/odisha-reporter/media/post_attachments/uploadimage/library/16_9/16_9_0/IMAGE_1752503871.jpg)
Team England
ଇଂଲଣ୍ଡ ବିପକ୍ଷ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଛି ଭାରତ। ଐତିହାସିକ ଲର୍ଡସରେ ବିଜୟ ବାନା ଉଡ଼ାଇବାର ସବୁଠାରୁ ଭଲ ସୁଯୋଗର ଫାଇଦା ଉଠାଇ ପାରିନି ଭାରତ। ଲର୍ଡସ ଟେଷ୍ଟର ପୂରା ୪ ଦିନ ଭାରତ ତା’ର ଦବଦବା ଦେଖାଇଲା। ମ୍ୟାଚ୍ ଜିତିବାକୁ ମାତ୍ର ୧୯୩ ରନର ଟାର୍ଗେଟ ପାଇଲା। କିନ୍ତୁ ୪ର୍ଥ ଇନିଂସରେ ଭାରତୀୟ ଟିମ ଠିକଣା ସମୟରେ ସତେ ଯେମିତି ଇଂଲଣ୍ଡ ଆଗରେ ଆତ୍ମସମର୍ପଣ କରି ଦେଲା।
୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ରବୀନ୍ଦ୍ର ଜାଡେଜା ଶେଷ ଯାଏ ଲଢ଼ିଥିଲେ ହେଁ ଦଳକୁ ଜିତାଇବାକୁ ସକ୍ଷମ ହୋଇ ନାହାନ୍ତି। ଭାରତୀୟ ଟିମ ୧୭0 ରନରେ ଅଲଆଉଟ ହୋଇଯିବାରୁ ଇଂଲଣ୍ଡ ମ୍ୟାଚ୍କୁ ୨୨ ରନରେ ଜିତି ନେଇଛି। ଏଥିସହ ୫ ଟିକିଆ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇ ଯାଇଛି। ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିଥିବା ବେଳେ ଏଜବାଷ୍ଟନରେ ବିଜୟ ତ୍ରିରଙ୍ଗା ଉଡ଼ାଇଥିଲା ଭାରତ। ଲର୍ଡସରେ ମଧ୍ୟ ୨୦୨୧ର ପୁନରାବୃତ୍ତି କରିବାର ସୁଯୋଗ ଥିଲେ ହେଁ ଭାରତୀୟ ଟିମ ଏହାକୁ ହାତ ଛଡ଼ା କରିଛି। ଏବେ ୧-୨ରେ ଭାରତ ପଛରେ ରହିଥିବା ବେଳେ ୪ର୍ଥ ଟେଷ୍ଟ ଜୁଲାଇ ୨୩ରୁ ଆରମ୍ଭ ହେବ।
ଲର୍ଡସ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୯୩ ରନର ଟାର୍ଗେଟ ମିଳିଥିବା ବେଳେ ୪ର୍ଥ ଦିନ ଖେଳ ଶେଷ ବେଳକୁ ଭ୍ରମଣକାରୀ ଟିମ ୪ ୱିକେଟ ହରାଇ ମାତ୍ର ୫୮ ରନ କରିଥିଲା। ବିଜୟ ଠାରୁ ଭାରତ ୧୩୫ ରନ ଦୂରରେ ଥିବା ବେଳେ କେଏଲ ରାହୁଲ କ୍ରିଜରେ ରହିଥିଲେ। ହେଲେ ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ।
ବଡ଼ ଶଟ ଖେଳିବାରେ ମାହିର ଋଷଭ ପନ୍ତଙ୍କୁ ୫ମ ଦିନର ପ୍ରଥମ ବ୍ୟାଟର ଭାବେ ଆର୍ଚର କ୍ଲିନବୋଲ୍ଡ କରି ଦେଇଥିଲେ। ସେ ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଷ୍ଟୋକ୍ସ ଚମତ୍କାର ଇନ ସୁଇଂ ବଳରେ ୩୯ ରନ କରିଥିବା ରାହୁଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ୱାଶିଂଟନ ସୁନ୍ଦର ବୋଲିଂରେ ୪ ୱିକେଟ ନେଇଥିବାରୁ ତାଙ୍କ ବ୍ୟାଟରୁ କିଛି ରନ ବାହାରିବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ଆର୍ଚର ତାଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ। ନିଜେ ବୋଲିଂ କରିବା ସହ ଚମତ୍କାର କ୍ୟାଚ ଜରିଆରେ ସେ ୱାଶିଂଟନଙ୍କ ୱିକେଟ ଦଖଲ କରିଥିଲେ।
