Advertisment

IND vs WI: ଇନିଂସ ପରାଜୟ ଏଡ଼ାଇ ଦେଲା ୱେଷ୍ଟଇଣ୍ଡିଜ: ବିଜୟ ଠାରୁ ୫୮ ରନ ଦୂରରେ ଭାରତ

ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ଭାରତକୁ କଡ଼ା ଟକ୍କର ଦେଇଛି। ଦଳ ଫଲୋଅନ ଖାଇବା ପରେ ମଧ୍ୟ ଇନିଂସ ପରାଜୟକୁ ଏଡ଼ାଇ ଦେଇଛି। ଭାରତକୁ ନିଜ ମାଟିରେ ୱେଷ୍ଟଇଣ୍ଡିଜ ୨୦୦ ଓଭର ବୋଲିଂ କରିବାକୁ ବାଧ୍ୟ କରାଇଛି।

Kuldeep

ୱିକେଟ ଦଖଲ ପରେ କୁଲଦୀପ

Advertisment

ଶେଷ ଦିନକୁ ଯାଇଛି ଭାରତ-ୱେଷ୍ଟଇଣ୍ଡିଜ(IND Vs WI) ଦ୍ୱିତୀୟ ଟେଷ୍ଟ। ଶେଷ ଦିନରେ ଭାରତକୁ ବିଜୟ ପାଇଁ ଦରକାର ମାତ୍ର ୫୮ ରନ। ଦଳ ପାଖରେ ଏବେ ବି ୯ ୱିକେଟ ବାକି ରହିଛି। ତେଣୁ ଭାରତ ମ୍ୟାଚ୍‌ ସହ ସିରିଜକୁ ୨-୦ରେ କ୍ଲିନ ସୁଇପ କରିବା ଏକଦମ ପକ୍କା।

Advertisment

କିନ୍ତୁ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ଭାରତକୁ କଡ଼ା ଟକ୍କର ଦେଇଛି। ଦଳ ଫଲୋଅନ ଖାଇବା ପରେ ମଧ୍ୟ ଇନିଂସ ପରାଜୟକୁ ଏଡ଼ାଇ ଦେଇଛି। ଭାରତକୁ ନିଜ ମାଟିରେ ୱେଷ୍ଟଇଣ୍ଡିଜ ୨୦୦ ଓଭର ବୋଲିଂ କରିବାକୁ ବାଧ୍ୟ କରାଇଛି। ଦଳର ଦୁଇ ଜଣ ବ୍ୟାଟର ସାଇ ହୋପ ଓ ଜନ କ୍ୟାମ୍ପବେଲ ଶତକ ମଧ୍ୟ ମାରିଛନ୍ତି। ଦୁଇ ଶତକଧାରୀଙ୍କ ପାଇଁ ଇଣ୍ଡିଜ ଟିମ ଇନିଂସ ପରାଜୟକୁ ଏଡ଼ାଇ ପାରିଛି। ହେଲେ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ସକ୍ଷମ ହୋଇନାହିଁ। ଅବଶ୍ୟ ମ୍ୟାଚକୁ ଦଳ ୫ମ ଦିନକୁ ଟାଣିବାକୁ ସକ୍ଷମ ହୋଇଛି।

ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ମାତ୍ର ୨୪୮ ରନ କରିଥିଲା। ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ଠାରୁ ଦଳ ୨୭୦ ରନ ପଛରେ ରହିଥିଲା। ତେଣୁ ଶୁବମନ ଗିଲ ଫଲୋଅନ ଡାକିଥିଲେ। ଅର୍ଥାତ ଇଣ୍ଡିଜକୁ ପୁଣି ବ୍ୟାଟିଂ କରିବାକୁ ପଡ଼ିଥିଲା। ଲାଗୁଥିଲା ୪ ଦିନ ଭିତରେ ଟେଷ୍ଟ ମ୍ୟାଚ୍‌(Test Cricket) ଶେଷ ହୋଇଯିବ। କିନ୍ତୁ ୱେଷ୍ଟଇଣ୍ଡିଜ ଟିମ କଡ଼ା ଟକ୍କର ଦେବା ସହ ମ୍ୟାଚ୍‌କୁ ୫ମ ଦିନକୁ ନେଇ ଯାଇଛି। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୩୯୦ ରନ କରିବାରୁ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୧୨୧ ରନର ଟାର୍ଗେଟ ମିଳିଛି। 

Advertisment

୪ର୍ଥ ଦିନରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୧୮ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ୬୩ ରନ କରି ନେଇଛି। ଦଳ ବିଜୟ ଠାରୁ ୫୮ ରନ ଦୂରରେ ରହିଛି। ଆଜି ଷ୍ଟମ୍ପ ଅପସାରଣ ବେଳକୁ କେଏଲ ରାହୁଲ ୨୫ ଓ ସାଈ ସୁଦର୍ଶନ ୩୦ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଇନିଂସରେ ୧୭୫ ରନ କରିଥିବା ଯଶସ୍ୱୀ ଜୈୱାଲ ୮ ରନ କରି ଆଜି ଏକମାତ୍ର ବ୍ୟାଟର ଭାବେ ଆଉଟ ହୋଇଛନ୍ତି। ତାଙ୍କ ୱିକେଟ ୱାରିକାନଙ୍କ ଖାତାକୁ ଯାଇଛି।

