/odisha-reporter/media/media_files/2025/11/25/stubs-2025-11-25-14-54-22.jpg)
ଶଟ ଖେଳୁଛନ୍ତି ଷ୍ଟବ୍ସ
ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲରଙ୍କୁ ଧୂଲେଇ କରିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୨୬୦ ରନରେ ୫ ୱିକେଟ ହରାଇବା ପରେ ପାଳି ଘୋଷଣା କରିଛି।
ଦକ୍ଷିଣ ଆଫ୍ରିକା ପାଳି ଘୋଷଣା କରିଥିବାରୁ ଏବେ ଭାରତକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ବିଶାଳ ୫୪୯ ରନର ଟାର୍ଗେଟ ମିଳିଛି। ପ୍ରଥମ ଇନିଂସରେ ଭାରତ ମାତ୍ର ୨୦୧ ରନ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୨୮୮ ରନର ଲିଡ ପାଇଥିଲା। ଏବେ ଆଉ ୨୬୦ ରନ କରିବା ପରେ ଦକ୍ଷିଣ ଆଫ୍ରିକା ପାଳି ଘୋଷଣା କରିଛି। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ କରିଥିଲା।
ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ରନ କରିଛନ୍ତି ମଧ୍ୟକ୍ରମ ବ୍ୟାଟର ଟ୍ରିଷ୍ଟାନ ଷ୍ଟବ୍ସ। ସେ ୯୪ ରନ କରି ଆଉଟ ହେବା କ୍ଷଣି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି ଘୋଷଣା କରିଛି। ଅନ୍ୟମାନଙ୍କ ମଧ୍ୟରେ ରିୟାନ ରିକେଲଟ ୩୫ ରନ, ଏଡେନ ମାର୍କମର ୨୯ ରନ, ଅଧିନାୟକ ତେମ୍ବା ବଭୂମା ୩, ଟୋନି ଡି ଜୋର୍ଜି ୪୯ ଓ ୱିଆନ ମୁଲଡର ଅପରାଜିତ ୩୫ ରନ କରିଛନ୍ତି।
ଭାରତ ପାଇଁ ଦ୍ୱିତୀୟ ଇନିଂସରେ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ ସଫଳତା ମିଳିଛି। ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ୭୮.୩ ଓଭର ବୋଲିଂ କରି କେବଳ ୫ ୱିକେଟ ଦଖଲ କରିପାରିଛନ୍ତି। ଏବେ ଭାରତୀୟ ବ୍ୟାଟରଙ୍କୁ ମ୍ୟାଚ୍ ବଞ୍ଚାଇବା ପାଇଁ ଆଜିର ପ୍ରାୟ ୧ ଘଣ୍ଟା ଓ ଆସନ୍ତାକାଲି ପୂରା ଦିନ ବ୍ୟାଟିଂ କରିବାକୁ ପଡ଼ିବ।
ପ୍ରଥମ ଇନିଂସରେ ଭାରତୀୟ ଟିମର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଦୁଇ ତିନି ଜଣଙ୍କ ଛାଡ଼ି ଦେଲେ ଅନ୍ୟ କେହି ବି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିବାରେ ସକ୍ଷମ ହୋଇ ନଥିଲେ। ଏକାକୀ ମାର୍କୋ ୟାନସେନ ୬ ୱିକେଟ ନେଇ ଭାରତୀୟ ବ୍ୟାଟରଙ୍କୁ ଚିତ କରି ଦେଇଥିଲେ। ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟର କେମିତି ତାଙ୍କୁ ସାମ୍ନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ।
୨ଟିକିଆ ସିରିଜରେ ୧-୦ରେ ପଛରେ ଥିବା ଭାରତ ଏବେ ଦ୍ୱିତୀୟ ଟେଷ୍ଟ(Test Cricket)ରେ ଏମିତି ଏକ ସ୍ଥିତିରେ ପହଞ୍ଚି ଯାଇଛି, ଯେଉଁଠାରେ ଦଳ ମ୍ୟାଚ୍ ହାରିବ କିମ୍ବା ଅତି ବେଶୀରେ ଡ୍ର କରିବାକୁ ସକ୍ଷମ ହେବ। ଡ୍ରର ଆଶା ମଧ୍ୟ ପ୍ରଥମ ଇନିଂସ ବ୍ୟାଟିଂ ପରେ କ୍ଷୀଣ ହୋଇଯାଇଛି। ତଥାପି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଇଚ୍ଛାରେ ଖେଳୁଥିବା ଭାରତୀୟ ଟିମ ଡ୍ର ଆଶାରେ ହିଁ ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
