ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତ ଜବରଦସ୍ତ କମବ୍ୟାକ୍ କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଛି। ପେସ୍ ବୋଲର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କ ନବମ ୱିକେଟ୍ ପାଇଁ ୮୯ ରନର ଜବରଦସ୍ତ ଭାଗିଦାରୀ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ହରାଇ ୨୯୮ ରନ୍ କରି ପାଳି ଘୋଷଣା କରିଥିଲା। ଏଥିସହ ଆୟୋଜକ ଦଳ ଆଗରେ ୨୭୨ ରନର ବିଜୟଲକ୍ଷ୍ୟ ଦେଇଥିଲା ଭାରତ। ଏହାକୁ ପିଛା କରୁଥିବା ଇଂଲଣ୍ଡ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୭ ୱିକେଟ୍ ହରାଇ ୯୪ ରନ୍ କରିଛି। ଜୋସ୍ ବଟଲର୍ ୮ ଓ ଓଲି ରବିନସନ୍ ୨ ରନରେ ବ୍ୟାଟିଂ କରୁଛନ୍ତି।
ଲର୍ଡ୍ସ ଟେଷ୍ଟ ଜିତିବା ପାଇଁ ଇଂଲଣ୍ଡକୁ ୬୦ ଓଭରରେ ୨୭୨ ରନ୍ ଦରକାର ଥିଲା। ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡକୁ ପ୍ରଥମ ଦୁଇ ଓଭରରେ ଡବଲ୍ ଝଟକା ଲାଗିଥିଲା। ଘରୋଇ ଦଳର ଦୁଇ ଓପ୍ନର ଖାତା ଖୋଲିପାରିନଥିଲେ। ଇଂଲଣ୍ଡ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ବୁମ୍ରା ରୋରୀ ବର୍ନସଙ୍କୁ ଏବଂ ପରବର୍ତ୍ତୀ ଓଭରର ଚତୁର୍ଥ ବଲରେ ଶାମି ଡମ୍ ସିବଲେଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ପରେ ହସୀବ ହମୀଦ ଓ ଇନଫର୍ମ କ୍ୟାପଟେନ୍ ଜୋ ରୁଟ୍ ତୃତୀୟ ୱିକେଟ୍ ପାଇଁ ୪୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଈଶାନ୍ତ ଶର୍ମା। ହମୀଦ ୯ ରନ୍ କରି ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।
ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ (୨)ଙ୍କୁ ମଧ୍ୟ ଈଶାନ୍ତ ନିଜର ଶିକାର ବନାଇଥିଲେ। ୪ଟି ୱିକେଟ ପତନ ପରେ ସବୁ ଦାୟିତ୍ୱ କ୍ୟାପଟେନ୍ ରୁଟଙ୍କ ଉପରକୁ ଆସିଥିଲା। ରୁଟ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ଟିମ୍ ପାଇଁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଠିକଣା ସମୟରେ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ ବୁମ୍ରା।
ବୁମ୍ରାଙ୍କ ଆଉଟ୍ ସୁଇଂ ବଲକୁ ବୁଝିନପାରି ରୁଟ୍ ପ୍ରଥମ ସ୍ଲିପରେ ଫିଲ୍ଡିଂ କରୁଥିବା କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ରୁଟ୍ ୬୦ ବଲରେ ୫ ଚୌକା ସହ ୩୩ ରନ୍ କରିଥିଲେ। ଏହା ପରେ ବଟଲର ଓ ମୋଇନ୍ ଅଲୀ ପାଖାପାଖି ୧୬ ଓଭର ବ୍ୟାଟିଂ କରି ଟିମକୁ ପରାଜୟରୁ ରକ୍ଷା କରିବା ପାଇଁ ପ୍ରୟାସ ଚଳାଇଥିଲେ। କିନ୍ତୁ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗି ଭାରତ ପାଇଁ ବିଜୟ ଆଶ ସଞ୍ଚାର କରିଥିଲେ। ମୋଇନ୍ ବ୍ୟକ୍ତିଗତ ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସିରାଜ ଓଭରର ପରବର୍ତ୍ତୀ ବଲରେ ସାମ୍ କୁରାନ (୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ।
ସୋମବାର ପଞ୍ଚମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୮୧/୬ରୁ ଖେଳ ଆରମ୍ଭ କରିଥିଲା। ପନ୍ତ ଆଜି ନିଜ ସ୍କୋରରେ ଆଉ ୮ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଲି ରବିନସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଈଶାନ୍ତ ଶର୍ମା ବହୁମୂଲ୍ୟ ୧୬ ରନ୍ର ଯୋଗଦାନ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଈଶାନ୍ତଙ୍କୁ ମଧ୍ୟ ରବିନସନ୍ ଆଉଟ୍ କରି ଭାରତକୁ ଅଷ୍ଟମ ଝଟକା ଦେଇଥିଲେ।
୨୦୯ ରନରେ ୮ ୱିକେଟ୍ ହରାଇବା ପରେ ଭାରତ ସଂକଟରେ ପଡ଼ିଯାଇଥିଲା। କିନ୍ତୁ ଶାମି ଓ ବୁମ୍ରା ଇଂଲଣ୍ଡର ସବୁ ରଣନୀତିକୁ ପଣ୍ଡ କରିଦେଇଥିଲେ। ଦୁହେଁ ଇଂଲଣ୍ଡର ବୋଲରଙ୍କୁ କହି କହି ଆଟାକ୍ କରିଥିଲେ। ଦୁହେଁ ନବମ ୱିକେଟ ପାଇଁ ୮୯ ରନର ଭାଗିଦାରୀ କରି ଭାରତକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି, ରବିନସନ୍ ଓ ମୋଇନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।