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଫଲୋଅନ ଖାଇଥିବା ୱେଷ୍ଟଇଣ୍ଡିଜ ୨ ୱିକେଟ ହରାଇ ୧୭୩ ରନ୍ ସଂଗ୍ରହ କରି ନେଇଥିଲା। ତଥାପି ଦଳ ଭାରତଠାରୁ ୯୭ ରନ୍ ପଛରେ ରହିଥିଲା। ପ୍ରଥମ ଇନିଂସରେ ଇଣ୍ଡିଜ ଟିମ ୨୪୮ ରନ୍‌ରେ ଅଲ୍‌ଆଉଟ୍ ହୋଇଥିବାରୁ ଭାରତକୁ ୨୭୦ ରନ୍‌ର ଅଗ୍ରଣୀ ମିଳିଥିଲା।

ଫଲୋଅନ ଖାଇବା ପରେ ପ୍ରଥମ ଇନିଂସର ଭୁଲ୍‌କୁ ପୁଣି ଦୋହରାଇ ଥିଲା ଇଣ୍ଡିଜ। ଆରମ୍ଭରୁ ଦଳ ଚନ୍ଦ୍ରପଲ(୧୭) ଓ ଅଲିକ ଅଥାଞ୍ଜେ(୧୦)ଙ୍କୁ ହରାଇଥିଲା। ୩୫ ରନରେ ଦୁଇ ୱିକେଟ ହରାଇ ଇନିଂସ ପରାଜୟ ଅଭିମୁଖେ ଯାଇଥିଲା ଦଳ। ହେଲେ କ୍ୟାମ୍ପବେଲ ଓ ଅଭିଜ୍ଞ ସାଇ ହୋପ ଦମଦାର ବ୍ୟାଟିଂ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି କ୍ଷତିରେ ଦଳୀୟ ସ୍କୋରକୁ ୧୭୩ରେ ପହଞ୍ଚାଇ ଦେଇଥିଲେ।

ଆଜି ୪ର୍ଥ ଦିନରେ ଏହି ସ୍କୋରକୁ ଉଭୟ ଆଗକୁ ନେଇଥିଲେ। କ୍ୟାମ୍ପବେଲ ତାଙ୍କ ଟେଷ୍ଟ କ୍ୟାରିୟର(Test Match)ର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୨୧୨ ଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ୧୧୫ ରନ ଆଉଟ ହୋଇଥିଲେ କ୍ୟାମ୍ପବେଲ। ସେ ଏହି ଇନିଂସରେ ୧୨ଟି ଚୌକା ଓ ୩ଟି ଛକା ମାରିଛନ୍ତି। 

କ୍ୟାମ୍ପବେଲ ଆଉଟ ହୋଇଥିଲେ ହେଁ ସାଇ ହୋପ ହାର ମାନି ନଥିଲେ। ସେ ଅଧିନାୟକ ରୋଷ୍ଟନ ଚେଜଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ନିଜର ଶତକ ହାସଲ କରିବା ସହ ପ୍ରଥମେ ଇଣ୍ଡିଜକୁ ଇଂନିସ ପରାଜୟ ଲଜ୍ଜାରୁ ରକ୍ଷା କରିଥିଲେ। ଇଣ୍ଡିଜ ଦ୍ୱିତୀୟ ଇନିଂସରେ ପ୍ରଥମେ ଭାରତର ୨୭୦ ରନ ସୁଝିଥିଲା। କିନ୍ତୁ ଦଳୀୟ ସ୍କୋର ୨୭୧ ଅର୍ଥାତ ଇଣ୍ଡିଜର ଲିଡ ମାତ୍ର ୧ ରନ ଥିବା ବେଳେ ମହମ୍ମଦ ସିରାଜଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ ହୋପ। ୨୧୪ ବଲରେ ୧୦୩ ରନର ଇନିଂସ ଖେଳିଥିବା ହୋପ ୧୨ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ହୋପଙ୍କ ପରେ ଇଣ୍ଡିଜ ନିୟମିତ ୱିକେଟ ହରାଇବା ଆରମ୍ଭ କରିଥିଲା। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ଆଉ ବେଶୀ ବିପର୍ଯ୍ୟୟ ଘଟାଇବାକୁ ଇଣ୍ଡିଜ ଟିମକୁ କୌଣସି ସୁଯୋଗ ଦେଇ ନଥିଲେ। ଚେଜ(୪୦), ତେଭିନ ଇମଲାଚ(୧୨) ଓ ଖାରୟ ପେର(୦)ଙ୍କ ୱିକେଟ କୁଲଦୀପଙ୍କ ଖାତାକୁ ଯାଇଥିଲା।

 ଜଷ୍ଟିସ ଗ୍ରେଭସ ଗୋଟିଏ ପଟୁ ବଡ଼ ଶଟ ଖେଳି ୫୦ ରନ କରିଥିଲେ ହେଁ ଏପଟେ ବୁମ୍ରା ଗୋଟିଏ ପରେ ଗୋଟିଏ ୱିକେଟ ନେଇ ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେ ୱାରିକାନ(୩), ଆଣ୍ଡରସନ ଫିଲିପ ଓ ଶେଷ ବ୍ୟାଟର ଭାବ ୩୨ ରନ କରିଥିବା ଜୟଡେନ ସେଲ୍ସଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଦ୍ୱିତୀୟ ଇନିଂସରେ କୁଲଦୀପ ଓ ବୁମ୍ରା ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ଇଣ୍ଡିଜ ଦ୍ୱିତୀୟ ଇନିଂସରେ ୩୯୦ ରନରେ ଅଲଆଉଟ ହେବାରୁ ଭାରତକୁ ଜିତିବା ପାଇଁ ୧୨୧ ରନର ଟାର୍ଗେଟ ମିଳିଛି। ଏହାକୁ ପିଛା କରି ଭାରତ ଗୋଟିଏ ୱିକେଟ ହରାଇ ୬୩ ରନ କରି ନେଇଛି। 

IND Vs WI Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe