Advertisment

ଭାରତ ହାତରୁ ଚାଲିଗଲା ବର୍ଡର-ଗାଭାସ୍କର ଟ୍ରଫି

ଏହି ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତର ଖେଳିବାର ଆଶା ମଉଳି ଯାଇଛି।

Aus

Aus

Advertisment

ଶେଷ ହୋଇଛି ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୩-୧ରେ ହାରିଯାଇଛି ଭାରତ। ଏହା ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଗତ ୭ ବର୍ଷ ଧରି ନିଜ ପାଖରେ ରଖିଥିବା ଭାରତକୁ ଲାଗିଛି ବଡ଼ ଝଟକା। ଅଷ୍ଟ୍ରେଲିଆ ହାତକୁ ଚାଲି ଯାଇଛି ଏହି ଟ୍ରଫି। 

Advertisment

୨୦୧୪-୧୫ରେ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ୨୦୧୬-୧୭, ୨୦୧୮-୧୯, ୨୦୨୦-୨୧, ୨୦୨୨-୨୩ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା ଭାରତ। ସେଥିରୁ ୨୦୧୮-୧୯ ଓ ୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଖେଳା ଯାଇଥିଲା।

୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିବା ବେଳେ ଏହା ମାତ୍ର ୩ ଦିନରେ ଆଜି ଶେଷ ହୋଇଯାଇଛି। ଏଥିରେ ଭାରତକୁ ୬ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ।

Advertisment

ଏହି ଟେଷ୍ଟରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୧୮୫ ରନ୍ କରିଥିଲା। କିନ୍ତୁ ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱାଧୀନ ବୋଲିଂ ବାହିନୀ ଅଷ୍ଟ୍ରେଲିଆକୁ ତା’ର ପ୍ରଥମ ଇନିଂସରେ ୧୮୧ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ନିଜ ପାଇଁ ବିଜୟୀ ଆଶାକୁ ଉଦ୍‌ଜୀବିତ କରିଥିଲା। ହେଲେ ଗତକାଲି ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିକୁ ଚାଲିଯାଇଥିଲା। କାରଣ ଭାରତ ତା’ର ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନ୍ କରି ୬ଟି ୱିକେଟ୍ ହରାଇ ଦେଇଥିଲା। ଦଳର ସମସ୍ତ ପ୍ରମୁଖ ବ୍ୟାଟର ଆଉଟ୍ ହୋଇଯାଇଥିଲେ।

୧୪୧/୬ରୁ ଆଜି ଭାରତ ଖେଳ ଆରମ୍ଭ କରିଥିବା ବେଳେ ମାତ୍ର ୧୬ ରନ୍‌ରେ ବାକି ସମସ୍ତ ୱିକେଟ୍ ହରାଇଥିଲା। ରବୀନ୍ଦ୍ର ଜାଡେଜା ୧୩, ୱାଶିଂଟନ ସୁନ୍ଦର ୧୨ ଓ ମହମ୍ମଦ ସିରାଜ ୪ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ଯଶପ୍ରୀତ ବୁମ୍ରା ଖାତା ଖୋଲି ପାରି ନଥିଲେ। ପୂରା ଟିମ୍ ୧୫୭ ରନ୍‌ରେ ପ୍ୟାଭିଲିୟନକୁ ଫେରି ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ମାତ୍ର ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ପାଣି ପିଆଇ ଦେଇଥିବା ଭାରତୀୟ ବୋଲର ଦ୍ୱିତୀୟ ଇନିଂସରେ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଘରୋଇ ଟିମ୍‌ର ବାଟ ଓଗାଳିବାରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩ଟି ୱିକେଟ ନେଇଥିବା ମହମ୍ମଦ ସିରାଜ ଆଜି ଲୟରେ ନଥିବା ଭଳି ଲାଗୁଥିଲେ। କାରଣ ନିଜର ପ୍ରଥମ ଓଭରରେ ସେ ୫ଟି ୱାଇଡ୍ ବଲ୍ ପକାଇଥିଲେ।

ବିଜୟ ଲକ୍ଷ୍ୟ ୧୬୨ ଥିବା ବେଳେ ମାତ୍ର ୬ ଓଭରରେ ୫୦ ରନ୍ ସଂଗ୍ରହ କରି ନେଇଥିଲା ଅଷ୍ଟ୍ରେଲିଆ। ସେତେବେଳକୁ ମାତ୍ର ଗୋଟିଏ ୱିକେଟ୍ ଯାଇଥିଲା। ଅଷ୍ଟ୍ରେଲିଆ ୨୭ ଓଭରରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ବେଳେ କେବଳ ମଝିରେ ୩ ଓଭରର ଚାପରେ ରହିଥିଲା। ସେହି ୩ ଓଭର ପ୍ରସିଦ୍ଧ କୃଷ୍ଣ ପକାଇଥିଲେ ଓ ମାର୍ନସ ଲାବୁଶେନ ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ୱିକେଟ୍ ନେଇଥିଲେ। ଲାବୁଶେନ ୬ ଓ ସ୍ମିଥ୍ ୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଟ୍ରାଭିସ ହେଡ୍ ଓ ଉସମାନ ଖୱାଜା ଇନିଂସକୁ ସମ୍ଭାଳି ନେଇଥିଲେ। ଲଞ୍ଚ ପରେ ଅଷ୍ଟ୍ରେଲିଆ ତା’ର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲା। ହେଡ୍ ଓ ଖୱାଜା ଭାରତୀୟ ପେସରଙ୍କୁ କିଛି ବାଉଣ୍ଡ୍ରୀ ମାରି ବିଜୟ ଆଶାକୁ ଛଡ଼ାଇ ନେଇଥିଲେ।

୧୮.୧ ଓଭରରେ ଅଷ୍ଟ୍ରେଲିଆର ସ୍କୋର ୧୦୪ରେ ପହଞ୍ଚିଥିବା ବେଳେ ଆଉଟ ହୋଇଥିଲେ ଉସମାନ ଖୱାଜା। ସେ ୪୫ଟି ବଲ୍‌ରୁ ୪୧ (୪ ଚୌକା) ରନ୍ କରିଥିଲେ। ସେ ଆଉଟ୍ ହେବା ପରେ ଟିକେ ଆଶା ସଞ୍ଚାର ହୋଇଥିଲା ଟିମ୍ ଇଣ୍ଡିଆ ପାଇଁ। କିନ୍ତୁ ଖୱାଜାଙ୍କ ୱିକେଟ୍ ଅଷ୍ଟ୍ରେଲିଆକୁ ପ୍ରଭାବିତ କରି ନଥିଲା। କାରଣ ଟ୍ରାଭିସ ହେଡ୍‌ଙ୍କ ସହିତ ମିଶି ସ୍କୋରକୁ ଆଗେଇ ନେଇଥିଲେ ବିଉ ୱେବଷ୍ଟର। ଉଭୟ ଅପରାଜିତ ରହି ମ୍ୟାଚ୍ ଜିତାଇ ଦେଇଥିଲେ। ଟ୍ରାଭିସ ହେଡ୍ ୩୮ଟି ବଲ୍‌ରୁ ୩୪ ରନ୍ କରିଥିବା ବେଳେ ବିଉ ୱେବଷ୍ଟର ୩୪ଟି ବଲ୍‌ରୁ ୩୯ ରନ୍ କରିଥିଲେ।

ପିଠିର ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ଗତକାଲି ଖେଳ ଚାଲିଥିବା ବେଳେ ପଡ଼ିଆ ଛାଡ଼ିଥିବା ଯଶପ୍ରୀତ ବୁମ୍ରା ଆଜି ବ୍ୟାଟିଂ କରିବାକୁ ଆସିଥିଲେ ହେଁ ବୋଲିଂ କରିବାକୁ ଆସି ନଥିଲେ। ଅନ୍ୟପକ୍ଷରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ପ୍ରଭାବଶାଳୀ ବୋଲିଂ କରିବାରେ ବିଫଳ ହୋଇଥିଲେ। ସିରାଜ ୧୨ ଓଭର ବୋଲିଂ କରିଥିବା ବେଳେ ୬୯ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ। ପ୍ରସିଦ୍ଧ କୃଷ୍ଣ ୩ଟି ୱିକେଟ୍ ନେଇଥିବା ବେଳେ ୧୨ ଓଭରରେ ୬୫ ରନ୍ ବ୍ୟୟ କରିଥିଲେ। ୱାଶିଂଟନ ସୁନ୍ଦର ଗୋଟିଏ ଓଭର ବୋଲିଂ କରି ୧୧ ରନ୍ ଦେଇଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୨ ଓଭର ବୋଲିଂ କରି ୧୦ ରନ୍ ଦେଇଥିଲେ।

INDvsAUS Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe