୨୫ ବର୍ଷ ତଳେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ନ୍ୟୁଜିଲ୍ୟାଣ୍ଡ, ସେତେବେଳେ କ’ଣ ହୋଇଥିଲା?

ରବିବାର ଫାଇନାଲରେ ମିଚେଲ ସାଣ୍ଟନରଙ୍କ ନ୍ୟୁଜିଲ୍ୟାଣ୍ଡ ପୁଣିଥରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆକୁ ଭେଟିବାକୁ ଯାଉଛି।

ICC

representational image

Hemant Lenka
  • Published: Thursday, 06 March 2025
  • , Updated: 06 March 2025, 02:40 PM IST

ଦୀର୍ଘ ୨୫ ବର୍ଷ ତଳର କଥା। ସେତେବେଳେ ଚାମ୍ପିୟନ୍ସ ଟ୍ରଫିର ନାଁ ଥିଲା ଆଇସିସି ନକଆଉଟ। ଆଉ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଏବେ ପୁଣି ୨୫ ବର୍ଷ ପରେ ଦୁଇ ଦଳ ଚାମ୍ପିୟନ୍ସ ଟ୍ରଫି ବା ମିନି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବୁଧବାର ନ୍ୟୁଜିଲ୍ୟାଣ୍ଡ ଲାହୋରରେ ଦକ୍ଷିଣ ଆଫ୍ରିକାକୁ ବେଶ ସହଜରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ରବିବାର ଦୁବାଇରେ ଭାରତ ସହ ଫାଇନାଲ ମ୍ୟାଚ୍‌ ଖେଳିବ।

ଭାରତ ପ୍ରଥମ ଦଳ ଭାବେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ୪ ତାରିଖରୁ ପ୍ରବେଶ କରିସାରିଛି। ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ଏରେ ପୂର୍ବରୁ ଭାରତକୁ ଦୁବାଇରେ ଭେଟିଥିଲା। ଏହି ମ୍ୟାଚ୍‌ରେ ବ୍ଲାକକ୍ୟାପକୁ ହାରିବାକୁ ପଡ଼ିଥିଲା। କିନ୍ତୁ ରବିବାର ଫାଇନାଲରେ ମିଚେଲ ସାଣ୍ଟନରଙ୍କ ନ୍ୟୁଜିଲ୍ୟାଣ୍ଡ ପୁଣିଥରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆକୁ ଭେଟିବାକୁ ଯାଉଛି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ପାଖରେ ଗ୍ରୁପ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ।

ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଦୁଇ ଥର ଭେଟିଛନ୍ତି 

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଦୁଇ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିଛନ୍ତି। ଶେଷଥର ପାଇଁ ଉଭୟ ଦଳ ୨୦୨୧ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଇଂଲଣ୍ଡର ସାଉଥାମ୍ପଟନରେ ଖେଳିଥିଲେ। ଏହି ଫାଇନାଲରେ କେନ ୱିଲିୟମସନଙ୍କ ନ୍ୟୁଜିଲ୍ୟାଣ୍ତ ବିରାଟ କୋହଲିଙ୍କ ଟିମ ଇଣ୍ଡିଆଇକୁ ୮ ୱିକେଟରେ ହରାଇ ପ୍ରଥମଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ଜିତି ପାରିଥିଲା। ବର୍ଷା ଯୋଗୁ ଫାଇନାଲ ଟେଷ୍ଟ ୬ ଦିନ ଖେଳା ଯାଇଥିଲା।

ସବୁଠାରୁ କୌତୁହଳର ବିଷୟ ହେଲା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଆଇସିସିର କୌଣସି ଧଳା ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଶେଷଥର ପାଇଁ ୨୦୦୦ ମସିହାରେ ଖେଳିଥିଲେ। ୨୦୦୦ ମସିହାରେ ଚାମ୍ପିୟନ୍ସ ଟ୍ରଫିର ନାଁ ଆଇସିସି ନକଆଉଟ ଟ୍ରଫି ରହିଥିଲା। କେନିୟାର ରାଜଧାନୀ ନାଇରୋବିରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟରେ ଭାରତକୁ ହରାଇ ପ୍ରଥମଥର ପାଇଁ କୌଣସି ଆଇସିସି ଟ୍ରଫି ଜିତି ପାରିଥିଲା।

ଚାମ୍ପିୟନ୍ସ ଟ୍ରଫିର ଇତିହାସ

କ୍ରିକେଟ ଜଗତର ପ୍ରଥମ ବିଶ୍ୱକପ ୧୯୭୫ ମସିହାରେ ଖେଳା ଯାଇଥିଲା। ଏହାପରେ ପ୍ରତି ୪ ବର୍ଷରେ ଥରେ ବିଶ୍ୱକପ ଆୟୋଜନ କରାଯାଇଥିଲା। ବିଶ୍ୱକପରେ ଆଇସିସିର ପୂର୍ଣ୍ଣ ସଦସ୍ୟ ରହିଥିବା ଦେଶଗୁଡ଼ିକ ଭାଗ ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇସିସି ୨ ବର୍ଷରେ ଥରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଲକ୍ଷ୍ୟ ଥିଲା ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ପାଇ ନଥିବା ଦେଶଗୁଡ଼ିକରେ କ୍ରିକେଟକୁ ଲୋକପ୍ରିୟ କରିବା ଓ ସେହି ଦେଶଗୁଡ଼କରେ କ୍ରିକେଟର ବିକାଶ ପାଇଁ ପାଣ୍ଠି ଯୋଗାଡ଼ କରିବା। ଏଥିପାଇଁ ବାଂଲାଦେଶ ଓ କେନିୟାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା। ୧୯୯୮ ଓ ୨୦୦୦ ମସିହାରେ ଟୁର୍ଣ୍ଣାମେଣ୍ଟର ନାଁ ଆଇସିସି ନକଆଉଟ ଟ୍ରଫି ରହିଥିଲା।

୧୯୯୮ ଓ ୨୦୦୦ ମସିହାରେ ମିନି ବିଶ୍ୱକପ ଭାବେ ଆଇସିସି ନକଆଉଟ ଟ୍ରଫି ଖେଳା ଯାଉଥିଲା। ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ୨୦୦୦ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିଜେତା ହୋଇଥିଲା। ୨୦୦୨ ମସିହାରୁ ଏହାର ନାଁ ଚାମ୍ପିୟନ୍ସ ଟ୍ରଫି ହୋଇଥିଲା। ୨୦୦୨ ମସିହାରେ ଭାରତ ଓ ଶ୍ରୀଲଙ୍କା ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇଥିଲେ। ୨୦୦୪ରେ ୱେଷ୍ଟଇଣ୍ଡିଜ, ୨୦୦୬ରେ ଅଷ୍ଟ୍ରେଲିଆ, ୨୦୦୯ରେ ଅଷ୍ଟ୍ରେଲିଆ, ୨୦୧୩ରେ ଭାରତ ଓ ୨୦୧୭ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

ଚାମ୍ପିୟନ୍ସ ଟ୍ରଫିର ଫାଇନାଲକୁ ଭାରତ ଏକମାତ୍ର ଦେଶ ଯିଏ ସର୍ବାଧିକ ୫ଥର ଯାଇଛି। ଏଭଳି ଉପଲବ୍ଧି କୌଣସି ଦେଶ ହାସଲ କରି ନାହାନ୍ତି। ଭାରତ ପଛକୁ ଅଷ୍ଟ୍ରେଲିଆ ୨ଥର ଫାଇନାଲ ଖେଳିଛି ଓ ୨ଥର ଟ୍ରଫି କରାୟତ କରିଛି। ଭାରତ ୫ଥର ଫାଇନାଲକୁ ଯାଇଥିବା ବେଳେ ୨ଥର ଜିତିଛି। ୨ଥର ହାରିଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର ଖେଳାଯିବ। ଭାରତ ସାମ୍ନାରେ ଏବେ ନ୍ୟୁଜିଲ୍ୟାଣ୍ଡ ରହିଛି।

