Advertisment

ମିଚେଲଙ୍କ ଶତକ, ଶାମିଙ୍କୁ ୫ ୱିକେଟ: ଭାରତକୁ ୨୭୪ ରନର ଟାର୍ଗେଟ

ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏବେ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୭୪ ରନର ଟାର୍ଗେଟ ମିଳିଛି।

author-image
Hemant Lenka
Team India

Team India

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଷ୍ଟାର ବ୍ୟାଟର ଡାରେଲ ମିଚେଲ। ଧର୍ମଶାଲାରେ ମିଚେଲଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ଏହି ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏବେ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୭୪ ରନର ଟାର୍ଗେଟ ମିଳିଛି।

Advertisment

ମିଚେଲ ୧୨୭ ବଲରେ ୧୩୦ ରନର ଇନିଂସ ଖେଳିଥିବା ବେଳେ ରଚିନ ରବୀନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୭୫ ରନ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଏକଦା ୧୯ ରନରେ ଦୁଇ ୱିକେଟ ହରାଇଥିବା ବେଳେ ମିଚେଲ ଓ ରବୀନ୍ଦ୍ରଙ୍କ ପାଇଁ ଏତେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। 

ସେହିପରି ଭାରତ ପାଇଁ ଆଜି ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଚମକ ଦେଖାଇଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ ଦଖଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଗୋଟିଏ ପଟେ ଯଶପ୍ରୀତ ବୁମ୍ରା ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିବା ବେଳେ ଶାମି ୱିକେଟ ଝାଡ଼ିଛନ୍ତି। 

Advertisment

ଆଜିର ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ୩.୩ ଓଭର୍‌ରେ ମହମ୍ମଦ ସିରାଜ ଇନଫର୍ମ ଡେଭନ କନୱେ(୦)ଙ୍କୁ ଆଉଟ କରିଥିଲେ। ୧୦ମ ଓଭର୍‌ରେ ରୋହିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ଶାମିଙ୍କୁ ବଲ ଦେଇଥିଲେ। ସେ ପ୍ରଥମ ବଲରେ ହିଁ ୱିଲ ୟଙ୍ଗ(୧୭)ଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ।

ମାତ୍ର ୧୯ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲ୍ୟାଣ୍ଡକୁ ଏତିକି ବେଳେ ରବୀନ୍ଦ୍ର ଓ ମିଚେଲ ସମ୍ଭାଳିଥିଲେ। ସେମାନେ ଭାରତୀୟ ବୋଲରଙ୍କୁ ବେଶ ଭଲ ଭାବେ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗିତରେ ଆଗକୁ ନେଇଥିଲେ। ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ ମଧ୍ୟ କରିଥିଲେ।

ପ୍ରଥମେ ରବୀନ୍ଦ୍ର ୫୦ ରନ ପୂରଣ କରିଥିବା ବେଳେ ମିଚେଲ ୫୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୭୮ ରନ ଥିବା ବେଳେ ରବୀନ୍ଦ୍ର(୭୫)ଙ୍କୁ ଶାମି ଆଉଟ କରି ଦେଇଥିଲେ। କିନ୍ତୁ ସେତେବେଳକୁ ରବୀନ୍ଦ୍ର ଓ ମିଚେଲ ତୃତୀୟ ୱିକେଟ ପାଇଁ ୧୫୯ ରନ ଯୋଡ଼ି ବ୍ଲାକକ୍ୟାପ୍ସକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ରବୀନ୍ଦ୍ରଙ୍କ ପରେ ଆସିଥିବା ଅଧିନାୟକ ଟମ ଲାଥମ କେବଳ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ କୁଲଦୀପ ଯାଦବ ପ୍ୟାଭିଲିୟନ ପଠାଇଥିଲେ।

କ୍ୱିୱି ଟିମ ଲଗାତର ଦୁଇଟି ୱିକେଟ ହରାଇଥିଲେ ହେଁ ଏହାର ପ୍ରଭାବ ମିଚେଲଙ୍କ ଉପରେ ଆଦୌ ପଡ଼ି ନଥିଲା। ସେ ଗ୍ଲେନ ଫିଲିପ୍ସଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଚଳିତ ବିଶ୍ୱକପରେ ନିଜର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ଶତକ ହାସଲ କରିବା ପରେ ମିଚେଲ ଆହୁରି ଭୟଙ୍କର ହୋଇ ଉଠିଥିଲେ। ସେ ଭାରତୀୟ ବୋଲୀଙ୍କୁ କ୍ରମାଗତ ଆଟା କରିଥିଲେ। ଫିଲିପ୍ସ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲା।

