/odisha-reporter/media/post_attachments/uploads/2022/01/dhawan.jpg)
dhawan
ପାର୍ଲ: କ୍ୟାପଟେନ୍ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଶତକ ପରେ ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା। ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରି ପରାସ୍ତ ହୋଇଛି।
୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୟାପଟେନ୍ ତଥା ଓପ୍ନର ଲୋକେଶ ରାହୁଲ୍ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କମବ୍ୟାକ୍ କରିଥିବା ଶିଖର ଧୱନ୍ ଓ ସମସ୍ତ ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ। ଧୱନ୍ ଓ କୋହଲିଙ୍କ ଆଉଟ୍ ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା। ଧୱନ୍ ୮୪ ବଲରେ ୧୦ ଚୌକା ସହ ୭୯ ଓ କୋହଲି ୫୧ (୬୩ ବଲ୍, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/333400/333451.jpg)
ଋଷଭ ପନ୍ତ (୧୬), ଶ୍ରେୟସ ଆୟର୍ (୧୭), ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର୍ (୨), ରବିଚନ୍ଦ୍ରନ୍ ଅଶ୍ୱିନ୍ (୭) ଓ ଭୁବନେଶ୍ୱର କୁମାର କୁମାର (୪) ନିରାଶ କରିଥିଲେ। ତେବେ ଶାର୍ଦ୍ଦୁଲ ଠାକୁର ନିଜର ବ୍ୟାଟିଂ ପରାକ୍ରମ ଦେଖାଇଥିଲେ ହେଁ, ଭାରତକୁ ଜିତାଇବା ପାଇଁ ତାହା ଯଥେଷ୍ଟ ନଥିଲା। ଶାର୍ଦ୍ଦୁଲ ଓ ଯଶପ୍ରୀତ ବୁମ୍ରା ନବମ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ଶାର୍ଦ୍ଦୁଲ ଅପରାଜିତ ୫୦ (୪୩ ବଲ୍, ୫ ଚୌକା, ୧ ଛକା) ଓ ବୁମ୍ରା ୧୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/333400/333458.jpg)
ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଭାରତର ଭାଇସ୍-କ୍ୟାପଟେନ୍ ତଥା ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ଘରୋଇ ଦଳର ଓପ୍ନର ଜାନେମନ୍ ମଲାନ୍ (୬)ଙ୍କୁ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର କ୍ୱିଣ୍ଟନ୍ ଡି’କକ୍ (୨୭) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରିଥିଲେ। ଟେଷ୍ଟ ସିରିଜରେ ନୈରାଶ୍ୟଜନକ ବ୍ୟାଟିଂ କରିଥିବା ଏଡେନ୍ ମାର୍କରମ୍ (୪) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/333400/333440.jpg)
୬୮ ରନରେ ୩ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ସଂକଟରେ ପଡ଼ିଥିବା ବେଳେ ବାଭୁମା ଓ ଡୁସେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଡୁସେନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଗୋଟିଏ ପଟେ ରନ୍ ଗତି ବଢ଼ାଇଥିବା ବେଳେ ବାଭୁମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ଧୀରେ ଧୀରେ ଦଳର ରନ୍ ରେଟ୍ ଓଭରପିଛା ୪ ଏବଂ ପରେ ୫କୁ ବଢ଼ାଇଥିଲେ। ବାଭୁମା ୭୬ ବଲରେ ଓ ଡୁସେନ୍ ୪୯ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଦୁଇ ଯୋଡ଼ିକୁ ଭାଙ୍ଗିବା ପାଇଁ ରାହୁଲ୍ ସବୁ ପ୍ରୟାସ ବୃଥା ଯାଇଥିଲା। ଏହିପରି ଭାବେ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୦୪ ରନର ବଡ଼ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/333400/333439.jpg)
ଉଭୟ ବାଭୁମା ଓ ଡୁସେନ୍ ସେମାନଙ୍କର ଦ୍ୱିତୀୟ ଦିନିକିଆ ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ଶତକ ପୂରଣ କରିବା ପାଇଁ ବାଭୁମା ୧୩୩ ବଲ୍ ଓ ଡୁସେନ୍ ୮୩ ବଲର ସହାୟତା ନେଇଥିଲେ। ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ବୁମ୍ରା। ବାଭୁମା ବ୍ୟକ୍ତିଗତ ୧୧୦ (୧୪୩ ବଲ୍, ୮ ଚୌକା) ରନ୍ କରି ରାହୁଲଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତେବେ ଡୁସେନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୯୬ ରନରେ ପହଞ୍ଚାଇଥିଲେ। ସେ ମାତ୍ର ୯୬ ବଲର ସାମ୍ନା କରି ୧୨୯ ରନ୍ ଅପରାଜିତ ଥିଲେ, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା। ଡେଭିଡ୍ ମିଲର୍ ୨ ରନ୍ କରି କ୍ରିଜରେ ଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