୨୦୦୦ ମସିହା ଫାଇନାଲରେ କ୍ରିସ କେର୍ନ୍ସ ଭାଙ୍ଗିଥିଲେ ଭାରତର ହୃଦୟ

୨୦୦୦ ମସିହା ମିନି ବିଶ୍ୱକପରେ ଭାରତର ନେତୃତ୍ୱ ସୌରଭ ଗାଙ୍ଗୁଲି ନେଉଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୨୬୪ ରନ କରିଥିଲା। ଗାଙ୍ଗୁଲି ୧୧୭ ରନ କରିଥିବା ବେଳେ ସଚିନ ତେନ୍ଦୁଲକର ୬୯ ରନର ଇନିଂସ ଖେଳିଥିଲେ। ଭାରତ ବଡ଼ ସ୍କୋର କରିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ରାହୁଲ ଡ୍ରାଭିଡ, ବିନୋଦ କାମ୍ବଲି ଓ ଯୁବରାଜ ସିଂହଙ୍କୁ ନେଇ ଗଠିତ ମଧ୍ୟକ୍ରମ ସୁଯୋଗର ଫାଇଦା ଉଠାଇ ପାରି ନଥିଲେ। ଫଳରେ ଭାରତ ୨୬୪ ରନ ହିଁ କରିପାରିଥିଲା।

ଭାରତ ୨୬୫ ରନର ଟାର୍ଗେଟକୁ ପିଛା କରୁଥିବା ଷ୍ଟିଫେନ ଫ୍ଲେମିଂଙ୍କ ନ୍ୟୁଜିଲ୍ୟାଣ୍ଡକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଅଲରାଉଣ୍ଡର କ୍ରିସ କେର୍ନ୍ସ ସବୁକିଛି ଓଲଟପାଲଟ କରି ଦେଇଥିଲେ। ଆହତ ସମସ୍ୟା ସତ୍ତ୍ୱେ ସେ ୧୧୩ ବଲରେ ଅପରାଜିତ ୧୦୨ ରନର ଇନିଂସ ଖେଳି ବ୍ଲାକକ୍ୟାପକୁ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତି ପାରିଥିଲା।

୨୦୦୦ ମସିହା ଠାରୁ ଆଜି ଯାଏ ନ୍ୟୁଜିଲ୍ୟାଣ୍ଡ ଆଉ କେବେ ବି ଆଇସିସିର କୌଣସି ଧଳା ବଲ ଟୁର୍ଣ୍ଣାମେଣ୍ଟ ଜିତି ପାରି ନାହିଁ। ୨୦୧୫ ଓ ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଜିତିବାର ଅତି ନିକଟରେ ପହଞ୍ଚି ଯାଇଥିଲା। କିନ୍ତୁ ଦଳକୁ ଫାଇନାଲରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ହାରିବାକୁ ପଡ଼ିଥିଲା।

ରବିବାର ଭାଗ୍ୟ ବଦଳାଇ ପାରିବ କି ନ୍ୟୁଜିଲ୍ୟାଣ୍ଡ?

ଗତ ସପ୍ତାହ ଅର୍ଥାତ ଗତ ରବିବାର ଦୁବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୪୯ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ କେବଳ ୨୦୫ ରନ କରି ପାରି ଥିଲା। ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକାକୀ ୫ ୱିକେଟ ନେବାରୁ ନ୍ୟୁଜିଲ୍ୟାଣ୍ଡ ଦୁବାଇରେ ମାଟି କାମୁଡ଼ିଥିଲା। ବ୍ୟାଟିଂରେ ଶ୍ରେୟସ ଆୟର ୭୯ ରନର ଇନିଂସ ଖେଳିଥିଲେ।

ଏହି ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ସେମି ଫାଇନାଲ ଖେଳିଥିଲା। ଲାହୋରରେ ଖେଳା ଯାଉଥିବା ମ୍ୟାଚ୍‌ରେ ରଚିନ ରବୀନ୍ଦ୍ର ଓ କେନ ୱିଲିୟମସନଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ବିଶାଳ ୩୬୨ ରନ କରି ପାରିଥିଲା।

ଦକ୍ଷିଣ ଆଫ୍ରିକା ପାଇଁ ଡାଭିଡ ମିଲର ୬୨ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ ହେଁ ଦଳ ୫୨ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ତେଣୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ରବିବାର ଫାଇନାଲରେ ଲଢ଼େଇ କରିବେ। ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ହାରିଥିବା ପରାଜୟର ପ୍ରତିଶୋଧ ସହ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ।

Related story