୮୨ ରନରେ ଭାରତ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଜାଡେଜାଙ୍କୁ ସାଥ ଦେବାକୁ ଆସିଥିଲେ ନୀତୀଶ କୁମାର ରେଡ୍ଡୀ। ଉଭୟ ବେଶ ସତର୍କତାର ସହ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିଥିଲେ। ଏଥିସହ ୮ମ ୱିକେଟ ପାଇଁ ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚାଇ ଦେଇଥିଲା। କିନ୍ତୁ ଲଞ୍ଚର ଠିକ ପୂର୍ବରୁ କ୍ରିଜରେ ସଂଘର୍ଷ କରୁଥିବା ନୀତୀଶ ରେଡ୍ଡୀ ୫୩ ବଲରେ ୧୩ ରନ କରି କ୍ରିଜ ୱିକ୍ସଙ୍କ ବଲରେ ଆଉଟ ହୋଇଥିଲେ। ସେ ଆଉଟ ହେବା ପରେ ଲଞ୍ଚ ବ୍ରେକ ମଧ୍ୟ ହୋଇଥିଲା।
ଲଞ୍ଚ ସୁଦ୍ଧା ଭାରତ ୮ ୱିକେଟ ହରାଇ ୧୧୨ ରନ କରିଥିଲା। ଲଞ୍ଚ ପରେ ଜାଡେଜା ଏକାକୀ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ନିଜର ସକ୍ଷମ ଅନୁସାରେ ପୂରା ସାଥ ଦେଇଥିଲେ। ପ୍ରତି ଓଭରର ପ୍ରଥମ ୪ଟି ବଲ ଜାଡେଜା ଖେଳୁଥିବା ବେଳେ ବୁମ୍ରାଙ୍କୁ ୨ଟି ବଲ ମିଳୁଥିଲା। ଜାଡେଜା ବେଶ ଧୀରେଧୀରେ ଭାରତର ପାଳି ଆଗକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୪୭ ଥିବା ବେଳେ ବୁମ୍ରା ଫାଲତୁ ଶଟ ଖେଳି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଶେଷ ବ୍ୟାଟର ଭାବେ କ୍ରିଜକୁ ଆସିଥିଲେ ମହମ୍ମଦ ସିରାଜ। ସେ ମଧ୍ୟ ଜାଡେଜାଙ୍କୁ କିଛି ସମୟ ସାଥ ଦେଇଥିଲେ। ଜାଡେଜା ମଧ୍ୟ ନିଜ କାନ୍ଧରେ ଭାର ସମ୍ଭାଳି ପ୍ରଥମେ ନିଜର ୫୦ ରନ ପୂରଣ କରିଥିଲେ। ସିରାଜ ମଧ୍ୟ ଧୈର୍ଯ୍ୟ ଦେଖାଇଥିଲେ।
ଚା’ ପାନ ବିରତି ଭାରତୀୟ ସମୟ ୮.୪୨ରେ ହୋଇଥିଲା। ଏହି ସମୟରେ ଭାରତ ବିଜୟ ଠାରୁ ୩୦ ରନ ଦୂରରେ ରହିଥିଲା। ଭାରତ ଏହି ସେସନ୍ସରେ ୩୦.୩ ଓଭର ବ୍ୟାଟିଂ କରି କେବଳ ୬୭ ରନ ହାସଲ କରିଥିଲା। କିନ୍ତୁ କେବଳ ଗୋଟିଏ ୱିକେଟ ଦଳ ହରାଇଥିଲା। ଟି ଟାଇମ ପରେ ଜାଡେଜା ଭାରତକୁ ଜିତାଇବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା।
ଲର୍ଡସରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଜୋ ରୁଟଙ୍କ ୧୦୪ ରନ୍, ଜାମି ସ୍ମିଥଙ୍କ ୫୧ ଓ ବ୍ରାଏଡନ କାର୍ସଙ୍କ ୫୬ ରନ ବଳରେ ପ୍ରଥମ ଇନିଂସରେ ୩୮୭ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୫ ୱିକେଟ ନେଇଥିଲେ। ଇଂଲଣ୍ଡର ୩୮୭ ରନ ଜବାବରେ ଭାରତ ମଧ୍ୟ ପ୍ରଥମ ଇନିଂସରେ ସମାନ ୩୮୭ ରନ କରିଥିଲା। ଭାରତ ପକ୍ଷରୁ କେଏଲ ରାହୁଲ ଶତକୀୟ ଇଂନିସ ଖେଳିଥିଲେ।
ଦ୍ୱିତୀୟ ଇନିଂସରେ ଭାରତ ଘାତକ ବୋଲିଂ କରିବା ସହ ଇଂଲଣ୍ଡକୁ ୧୯୨ ରନରେ ଅଟକାଇ ଦେଇଥିଲା। ଫଳରେ ଦଳକୁ ଜିତିବା ପାଇଁ ୧୯୩ ରନର ଟାର୍ଗେଟ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
