ବିଜୟ ପାଇଁ ଶେଷ ଦିନରେ ଭାରତକୁ ଦରକାର ୩୮୧ ରନ୍

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଭ୍ରମଣକାରୀ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୧୭୮ ରନରେ ଅଲଆଉଟ୍ ହୋଇ ଭାରତ ଆଗରେ ୪୨୦ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। ଲକ୍ଷ୍ୟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୩୯ ରନ୍ କରିଛି। ରୋହିତ୍ ଶର୍ମା ପୁଣିଥରେ ନିରାଶ କରି ମାତ୍ର ୧୨ […]

ind vs eng

Ranjit Kumar Jena
  • Published: Monday, 08 February 2021
  • , Updated: 08 February 2021, 06:04 PM IST

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଭ୍ରମଣକାରୀ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୧୭୮ ରନରେ ଅଲଆଉଟ୍ ହୋଇ ଭାରତ ଆଗରେ ୪୨୦ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। ଲକ୍ଷ୍ୟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୩୯ ରନ୍ କରିଛି। ରୋହିତ୍ ଶର୍ମା ପୁଣିଥରେ ନିରାଶ କରି ମାତ୍ର ୧୨ ରନ୍ କରି ଜ୍ୟାକ୍ ଲିଚଙ୍କ ବଲରେ ବୋଲ୍ଡ ହୋଇଛନ୍ତି। ତେବେ ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ୍ ଗିଲ୍ ୧୫ ଓ ଚେତେଶ୍ୱର ପୂଜାରା ୧୨ ରନରେ ବ୍ୟାଟିଂ କରୁଥିଲେ। ମ୍ୟାଚ୍ ଜିତିବା ପାଇଁ ଭାରତକୁ ୩୮୧ ରନ୍ ଏବଂ ଇଂଲଣ୍ଡକୁ ୯ ୱିକେଟ୍ ଦରକାର।

[caption id="" align="aligncenter" width="1400"] ରୋହିତ୍‌ ଶର୍ମାଙ୍କୁ କ୍ଲିନ୍ ବୋଲ୍ଡ କରୁଛନ୍ତି ଜ୍ୟାକ୍ ଲିଚ୍[/caption]

ମ୍ୟାଚର ଚତୁର୍ଥ ଦିବସ ବେଶ୍ ରୋମାଞ୍ଚଭରା ରହିଛ। ପ୍ରଥମ ତିନି ଦିନରେ ଯେଉଁଠି ୧୬ ୱିକେଟର ପତନ ହୋଇଥିଲା ଆଜି ଦିନରେ ମୋଟ ୧୫ ୱିକେଟର ପତନ ଘଟିଛି। ଚତୁର୍ଥ ଦିବସରେ ଅସମାପ୍ତ ସ୍କୋର ୨୫୭/୬ରୁ ଖେଳ ଆରମ୍ଭ କରିଥିବା ଭାରତ ଆଉ ୮୦ ରନ୍ ଯୋଡ଼ି ୩୩୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଚମତ୍କାର ବ୍ୟାଟିଂ କରି ୮୫ (୧୩୮ ବଲ୍, ୧୨ ଚୌକା, ୨ ଛକା) ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଯିଏ ୩୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଉଭୟ ସୁନ୍ଦର ଓ ଅଶ୍ୱିନ୍ ସପ୍ତମ ୱିକେଟ୍ ପାଇଁ ୮୦ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ।

ସୁନ୍ଦର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନାହାନ୍ତି। ଲୋୟର୍ ଅର୍ଡରରେ ଶାହବାଜ ନଦୀମ ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିବା ବେଳେ ଈଶାନ୍ତ ଶର୍ମା ୪ ରନ୍ କରି ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ଡମ୍ ବେସ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର ଓ ଜ୍ୟାକ୍ ଲିଚ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି।

[caption id="" align="aligncenter" width="1000"] ବୋଲିଂ ମୁଦ୍ରାରେ ଅଶ୍ୱିନ୍[/caption]

୨୪୧ ରନରେ ଆଗୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିଜର ଘରୋଇ ଗ୍ରାଉଣ୍ଡରେ ଅଶ୍ୱିନ୍ ଚମତ୍କାର ବୋଲିଂ କରି ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସ୍କୋର କରିବାକୁ ଦେଇନଥିଲେ। ଫଳସ୍ୱରୂପ ଇଂଲଣ୍ଡ ୨ୟ ଇନିଂସର ପ୍ରଥମ ବଲରେ ଓପ୍ନର ରୋରୀ ବର୍ନସଙ୍କୁ ହରାଇଥିଲା। ବର୍ନସଙ୍କୁ ଭାରତର ଅଭିଜ୍ଞ ସ୍ପିନର୍ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଦ୍ରୁତ ରନ୍ କରିବାରେ ପ୍ରୟାସରେ ୱିକେଟ୍ ହରାଇ ଚାଲିଥିଲେ। ତେବେ ଜବରଦସ୍ତ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ରୁଟ୍ ସର୍ବାଧିକ ୪୦ (୩୨ ବଲ୍, ୭ ଚୌକା) ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଲି ପୋପ୍ ୨୮, ଡମ୍ ବେସ୍ ୨୫, ଜୋସ ବଟଲର୍ ୨୪, ଡାନ୍ ଲରେନ୍ସ ୧୮, ଡମ୍ ସିବଲେ ୧୬, ବେନ୍ ଷ୍ଟୋକ୍ସ ୭, ଜୋଫ୍ରା ଆର୍ଚର୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଜ୍ୟାକ୍ ଲିଚ୍ ୮ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅଶ୍ୱିନ୍ ୬୧ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଶାହାବାଜ ନଦୀମ ୨ଟି, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
ଏହା ପୂର୍ବରୁ ଜୋ ରୁଟଙ୍କ ଆକର୍ଷଣୀୟ ଦ୍ୱିଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲେ। ରୁଟ୍ ୨୧୮ (୩୭୭ ବଲ୍, ୧୯ ଚୌକା, ୨ ଛକା) ରନ୍ କରିଥିବା ବେଳେ ସିବଲେ ୮୭, ବେନ୍ ଷ୍ଟୋକ୍ସ ୮୨ ରନ୍ କରିଥିଲେ।

Related story