ସିରିଜ ଜିତିବା ପାଇଁ ଭାରତକୁ ୨୭୦ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଟେଷ୍ଟ ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଜିତିବା ପାଇଁ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜିଂ ୨୭୦ ରନର ଆବଶ୍ୟକ ରହିଛି।

ୱିକେଟ ନେବା ପରେ ପାଣ୍ଡ୍ୟାଙ୍କ ସହ ସାଥୀ ଖେଳାଳି

  • Published: Wednesday, 22 March 2023
  • , Updated: 22 March 2023, 05:44 PM IST

ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ୍‌ ଜିତିବା ପାଇଁ ଭାରତକୁ ମିଳିଛି ୨୭୦ ରନର ଟାର୍ଗେଟ। ଆଜି ନିର୍ଣ୍ଣାୟକ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୪୯ ଓଭରରେ ସମସ୍ତ ୱିକେଟ ହରାଇ ୨୬୯ ରନ କରିଛି। ଫଳରେ ଟେଷ୍ଟ ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଜିତିବା ପାଇଁ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜିଂ ୨୭୦ ରନର ଆବଶ୍ୟକ ରହିଛି।

ଚେନ୍ନାଇରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦ୍ରୁତ ଆରମ୍ଭ କରିଥିଲା। ଆଜି ଡାଭିଡ ୱାର୍ଣ୍ଣର ଖେଳୁଥିଲେ ମଧ୍ୟ ପୁରୁଣା ଯୋଡ଼ି ଟ୍ରାଭିସ ହେଡ ଓ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ପାଇଁ ଇନିଂସ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ୧୦ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୬୦ ପାର କରି ଦେଇଥିଲେ।

ତେବେ ଦଳୀୟ ସ୍କୋର ୬୮ ଥିବା ବେଳେ ଅଷ୍ଟ୍ରେଲିଆକୁ ଲାଗିଥିଲା ପ୍ରଥମ ଝଟକା। ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ଓଭରରେ ୩୩ ରନ କରିଥିବା ହେଡଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ନିଜର ଦ୍ୱିତୀୟ ଉଭୟରେ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ କଙ୍ଗାରୁ ଟିମର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ନିଜର ତୃତୀୟ ଓଭରରେ ତାଙ୍କୁ ସବୁଠାରୁ ବଡ଼ ସଫଳତା ମିଳିଥିଲା। ପୂର୍ବ ଦୁଇଟି ଦିନିକିଆରେ ଅର୍ଦ୍ଧଶତକ ସହ ଆଜି ଦମଦାର ବ୍ୟାଟିଂ କରୁଥିବା ମିଚେଲ ମାର୍ଶଙ୍କ ୱିକେଟ ପାଣ୍ଡ୍ୟା ନେଇଥିଲେ। ମାର୍ଶ ୪୭ ରନ କରି ଆଜି ଆଉଟ ହୋଇଛନ୍ତି।

୮୫ ରନରେ ୩ ୱିକେଟ ହରାଇଥିବା ଅଷ୍ଟ୍ରେଲିଆକୁ ମାର୍ନସ ଲାବୁଶେନ ଓ ୱାର୍ଣ୍ଣର ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ। ଏତିକି ବେଳେ ୨୩ ରନ କରିଥିବା ୱାର୍ଣ୍ଣରଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ୧୩୮ ରନରେ କୁଲଦୀପ ୨୮ ରନ କରିଥିବା ଲାବୁଶେନଙ୍କ ୱିକେଟ ନେଇଥିଲେ।

ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କେରୀ ଏହାପରେ ମଙ୍ଗ ସମ୍ଭାଳିଥିଲେ। ସେମାନେ ଦଳୀୟ ସ୍କୋରକୁ ୧୩୮ରୁ ନେଇ ୧୯୬ରେ ପହଞ୍ଚାଇଥିଲେ। ଲାଗୁଥିଲା ଉଭୟ ଭଲ ଲୟରେ ଅଛନ୍ତି ଓ ଅଷ୍ଟ୍ରେଲିଆକୁ ଏମାନେ ବଡ଼ ସ୍କୋରରେ ପହଞ୍ଚାଇବେ। କିନ୍ତୁ ଅକ୍ଷର ପଟେଲ ୨୫ ରନ କରିଥିବା ଷ୍ଟୋଇନିସଙ୍କୁ ଆଉଟ କରି ଦେଇଥିଲେ।

କେରୀ(୩୮) କୁଲଦୀପଙ୍କ ତୃତୀୟ ଶିକାର ବନିଥିଲେ। ଶେଷ ଭାଗରେ ଶେନ ଆବୋଟ କିଛି ବଡ଼ ଖେଳିବା ସହ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଅକ୍ଷର ନେଇଥିଲେ। ଅଷ୍ଟନ ଆଗର(୧୭)ଙ୍କୁ ଆଉଟ କରି ମହମ୍ମଦ ସିରାଜ ଅଷ୍ଟ୍ରେଲିଆରକୁ ୯ମ ଝଟକା ଦେଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୨୪୭ ରହିଥିଲା। ଲାଗୁଥିଲା ଅଷ୍ଟ୍ରେଲିଆ ୨୬୦ ରନ ମଧ୍ୟ କରିପାରିବ ନାହିଁ।

ହେଲେ ଶେଷ ୱିକେଟ ପାଇଁ ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପା ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଶେଷ ୱିକେଟ ପାଇଁ ୨୨ ରନ ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। ତେବେ ଦଳୀୟ ସ୍କୋର ୨୬୯ ରନ ଥିବା ବେଳେ ମହମ୍ମଦ ସିରାଜ ୧୦ ରନ କରିଥିବା ଷ୍ଟାର୍କଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ପକ୍ଷରୁ ପାଣ୍ଡ୍ୟା ଓ କୁଲଦୀପ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ଓ ସିରାଜ ୨ଟି ସଫଳତା ପାଇଛନ୍ତି। 

Related story