୪୪ ଓଭର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ ହରାଇ ୨୪୩ କରି ନେଇଥିଲା। ୪୫ତମ ଓଭର ବୋଲିଂ କରିବାକୁ ଆସିଥିଲଲେ କୁଳଦୀପ ଯଦବ। ସେ ଏହି ଓଭରରେ ଫିଲିପ୍ସ(୨୩)ଙ୍କୁ ଆଉଟ କରିବା ସହ କେବଳ ୨ ରନ ଦେଇଥିଲେ। ୪୬ତମ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜ କେବଳ ୪ ରନ ଦେଇଥିଲେ। ୪୭ତମ ଓଭର୍‌ରେ ଯଶପ୍ରୀତ ବୁମ୍ରା ୮ ରନ ଦେବା ଶେଷ ମାର୍କ ଚାମ୍ପମାନ(୬)ଙ୍କ ୱିକେଟ ନେଇଥିଲେ। ବିରାଟ କୋହଲି ବାଉଣ୍ଡରୀ ପାଖରେ ବେଶ ଚମତ୍କାର ଢଙ୍ଗରେ କ୍ୟାଚ୍‌ ଧରି ଚାମ୍ପମାନଙ୍କ ସବୁ ଯୋଜନା ଭଣ୍ଡୁର କରିଥିଲେ। 

୪୮ତମ ଓଭର୍‌ରେ ମିଚେଲ ସାଣ୍ଟରନ(୧)ଙ୍କୁ ମହମ୍ମଦ ଶାମି କ୍ଲିନବୋଲ୍ଡ କରି ଭାରତକୁ ୭ମ ସଫଳତା ଦେଇଥିଲେ। ପରବର୍ତ୍ତୀ ବଲରେ ସେ ମ୍ୟାଟ ହେନରୀଙ୍କୁ ଲେଗ ଷ୍ଟମ୍ପ ଉଡ଼ାଇ ଦେଇଥିଲେ। ଏଥିସହ ମ୍ୟାଚ୍‌ରେ ନିଜର ୪ର୍ଥ ୱିକେଟ ଦଖଲ କରିଥିଲେ। ଶାମିଙ୍କ ହ୍ୟାଟ୍ରିକ ବଲ ଲକି ଫର୍ଗୁସନ ସାମ୍ନା କରିଥିବା ବେଳେ କୌଣସି ରନ କିମ୍ବା କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ୪୮ତମ ଓଭର୍‌ରେ ଶାମି ୩ ରନ ଦେବା ସହ ୨ଟି ୱିକେଟ ଦଖଲ କରିଥିଲା। 

ଇନିଂସର ୪୯ତମ ଓଭର ବୁମ୍ରା ବୋଲିଂ କରିଥିବା ବେଳେ ସାମ୍ନରେ ଥିଲେ ସେଟ ମିଚେଲ। କିନ୍ତୁ ବୁମ୍ରା ଏହି ଓଭର୍‌ରେ କେବଳ ୩ ରନ ଦେଇଥିଲା। ଭାରତ ପାଇଁ ଶେଷ ଓଭର ନେଇ ଆସିଥିଲେ ଶାମି। ପ୍ରଥମ ବଲରେ ମିଚେଲ ସିଙ୍ଗଲ ନେଇ ନଥିବା ବେଳେ ଦ୍ୱିତୀୟ ବଲରେ ୬କା ମାରିଥିଲେ। ତୃତୀୟ ବଲରୁ ତାଙ୍କୁ ଚୌକା ମିଳିଥିଲା। ୪ର୍ଥ ବଲ ବାଉଣ୍ଡରୀ ପାଖକୁ ଯାଇଥିଲେ ମଧ୍ୟ ମିଚେଲ କୌଣସି ରନ ନେଇ ନଥିଲେ।

୫ମ ବଲରେ ସେ ଶାମିଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀରେ ଧରା ପଡ଼ି ଯାଇଥିଲେ। ମିଚେଲ ୧୨୭ ବଲରେ ୧୩୦ ରନର ଇନିଂସ ଖେଳିଛନ୍ତି। ତାଙ୍କୁ ଆଛଟ କରି ଶାମି ମଧ୍ୟ ଚଳିତ ବିଶ୍ୱକପରେ ୫ ୱିକେଟ ଦଖଲ କରିବାର ସଫଳତା ପାଇଥିଲେ। ଶେଷ ବଲରେ ଟ୍ରେଣ୍ଟ ବୋଲ୍ଟ ୧ ରନ ନେବା ଲୋଭରେ ରନ ଆଉଟ ହୋଇ ଯାଇଥିଲେ। ଏଥିସହ ନ୍ୟୁଜିଲ୍ୟାଣ୍ଡ ଇନିଂସ ୨୭୩ରେ ଶେୱଷ ହୋଇଥିଲା। 

ଭାରତ ପକ୍ଷରୁ ଶାମି ସର୍ବାଧିକ ୫ ୱିକେଟ ନେଇଥିବା ବେଳେ କୁଲଦୀପଙ୍କୁ ୨ଟି, ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।  

ICC ICC Men’s Cricket World Cup 2023 ICC World Cup 2023 ICC World Cup India Vs New Zealand