକୁ ଜିତି ନ୍ୟୁଜିଲ୍ୟାଣ୍ଡ ୨-୦ରେ ଆଗୁଆ ଟେଷ୍ଟ ସିରିଜକୁ କବଜା କରି ନେଇଥିଲା। ଏବେ ଦଳ ୩-୦ରେ ସିରିଜ ମୂଳପୋଛ କରିଛି।

Test Cricket Test Match